୧୩ରୁ ଅନ୍ତର୍ଜାତୀୟ ରେଡିଓ ମେଳା : ଯୋଗଦେବେ ଜାପାନ, ଆମେରିକା ଓ ବାଂଲାଦେଶ ରେଡିଓ ଷ୍ଟେସନ

ପ୍ରର୍ଦଶିତ ହେବ ପୁରୁଣା ରେଡିଓ

ଭୁବନେଶ୍ବର : ଆସନ୍ତା ୧୩ ଓ ୧୪ ତାରିଖରେ ଆଉଟରିଚ ପକ୍ଷରୁ ଅନୁଷ୍ଠିତ ହେବ ଦେଶର ଏକମାତ୍ର ରେଡିଓ ମେଳା। ଷଷ୍ଠ ଥର ପାଇଁ ବିଶ୍ବ ରେଡିଓ ଦିବସ ଅବସରରେ ଏହି ମେଳା ଆେୟାଜିତ ହେଉଛି ବୋଲି ଆୟୋଜକ ସଂସ୍ଥାର ମୁଖ୍ୟ ସୁବ୍ରତ କୁମାର ପତି ସୂଚନା ଦେଇଛନ୍ତି। ଏହି ମେଳାରେଦେଶ ବିଦେଶର ବହୁ ରେଡିଓ ଷ୍ଟେସନ ସାମିଲ ହେବେ। ଶହଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ, ଗ୍ରାମଫୋନ ସହ ହାମ୍ ରେଡିଓର ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିବ। ଜାପାନ, ଆମେରିକା ଓ ବାଂଲାଦେଶର ରେଡିଓ ଷ୍ଟେସନ ମେଳାରେ ସାମିଲ ହେବେ। ଏଥର ଅନ୍ତର୍ଜାତୀୟ ରେଡିଓ ମେଳାରେ ସାମିଲ ହେବେ ବିଭିନ୍ନ ରାଜ୍ୟର ଲାଇସେନ୍ସପ୍ରାପ୍ତ ହାମ୍ ରେଡ଼ିଓ ଅପରେଟର। ଏହି ଅପରେଟରମାନେ ହାମ୍ ରେଡିଓ ସମେତ ଜରୁରୀକାଳୀନ ରେଡିଓର ପ୍ରଦର୍ଶନ କରିବେ। ରେଡିଓ ମେଳାର ସବୁଠାରୁ ବଡ ଆକର୍ଷଣ ହେଉଛି ଶହଶହ ସଂଖ୍ୟାରେ ପ୍ରଦର୍ଶିତ ହେଉଥିବା ପୁରୁଣା ରେଡିଓ। ବୋଲଗଡର ଅକ୍ଷୟ ପଟ୍ଟନାୟକ, ଭୁବନେଶ୍ୱରର ସଞ୍ଜିବ ମାନା, କଟକର କାଳୀପ୍ରସନ୍ନ ପଣ୍ଡା ଓ ସନ୍ତୋଷ ବିଶ୍ୱାଳଙ୍କ ୪ ହଜାରରୁ ଅଧିକ ରେଡିଓ ଏଠାରେ ପ୍ରଦର୍ଶିତ କରିବେ। ରେଡିଓ ମେଳାରେ ଛାତ୍ରଛାତ୍ରୀଙ୍କ ପାଇଁ ରଖାଯାଇଛି ବିଭିନ୍ନ ପ୍ରକାର ପ୍ରତିେଯାଗିତା ଅନୁଷ୍ଠିତ ହେବ। ଦେଶର ଅନ୍ୟତମ ଲୋକପ୍ରିୟ ରେଡ଼ିଓ ଜକି ମାଇଁ ଏଫଏମ ଜୟପୁରର ଆରଜେ କାର୍ତ୍ତିକ ରେଡ଼ିଓ ମେଳାରେ ଯୋଗ ଦେବା ସହ ରେଡ଼ିଓରେ କ୍ୟାରିୟର କରିବାକୁ ଚାହୁଁଥିବା ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବେ। ରେଡ଼ିଓ ମେଳା ଅବସରରେ ୨୦୧୯ ମସିହା ପାଇଁ ଆରଜେ କାର୍ତ୍ତିକଙ୍କୁ ଲୋକପ୍ରିୟ ରେଡ଼ିଓ ପ୍ରସାରକ, ପଶ୍ଚିମବଙ୍ଗର ସିଦ୍ଧାର୍ଥ ଭଟ୍ଟାଚାର୍ୟ୍ୟଙ୍କୁ ଶ୍ରେଷ୍ଠ ଶ୍ରୋତା ଓ ଆସାମର ରେଡ଼ିଓ ବ୍ରହ୍ମପୁତ୍ରକୁ ଶ୍ରେଷ୍ଠ କମ୍ୟୁନିଟି ରେଡ଼ିଓ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଶ୍ରୀ ପତି କହିଛନ୍ତି।

Comments are closed.