ଦେଶକୁ ଦୁର୍ବଳ କରିବାକୁ ଚାହୁଁଛି କଂଗ୍ରେସ; ରାୟବରେଲିରେ ଗର୍ଜିଲେ ମୋଦୀ

0

ଲକ୍ଷ୍ନୌ: କଂଗ୍ରେସର ଗଡ କୁହାଯାଉଥିବା ଉତ୍ତରପ୍ରଦେଶ ରାୟବରେଲିରେ ଦିନିକିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ଗର୍ଜିଛନ୍ତି । ୧୧୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ଅବସରରେ ମୋଦୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ରାଫେଲ ପ୍ରସଙ୍ଗ ଉପରେ ସଫେଇ ଦେଇ କହିଛନ୍ତି ଯେ କିଛି ଲୋକ ଦେଶକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି । ଏହା ସହ ମିଛ ପ୍ରଚାର ମଧ୍ୟ କରୁଛନ୍ତି । ଦେଶବାସୀଙ୍କ ନିକଟରେ ସତ୍ୟ ଓ ସୁରକ୍ଷାର ସରକାର ରହିଛି । ହେଲେ ଅନ୍ୟପକ୍ଷରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଦେଶକୁ ଦୁର୍ବଳ କରିବାକୁ ଯୋଜନା କରୁଛନ୍ତି । କଂଗ୍ରେସକୁ ସମାଲୋଚନା କରି ମୋଦୀ କହିଛନ୍ତି, ସେନା ପ୍ରତି କଂଗ୍ରେସର ବ୍ୟବହାର ଲୋକ ଦେଖାଣିଆ । ଦଳର ପ୍ରଚାର ପାଇଁ କଂଗ୍ରେସ ଏଭଳି କରୁଛି । ସେନା ପ୍ରମୁଖ, ସରକାର ଓ କୋର୍ଟକୁ ବର୍ତ୍ତମାନ କଂଗ୍ରେସ ମିଛ କହୁଛି ।କଂଗ୍ରେସ ଦେଶ ବିରୋଧୀ ଶକ୍ତି ସହ ସାମିଲ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ବିଜେପି ସରକାର ଆସିଲା ପରେ ରାୟବରେଲିର ବିକାଶ ଦ୍ରୁତ ଗତିରେ ହୋଇଛି । ସଡକ, ଘର, ମେଡିକାଲ, କଲେଜ ଏବଂ ପ୍ରତି ଘରେ ବିଜୁଳି ପହଞ୍ଚିଛି । ଯେପରି ଭାବରେ ରାୟବରେଲିର ବିକାଶକାର୍ଯ୍ୟ ହେଉଛି ତାହା ଉଲ୍ଲେଖଯୋଗ୍ୟ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରେଳ କୋଚ ନିର୍ମାଣ କାରଖାନାରେ ଏବେ ଦ୍ରୁତ ଗତି ରେଳ କୋଚ ନିର୍ମାଣ ଆରମ୍ଭ ହୋଇଛି । ରାୟବରେଲିରେ ଥିବା ରେଳ କୋଚ ନିର୍ମାଣ ସ୍ଥଳରେ ଗ୍ଲୋବାଲ ହବ୍ ତିଆରି ହେବ । ରାୟବରେଲି ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ଏମ୍ସ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଜନସଭାକୁ ସମ୍ବୋଧିତ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ କହିଛନ୍ତି ଯେ, ରାୟବରେଲି ଏକ ଭିଭିଆଇପି କ୍ଷେତ୍ର କିନ୍ତୁ ବିକାଶର ବହୁ ପଛରେ ରହିଥିଲା।  ରେଳ କୋଚ କାରଖାନା ଯୋଗୁଁ ସ୍ଥାନୀୟ ଅଞ୍ଚଳର ବହୁତ ଲୋକେ ରୋଜଗାରକ୍ଷମ ହୋଇପାରିଛନ୍ତି । ରାୟବରେଲି ଏବଂ ଆମେଥି ଜିଲାର ଗାଁ ଗାଁରେ ବିଜୁଳି ଉପଲବ୍ଧ ହେବା ସହ ଉଭୟ ଜିଲାରେ ସ୍ବଚ୍ଛତା ପାଇଁ ଶୌଚାଳୟ ନିର୍ମାଣ କରାଯାଉଛି । ଏହି ବିକାଶ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସମ୍ଭବ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ କହିଛନ୍ତି ।

ରବିବାର ଦିନିକିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ ରାୟବରେଲିରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ରେଳ କୋଚ କାରଖାନା ନିରୀକ୍ଷଣ କରିବା ସହ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଗୁଡିକର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟପାଳ ରାମ ନାଏକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ବିଜେପି ପ୍ରଦେଶ ଅଧ୍ୟକ୍ଷ ମହେନ୍ଦ୍ରନାଥ ପାଣ୍ଡେ ଉପସ୍ଥିତ ଥିଲେ ।

Leave A Reply