ୱଜ୍‌ନିଆକିଙ୍କ ବିଦାୟ; ନାଦାଲ ୨ୟ ରାଉଣ୍ଡରେ

ପ୍ୟାରିସ୍ : ରୋଲାଣ୍ଡ ଗ୍ୟାରସ୍‌ରେ ଚାଲିଥିବା ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍ ଓପନ୍‌ରେ ସୋମବାର ଥିଲା ୨ୟ ଦିନ। ପ୍ରଥମଦିନ ପରି ଏହିଦିନ ମଧ୍ୟ ମହିଳା ସିଙ୍ଗଲ୍‌ସରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୂର୍ବତନ ବିଶ୍ବର ୧ନଂ ଖେଳାଳି କାରୋଲିନ ୱଜ୍‌ନିଆକି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଡେନ୍‌ମାର୍କର ୱଜ୍‌ନିଆକିଙ୍କୁ ରୁଷିଆର ବିଶ୍ବର ୬୮ନଂ ଖେଳାଳି ଭେରୋନିକା କୁଦର୍ମେତୋଭା ୦-୬, ୬-୩, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଚମ୍ପିଆନ୍ ହୋଇଥିବା ୧୩ଶ ସିଡ୍ ୱଜ୍‌ନିଆକି ସହଜରେ ପ୍ରଥମ ସେଟ୍‌ ଜିତିବା ପରେ ବିଜୟୀ ହେବେ ବୋଲି ଆଶା କରା ଯାଉଥିଲା। ତେବେ ରୁଷୀୟ ଖେଳାଳି ଭେରୋନିକା ଲଢ଼ୁଆ ପ୍ରଦର୍ଶନ କରି ପରବର୍ତ୍ତୀ ୨ଟିଯାକ ସେଟ୍ ଜିତି ନେଇଥିଲେ।
ମହିଳା ସିଙ୍ଗଲ୍‌ସରେ ୪ର୍ଥ ସିଡ୍ ନେଦରଲାଣ୍ଡ୍‌ସର କିକି ବର୍ଟେନ୍‌ସ ୬-୩, ୬-୪ ସେଟ୍‌ରେ ଫ୍ରାନ୍‌ସର ପାଓଲିନ୍ ପାର୍ମେଣ୍ଟିଅରଙ୍କୁ ପରାସ୍ତକରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୮ମ ସିଡ୍ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟି ୬-୩, ୬-୩ ସେଟ୍‌ରେ ଆମେରିକାର ଜେସିକା ପେଗୁଲାଙ୍କୁ ହରାଇଛନ୍ତି। ୧୨ଶ ସିଡ୍ ଲାଟ୍‌ଭିଆର ଆନାଷ୍ଟାସିଆ ସେଭାତ୍ସୋଭା ୬-୧, ୬-୪ ସେଟ୍‌ରେ ଥାଇଲାଣ୍ଡର ଲୁକ୍‌ସିକା କୁମ୍‌ଖୁମ୍‌ଙ୍କୁ ପରାସ୍ତ କରିଛନ୍ତି। ୨୦ନଂ ସିଡ୍ ବେଲ୍‌ଜିୟମ୍‌ର ଏଲିଜ୍ ମର୍ଟେନ୍‌ସ, ୬-୪, ୩-୬, ୬-୨ ସେଟ୍‌ରେ ସ୍ଲୋଭାକିଆର ତାମାରା ଜିଦାନ୍‌ସେକ୍‌ଙ୍କୁ ପରାସ୍ତ କରିଛନ୍ତି। ୨୩ନଂ ସିଡ୍ କ୍ରୋଏସିଆର ଡୋନା ଭେକିଚ୍ ୬-୨, ୬-୪ ସେଟ୍‌ରେ ରୁଷିଆର ଲ୍ୟୁଡ୍‌ମିଲା ସାମ୍‌ସୋନୋଭାଙ୍କୁ ପରାସ୍ତ କରିଛନ୍ତି। ୨୬ନଂ ସିଡ୍ ବ୍ରିଟେନ୍‌ର ୟୋହାନା କୋଣ୍ଟା ୬-୪, ୬-୪ ସେଟ୍‌ରେ ଜର୍ମାନୀର ଆଣ୍ଟୋନିଆ ଲୋଟ୍‌ନରଙ୍କୁ ପରାସ୍ତ କରିଛନ୍ତି। ତେବେ ୧୮ନଂ ସିଡ୍ ଜର୍ମାନୀର ଜୁଲିଆ ଜର୍ଜେସ୍ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଜର୍ଜେସଙ୍କୁ ଇଷ୍ଟୋନିଆର କାଇଆ କାନେପି ୭-୫, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଆମେରିକାର ଜେନିଫର ବାର୍ଡି, ଚୀନ୍‌ର ସୁଆଇ ଝାଙ୍ଗ୍, ରୋମାନିଆର ସୋରାନା କ୍ରିଷ୍ଟିଆ, ଆମେରିକାର ସେଲ୍‌ବି ରୋଜର୍ସ ପ୍ରମୁଖ ବିଜୟୀ ହୋଇ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ପୁରୁଷ ସିଙ୍ଗଲ୍‌ସରେ ୨ୟ ସିଡ୍ ସ୍ପେନ୍‌ର ରାଫେଲ ନାଦାଲ ସହଜରେ ୨ୟ ରାଉଣ୍ଡରେ ପହଞ୍ଚିଛନ୍ତି। ୧୧ ଥର ଫ୍ରେଞ୍ଚ୍ ଓପନ୍ ଜିତିଥିବା ନାଦାଲ ୬-୨, ୬-୧, ୬-୩ ସେଟ୍‌ରେ ଜର୍ମାନୀର ୟାନିକ୍ ହାନ୍‌ଫମ୍ୟାନଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ଫଳରେ ଫ୍ରେଞ୍ଚ୍ ଓପନ୍‌ରେ ନାଦାଲ ତାଙ୍କ ଜୟ-ପରାଜୟ ରେକର୍ଡ ୮୭-୨ରେ ପହଞ୍ଚାଇଛନ୍ତି। ତେବେ ୧୨ନଂ ସିଡ୍ ରୁଷିଆର ଡାନିଲ ମେଡ୍‌ଭେଡେଭ୍ ଓ ୧୫ନଂ ସିଡ୍ ଜର୍ଜିଆର ନିକୋଲୋଜ୍ ବାସିଲାସ୍‌ଭିଲି ପରାସ୍ତହୋଇ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମେଡ୍‌ଭେଡେଭ୍‌ଙ୍କୁ ୫ଟି ସେଟ୍‌ରେ ଫ୍ରାନ୍‌ସର ପିଏରେ-ହ୍ୟୁଗ୍‌ସ ହର୍ବଟ ପରାସ୍ତ କରିଛନ୍ତି। ବାସିଲାସ୍‌ଭିଲିଙ୍କୁ ଆର୍ଜେଣ୍ଟିନାର ୟୁଆନ୍ ଇଗ୍ନାସିଓ ଲୋଣ୍ଡୋରୋ ୬-୪, ୬-୧, ୬-୩ ସେଟ୍‌ରେ ପରାସ୍ତ କରିଛନ୍ତି। ୨୪ନଂ ସିଡ୍ ସ୍ବିଜରଲାଣ୍ଡର ଷ୍ଟାନିଆସ୍ ୱାରିଙ୍କା ୬-୧, ୬-୭, ୬-୨, ୬-୩ ସେଟ୍‌ରେ ସ୍ଲୋଭାକିଆର ଜୋଜେଫ୍ କୋଭାଲିକ୍‌ଙ୍କୁ ପରାସ୍ତ କରିଛନ୍ତି। ୨୬ନଂ ସିଡ୍ ଫ୍ରାନ୍‌ସର ଜାଇଲ୍‌ସ ସାଇମନ୍ ୬-୩, ୬-୩, ୬-୪ ସେଟ୍‌ରେ ୟୁକ୍ରେନ୍‌ର ସର୍ଜେଇ ଷ୍ଟାଖୋୱସ୍କିଙ୍କୁ ପରାସ୍ତ କରିଛନ୍ତି। ୧୩ଶ ସିଡ୍ କ୍ରୋଏସିଆର ବୋର୍ନା କୋରିଚ୍ ୬-୧, ୬-୭, ୬-୪, ୬-୪ ସେଟ୍‌ରେ ସ୍ଲୋଭେନିଆର ଆଲ୍‌ଜାଜ୍ ବେଦେନେଙ୍କୁ ପରାସ୍ତ କରିଛନ୍ତି। ୨୧ନଂ ସିଡ୍ ଅଷ୍ଟ୍ରେଲିଆର ଆଲେକ୍ସ ଡି ମିନୌର ୬-୧, ୬-୪, ୬-୪ ସେଟ୍‌ରେ ଆମେରିକାର ବ୍ରାଡ୍‌ଲି କ୍ଲାନ୍‌ଙ୍କୁ ପରାସ୍ତକରି ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

Comments are closed.