ବାବୁଜୀ ଆଜ୍ଞା !

ସତ୍ୟବାଦୀର ସାଧକ, ଶତାୟୁ-ପ୍ରତିଭା ପୁରୁଷ ବାବୁଜୀ ଆଜ୍ଞା

କୋଟି ଦଣ୍ଡବତ କଲେ ବି ମନ ମାନୁନି। ରକ୍ତମାଂସ ମଣିଷ ଦିହରେ ତମେ ଦେବତାଟେ ବନିଗଲ। ମା’, ମାଟି ଓ ଗୁରୁର ଋଣ ସବୁକାଳେ ଅଶୁଝା। ମାତ୍ର ତମେ ତମ ଗୁରୁଙ୍କ ଋଣ କେବଳ ଶୁଝିଲନି, ନିଜ ମା’ ମାଟିକୁ ତମଠେଇ ଋଣୀ କରିଦେଇଗଲ। ତମ ଗୁରୁ​‌ ଗୋପବନ୍ଧୁ ତମ ଉପରେ ତାଙ୍କର ସ୍ନେହ, ଆଶୀର୍ବାଦ କୁଢ଼େଇ ପକେଇଥିଲେ। ନ ହେ​‌ଲେ କି ତମେ ତାଙ୍କୁ ବଳିଗଲା ପରି ହୋଇଥାନ୍ତ! ତାଙ୍କ ରକ୍ତ ନିଗିଡ଼ା ‘ସମାଜ’ ଖବର କାଗଜକୁ ‘ସାପ୍ତାହିକ’ କରିଥିବା ବେଳେ ସେ ଆରପାରି ଡକରା ପାଇ ଚାଲିଗଲେ, ମୋଟେ ୫୨ ବର୍ଷ ବୟସ ହୋଇଥିଲା। ଶେଷ ଶଯ୍ୟାରେ ଶେଷ ମୁହୂର୍ତ୍ତରେ ସେ ତାଙ୍କ ପ୍ରିୟ ‘ସମାଜ’କୁ ଲୋକସେବକ ମଣ୍ଡଳ ହାତରେ ଟେକିଦେଇ ଗଲେ ଓ ତାଙ୍କ ଚଉପାଖର ଏତେ ଲୋକଙ୍କ ମଧ୍ୟରେ ତମ ନାଁ ହିଁ କେବଳ ତାଙ୍କୁ ଦିଶିଲା ଓ ‘ସମାଜ’ ଗଢ଼ିବାକୁ, ବଢ଼େଇବାକୁ ତମକୁ ସେ ନିର୍ଦ୍ଦିଷ୍ଟ ଦାୟିତ୍ବ ଦେଇଯାଇଥି​‌ଲେ। ଗୁରୁପ୍ରାଣ ତମେ, ଗୋପବନ୍ଧୁଙ୍କ ଅମରତ୍ବ ରାସ୍ତାକୁ, ଆହୁରି ଉଜ୍ଜ୍ବଳ, ଆହୁରି ପ୍ରେରଣାପ୍ରଦ ଉତ୍ତରପିଢ଼ି ପାଇଁ କରିଦେଲ। ବିବେକାନନ୍ଦ ନ ଥିଲେ ରାମକୃଷ୍ଣ, ଶିବାଜି ନ ଥିଲେ ରାମଦାସ, ଚୈତନ୍ୟ ନ ଥିଲେ ଈଶ୍ବରପୁରୀ ଓ ଆଲେକ୍‌ଜାଣ୍ଡାର ନ ଥିଲେ ଆରିଷ୍ଟୋଟଲ କୋଉ ଅମରତ୍ବ, ଭୁବନବ୍ୟାପୀ ଅଖଣ୍ଡ ଯଶ ପାଇଥାନ୍ତେ? ‘ସମାଜ’ ପାଇଁ ସେ ତା ପୂର୍ବରୁ ଆରମ୍ଭ କରିଥିବା ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକାକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ‘ସତ୍ୟବାଦୀ’ ସାହିତ୍ୟ, ସଂସ୍କୃତି ଓ ବୌଦ୍ଧିକତାର ବିକାଶ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ‘ସମାଜ’ ତ ବ୍ରିଟିଶ କେଶରୀ ପାଇଁ ନିଆଁହୁଳା ଥିଲା। ଏ ଦେଶକୁ ସ୍ବାଧୀନତା ଆଣିବାକୁ, ଏ ଦୁର୍ବଳ ଓ ଅଚେତନ ଜନତାକୁ ସବଳ ଓ ସଚେତନ କରିବାକୁ ‘ସମାଜ’ ଏକ ବ୍ୟାୟାମଶାଳା, ଏକ ବାରୁଦ ଘର ଥିଲା। ଦୁଇଟି ପତ୍ରିକା ମଧ୍ୟରୁ ତେଣୁ ସେ ‘ସମାଜ’କୁ ବାଛିଲେ। ମଉଳି ପଡ଼ିଲା ‘ସତ୍ୟବାଦୀ’ ଓ ‘ସତ୍ୟବାଦୀ ବନବିଦ୍ୟାଳୟ’। ତାଙ୍କର ଏ ଆଘାତକୁ ତମେ ଯେମିତି ବୁଝିଥିଲ ଆଉ କିଏ କାଇଁ ଥିଲା?
ଏବେ ‘ସମାଜ’ ତା’ର ଶହେବର୍ଷ ପୂର୍ତ୍ତି ବେଶ୍‌ ଧୁମ୍‌ଧାମରେ ପାଳନ କରୁଛି। ମାତ୍ର ଏ ସାପ୍ତାହିକ ସମ୍ବାଦପତ୍ରକୁ ତମେ ଦୈନିକ କେବଳ କରି ନ ଥିଲ, ଏକୁ ଦୀନ ଦରିଦ୍ର ଓ ନିଷ୍ପେଷିତଙ୍କ ମୁଖପତ୍ର ବନେଇଦେଇଥିଲ। ‘ସମାଜ’କୁ ବଢ଼େଇବାକୁ, ଆଜିର ବିଜ୍ଞାପନ ପ୍ରଲୋଭନକୁ ତମେ ଘୃଣା ହିଁ କରୁଥିଲ। ‘ସମାଜ’ ପ୍ରଥମ ପୃଷ୍ଠାର କେବଳ ଶତକଡ଼ା ୨୦ ଭାଗ ଅତି ବେଶିରେ ବିଜ୍ଞାପନ ପାଇଁ ତମେ ବହୁ କୁଣ୍ଠାରେ ଦେଇଥିଲ। ‘ସମାଜ’ ଅଭାବରେ ପଡ଼ିଲାବେଳେ ନିଜ ସ୍ତ୍ରୀଙ୍କ ଗହଣା ସିନା ବନ୍ଧା ପକେଇଥିଲ, କୋଉ ପୁଞ୍ଜିପତି, କୋଉ କ୍ଷମତାସୀନଙ୍କ ଦ୍ବାର ମାଡ଼ି ନଥିଲ। ସ୍ବାଧୀନତା ପାଇଁ ସୁଭାଷ ବୋଷ ରକ୍ତ ମାଗିଲା ପରି, ତମେ ସମାଜ ପାଇଁ ସତରେ ରକ୍ତ ନିଗାଡ଼ି ଦେଇଥିଲ। ନୀତି ସହ ତମର ସାଲିସ କାହିଁ ହେଲା? ତମେ ନ ଥିଲେ, କେତେ ‘କାଗଜ’ ଲୀନ ହେଲାପରି ‘ସମାଜ’ ଯେ ହୋଇ ନ ଥାନ୍ତା କିଏ କହିବ? ବିଜୁବାବୁଙ୍କ କଳିଙ୍ଗ, ବୀରେନ ମିତ୍ରଙ୍କ ଜନଶକ୍ତିକୁ କାଳ ସହିଲାନି। କ୍ଷମତା ଓ ଦୁର୍ନୀତି ସହ ଲଢ଼େଇର ଯେଉଁ ମନ୍ତ୍ର ତମ ଗୁରୁ ଗୋପବନ୍ଧୁ ଦେଇ ଯାଇଥିଲେ, ତାକୁ ତମେ ‘ସମାଜ’ ଯାତ୍ରା ପଥରେ ସାମିଲ କରିଦେଲ। ତମେ ‘ସମାଜ’କୁ ସ୍ବାର୍ଥାନ୍ଧ, ଦୁର୍ନୀତିଗ୍ରସ୍ତ କ୍ଷମତାଧାରୀଙ୍କ ପାଇଁ ନିଆଁହୁଳା ବନେଇ ଦେଲ। ସେତେବେଳେ ହଇଚଇ ସୃଷ୍ଟି କରିଥିବା ‘ଦଶହରା ଭେଟି’ରେ କବି ପରା ଲେଖିଲେ, ‘‘ଥରେ ବାବୁ ରାଧାନାଥ, ହାତେ ଧରି ତାଙ୍କ ‘ସମାଜ’ ବେତ, ବୁଲି ଆସନ୍ତା କି ଗଡ଼ଜାତ ମଣିମା ହେ’’। ‘ସମାଜ’ ପୋଡ଼ା ଯାଇଛି, ମାଲିମୋକଦ୍ଦମାରେ ତମକୁ ଛନ୍ଦା ଯାଇଛି, ବୋମାମାଡ଼ ହୋଇଛି। ତଥାପି ତମେ କୁ ଟଳିଲ ନା ଡରିଲ? ‘ସମାଜ’ରେ ତମେ ନିତି ଗୋପବନ୍ଧୁଙ୍କୁ ପ୍ରତିଧ୍ବନିତ କରୁଥିଲ। ଗୋପବନ୍ଧୁଙ୍କ ମୂର୍ତ୍ତି ଏବେ ସାରା ଓଡ଼ିଶାରେ ବ୍ୟାପ୍ତ। ଏ ସବୁ ମୂର୍ତ୍ତି ଶତକଡ଼ା ପଞ୍ଚାନବେ ‘ସମାଜ’ ଦ୍ବାରା ପ୍ରଦତ୍ତ। ତମେ ତମ ଗୁରୁ ଗୋପବନ୍ଧୁଙ୍କ ମୂର୍ତ୍ତି ଗଢ଼ାଇ ସର୍ବଦା ମହଜୁଦ୍‌ ରଖୁଥିଲ ଓ ବିନା ମୂଲ୍ୟରେ ଲୋକଙ୍କୁ, ଅନୁଷ୍ଠାନକୁ ଦେଉଥିଲ। ତା’ ଫଳରେ ଗୋପବନ୍ଧୁଙ୍କ ମୂର୍ତ୍ତି ପ୍ରତିଷ୍ଠା ଏଭଳି ପ୍ରସାର ଲଭିଲା। ତମ ଗୁରୁପ୍ରାଣତାର ପଟାନ୍ତର କାଇଁ? ସବୁ ଅନୁଷ୍ଠାନ ପ୍ରତିଷ୍ଠା ବେଳେ ତମ ଗୁରୁଙ୍କ ସ୍ମୃତି ସେଥିରେ ରହୁ, ୟେ ଥିଲା ତମ ପ୍ରବଣତା। ତମ ଜନ୍ମଭୂମି, କର୍ମଭୂମି ଆଠଗଡ଼ରେ କଲେଜ ପ୍ରତିଷ୍ଠା ପାଇଁ ବହୁ ବିଶିଷ୍ଟ ଲୋକ ଓ ତମର ଅନୁଗତମାନେ ‘ସମାଜ’ କାର୍ଯ୍ୟାଳୟକୁ ଆସି ଆଠଗଡ଼ରେ କଲେଜ ହେବ ଓ ତା’ ତମ ନାମରେ ହେବ ବୋଲି ଯେତେବେଳେ ପ୍ରସ୍ତାବ ଆସିଲା ତମେ ନିଆଁବାଣ ହୋଇଗଲ। କ୍ରୋଧର କାରଣ ଏମାନେ ପହିଲେ ବୁଝି ପାରିଲେନି। ‘‘ମୁଁ କି ଲୋକଟେ, ମୋ ନାଁରେ କଲେଜ ହେବ? ମୁଁ ଆଦୌ ଏଥିରେ ରାଜି ନାହିଁ ବା ଏଥିପାଇଁ କଡ଼ାଏ ବି ସାହାଯ୍ୟ ଦେବିନି। ମୋ ଗୁରୁଙ୍କ ନାଁରେ ତାହା ପ୍ରତିଷ୍ଠା ହେଲେ, ମୁଁ ସମସ୍ତ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛି। ମୋ ଗୁରୁଙ୍କ ସ୍ମୃତିରକ୍ଷା ହେଉ, ସ୍ତୁତି ଗାନ ହେଉ’’ ଏ କଥା କହିଲାବେଳେ ତମ ଆଖି ଲୁହ ଛଳଛଳ ହୋଇପଡ଼ିଥିଲା। ସ୍ତବ୍ଧ ହୋଇଗଲେ ସେଦିନର ପ୍ରତିନିଧି ଦଳ। ଆଠଗଡ଼ରେ ପ୍ରତିଷ୍ଠା ହେଲା ଗୋପବନ୍ଧୁ ବିଜ୍ଞାନ କଲେଜ। ୟେ ତ ଗଲା ତମ ଗୁରୁପ୍ରାଣତାର ଛୋଟ କଥାଟିଏ। ତମେ ଢେର କ୍ରୋଧୀ ଥିଲ, ଜଳନ୍ତା ଲୁହା ପରି ଦାଉଦାଉ ହୋଇ ଉଠୁଥିଲେ ବି ଲହୁଣି ପରି କୋମଳ ଓ ଶୀତଳତା ତମ ବ୍ୟକ୍ତିତ୍ବର ଏକ ଅସାଧାରଣ ବିଭାବ ଥିଲା। ତମେ ପ୍ରଚଣ୍ଡ ରାଗୀ ବୋଲି ତମ ଆଦରର କର୍ମୀଙ୍କଠେଇ ବି ଢେର ଡର ଥିଲା। ମାତ୍ର ସେମାନେ ବୁଝିଥିଲେ, ‘‘ଟାଣ କଥା ଦେଖି ତରଛ ନାହିଁ, ନଡ଼ିଆ ଭିତର ଦେଖ ଛଡ଼ାଇ, ଶାମୁକା ଭିତରେ ରହିଛି ମୋତି, ତମ୍ବା ତାରେ ଜଳେ ବିଜୁଳିବତି।’’

କୃତଜ୍ଞତା ଓ ବିନମ୍ରତାର ଭାବ ଏ ପ୍ରଚଣ୍ଡ ଅଗ୍ନିପିଣ୍ଡ ଭିତରେ ଯେ ବେଶ୍‌ ପ୍ରତିଭାତ ହେଉଥିଲା, ତା’ ତମକୁ ବାହାରୁ ଦେଖି କିଏ ଜାଣିପାରିବ? ଆଠଗଡ଼ ଗୋପବନ୍ଧୁ କଲେଜ ପ୍ରତିଷ୍ଠାର ବହୁ ବର୍ଷ ପର୍ଯ୍ୟନ୍ତ ଏହାର ସ୍ଥାୟୀ କୋଠା ନିର୍ମାଣ ହୋଇ ନ ଥାଏ। ଏଥିପାଇଁ ବି ଆନ୍ଦୋଳନ ଚାଲିଥାଏ। ଆଠଗଡ଼ର କେତେକ ବିଶିଷ୍ଟ ବ୍ୟକ୍ତିଙ୍କର ଏକ ସଭା ତମେ ‘ସମାଜ’ କାର୍ଯ୍ୟାଳୟରେ ଡକାଇଲ। ଆଠଗଡ଼ ରାଜା ସ୍ବାମୀ ବିଦ୍ୟାନନ୍ଦ ସରସ୍ବତୀ ତାଙ୍କ ରାଜବାଟୀ ବିକିବାକୁ ଇଚ୍ଛୁକ ଓ ତମେ ରାଜାଙ୍କୁ ଏହା ବିକିବାକୁ ପ୍ରସ୍ତାବ ଦେବା ପାଇଁ ସେଠି ଥିବା କେତେକ ବିଶିଷ୍ଟ ଲୋକ ପ୍ରସ୍ତାବ ଦେଲେ। ତମେ ରାଗରେ ଲାଲ ପଡ଼ିଗଲ। କହିଲ, ‘‘ମତେ ତମେ କ’ଣ ଭାବିଛ କି? ମୁଁ ଏକ ଦରିଦ୍ର ବ୍ରାହ୍ମଣ ପରିବାରରୁ ଆସିଛି। ଆଠଗଡ଼ ରାଜା ବିଶ୍ବନାଥଙ୍କ ନିମନ୍ତ୍ରଣରେ ଆମେ ପୁରୀ ବୀରହରେକୃଷ୍ଣପୁରରୁ ଆସି ସେଠାରେ ଜମିବାଡ଼ି ପାଇଥିଲୁ। ତାଙ୍କ ପାଖେ ଆମେ କୃତଜ୍ଞ। ମାତ୍ର କାଳର ବିଡ଼ମ୍ବନା, ସ୍ବାଧୀନତା ଓ ପ୍ରଜାମଣ୍ଡଳ ଆନ୍ଦୋଳନ ହେଲା। ଆମକୁ ତା’ର ନେତୃତ୍ବ ନେବାକୁ ପଡ଼ିଲା ଓ ପରିଣାମରେ ରାଜା ତାଙ୍କ ଗାଦି ହରାଇଲେ। ସମୟର ବିଚିତ୍ର ବିଧାନରେ ଆମେ ମନ୍ତ୍ରିପଦ‌େ​ର ଅବସ୍ଥାପିତ ହେଲୁ। ସେହି ରାଜାଙ୍କ ରାଜ୍ୟ ନେବା ପରେ ତାଙ୍କ ରାଜବାଟୀକି ବିକିବାକୁ ତାଙ୍କୁ ମୁଁ କହିପାରିବି ନାହିଁ। ମୁଁ କଲେଜ ପରିଚାଳନା ସମିତି ସଭାପତି ପଦରୁ ଇସ୍ତଫା ଦେଉଛି।’’ ଚଉକି ଛାଡ଼ି ଉଠିଯାଉଥିଲେ। ସେଠି ସେତେବେଳେ ପୁରୀ ଜିଲାପାଳ, ଆଠଗଡ଼ବାସୀ ଓ ତମର ଜଣେ ବନ୍ଧୁ ଶ୍ରୀ ସଚ୍ଚିଦାନନ୍ଦ ରଥ ଉପସ୍ଥିତ ଥାଆନ୍ତି। ସେ ତୁରନ୍ତ ହସ୍ତକ୍ଷେପ କଲେ। କହିଲେ, ‘‘ଆପଣଙ୍କ ଭାବକୁ ଆମେ ଗ୍ରହଣ କରୁଛୁ। ଏ ବିଷୟରେ ଉଦ୍ୟମ ଆମେ କରିବୁ।’’ ଅନ୍ୟମାନଙ୍କ ଅନୁରୋଧରେ ପୁରୀରେ ଅବସ୍ଥାନ କରୁଥିବା ଓ ରାଜପରିବାର ସହ ପାରିବାରିକ ବନ୍ଧୁତା ଥିବା ଶ୍ରୀ ସଚ୍ଚିବାବୁ ରାଜା ବିଦ୍ୟାନନ୍ଦ ସରସ୍ବତୀ ଓରଫ୍‌ ରାଧାନାଥ ଦେବବର୍ମାଙ୍କ ସହ ଆଲୋଚନାକରି ବିକ୍ରି ଚୂଡ଼ାନ୍ତ କଲେ। କଲେଜ ରାଜବାଟୀକୁ ଉଠିଆସିଲା। ସେଦିନୁ ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ବିତିଗଲାଣି। ତମ ବିନମ୍ର ଓ କୃତଜ୍ଞତା ଭାବରେ ସେମାନେ ସେଦିନ ବିମୋହିତ ହୋଇଯାଇଥିଲେ। ଏମିତି କେତେ କଥା କହିଲେ ସରିବନି। ଅବଶ୍ୟ ଚୁକ୍ତିମୁତାବକ ଅର୍ଥ ଆଜି ସୁଦ୍ଧା ଏ ଅସହାୟ ରାଜ ଉତ୍ତରାଧିକାରୀମାନଙ୍କୁ ମିଳିପାରିନି। ଏ ଖମ୍ବରୁ ସେ ଖମ୍ବ ସେମାନେ ଧାଉଁଛନ୍ତି। ଛାଡ଼ନ୍ତୁ ସେକଥା।

ଜଣେ ରାଜନୀତିଜ୍ଞ ଭାବେ ପ୍ରତିପକ୍ଷ ଓ ବିରୋଧୀମାନଙ୍କୁ ଅଧିକ ସମ୍ମାନ କରିବା ତମ ବ୍ୟକ୍ତିତ୍ବ ଓ ଉଦାରତାର ଆଉ ଏକ ଅସାଧାରଣତ୍ବ ଥିଲା। ତମେ ଆଠଗଡ଼ ବିଧାୟକ ଥାଅ। ପୂର୍ବରୁ ତ ଅର୍ଥ, ସ୍ବାସ୍ଥ୍ୟ, ବିକାଶ ଓ ଜଙ୍ଗଲ ଆଦି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲ। ବ୍ୟସ୍ତବହୁଳ ଜୀବନ ତମର। ଆଠଗଡ଼ରୁ ତମ ଅନୁଗତ ଓ ଏକାନ୍ତ ଦଳେ ଲୋକ ପହଞ୍ଚିଲେ। ‘‘ବାବୁଜୀ ସମ୍ପାଦକୀୟ ଲେଖୁଛନ୍ତି ଅପେକ୍ଷା କର’’ ବୋଲି ଜଣେ ଏମାନଙ୍କୁ କହିଲା। ସମ୍ପାଦକୀୟ ଲେଖାବେଳେ ତମକୁ ସାକ୍ଷାତ ମନା। ମାତ୍ର ତମର ଜଣେ ଘୋର ବିରୋଧୀ ହଠାତ୍‌ ସେଠି ପହଞ୍ଚିଲେ। ତମ ପାଖକୁ ଖବର ଗଲା। ତମେ ତାଙ୍କୁ ତୁରନ୍ତ ଡକାଇ ତାଙ୍କ କାମ ମଧ୍ୟ କରିଦେଲ। ସେ ତମ ପାଖୁ ଫେରିଗଲା ବେଳେ ଏମାନଙ୍କ ଆଡ଼େ ଚାହିଁ ତାଚ୍ଛଲ୍ୟ କରି କହିଲେ, ‘‘ଖୋସାମତିଆଦଳ ବସିଥା, ଆମେ ମୁହୂର୍ତ୍ତକ ମଧ୍ୟରେ କାମ କରି ଫେରିଲୁ। ଖୋସାମତ ଆମକୁ ଆସେନି।’’ ଏମାନେ ବାସ୍ତବିକ ଅପମାନିତ ବୋଧ କଲେ। ଘଣ୍ଟେ ପରେ ବି ସେ ଆସି ଦେଖା ହୋଇଯିବା କଥାଟା ଏମାନେ ଗ୍ରହଣ କରି ପାରିଲେନି। ମନଦୁଃଖ ହେଲା। ପ୍ରାୟ ଆଉ ଘଣ୍ଟାଏ ପରେ ଏମାନଙ୍କୁ ଡକରା ଆସିଲା। ସମସ୍ତେ ବଡ଼ ଉଦାସ ଜଣାପଡ଼ୁଥାନ୍ତି। ତମେ କିଛି ଗୋଟେ ଅସୁବିଧା ହୋଇଥିବା ଅନୁମାନ କରି ପଚାରିଲ, ‘‘କ’ଣ ହୋଇଛି? ସମସ୍ତେ ଏତେ ଉଦାସ ଓ ମୌନ।’’ ଜଣେ ତା’ ଭିତରୁ କହିଲେ, ‘‘ଆଜ୍ଞା ସେ ଲୋକଟି ଆପଣଙ୍କର ଘୋର ବିରୋଧୀ। ଆମମାନଙ୍କ ନାଁରେ ନିର୍ବାଚନ ବେଳେ ସେ ଥାନାରେ ଏତଲା ଦେଇଥିଲା ଓ ବେଜିତ୍‌ କରିଥିଲା। ମାତ୍ର ତାକୁ ଆପଣ ତୁରନ୍ତ ସାକ୍ଷାତ ଦେଲେ, ଅଥଚ ଆମେ ଦୁଇ ଘଣ୍ଟାକାଳ ବସି ରହିଛୁ। ସେ ଆମକୁ ତାଚ୍ଛଲ୍ୟ କଲା।’’ ହସିଲ ତମେ। ସମସ୍ତଙ୍କୁ ଖାଇବାକୁ ନିମନ୍ତ୍ରଣ କରିବା ବେଳେ କହିଲ, ‘‘ଆରେ ସେ ଆମ ବଇରି ପୁଣି ଅତିଥି। ତାଙ୍କ ମନରେ ଧାରଣା ନ ହେଉ ଯେ, ଜାଣିଶୁଣି ତାଙ୍କୁ ଏଠି ଘଣ୍ଟାଏ ବସାଇ ଦିଆଗଲା। ତା’ ପରେ ନକାରାତ୍ମକ ଭାବର ଜଣେ ଏଠି ଯେତିକି ସମୟ ବସିବ, ସେମିତି ମଇଳା ଭାବ ଏଠି ବିଚ୍ଛୁରିତ ହେବ। ମୋ କାର୍ଯ୍ୟ ଗୁରୁତ୍ବ କିଛି ବ୍ୟାହତ ହେଲା, ମାତ୍ର ତାଙ୍କୁ ତୁରନ୍ତ ବିଦାକରିଦେଇ ମୁଁ ଆଶ୍ବସ୍ତ ଓ ଖୁସି ବି ହେଲି। ତମେ ମୋ ପରିବାର ଲୋକ। ମୋ କାର୍ଯ୍ୟ ବ୍ୟସ୍ତତାକୁ ତମେ ସହିନେବ, ମୁଁ ଜାଣେ। ହଉ ଆସ ଖାଇବା।’’ ୟେ ହେଲା ତମ ଭାବ। ଦଶ ମିନିଟ ପୂର୍ବରୁ ବିରକ୍ତ, ବିରିବିରି ହେଉଥିବା ତମ ଏ କର୍ମୀଗୁଡ଼ା ସେଦିନ ଏ କଥାରେ ଏମିତି କୁତୁକୁତୁ ପୂର୍ବରୁ ବି କେବେ ହୋଇ ନ ଥିଲେ। ମଣିଷ ମନକୁ, ତମ ଗୁରୁଙ୍କ ଭଳି ତ​‌ମେ ଏମିତି ଛୁଇଁ ପାର, ତା’ର ଆଉ ଉଦାହରଣ କାଇଁ? ଯେ ତମ ପାଖୁ ଆସିଲା ତାକୁ ପଚାର ‘‘କ’ଣ ଖାଇଚ?’’ କିଛି ନ ଖୁଆଇ ବି କାହାକୁ ଛାଡ଼ନି।

ତମ କଥା କହିଲେ ସରିବନି। ‘ସମାଜ’ ତ ତମ ପ୍ରାଣ ଥିଲା। ଆଉ ୟା’ର କର୍ମଚାରୀମାନେ ତମର ରକ୍ତର ସମ୍ପର୍କ ଯେମିତିକା! ‘ସମାଜ’ ବିଳମ୍ବରେ ବାହାରିଲା କି କିଛି ଅବହେଳା ବାରି ପାରିଲ ତ, ଗାଳି ପାଟି ଯେ କାହିଁରେ କ’ଣ। କୈଫିୟତ, ଦରମା କାଟ ଆଦି ଦଣ୍ଡ ତମ ବିଚାରରେ ନ ଥିଲା। ସକାଳେ ଭର୍ତ୍ସନା କରିଥିବା କର୍ମଚାରୀଙ୍କୁ ସନ୍ଧ୍ୟାରେ ମିଠା ଖୁଆଉଥିଲ। ଆଜିର ୟୁନିଅନବାଜି କିନ୍ତୁ ‘ସମାଜ’କୁ ଛୁଇଁ ପାରି ନ ଥିଲା। ଥରେ ‘ସମାଜ’ ବିଳମ୍ବରେ ବାହାରିଲା ତମେ ରୁଷିଲ, ଖାଇଲନି। ସେତିକିରେ କର୍ମଚାରୀମାନେ ସାବାଡ଼। ତମ ପାଖୁ ସମସ୍ତେ ଆସି କ୍ଷମା ମାଗିଲେ। କି କାନ୍ଦ ତମର ଓ ତାଙ୍କର! କାଇଁ ସେ ଭାବ ଆଜି! ଆମେ କିଏ ଅନଶନ କଲେ, ଛୁପି ଛୁପି ସେମାନେ ବୁଝୁଥିବେ ‘‘ବୁଢ଼ା ମଲା କି ନାହିଁ?’’ ଛାଡ଼ନ୍ତୁ ସେ ସବୁ କଥା। ଏବେ ତ ଅବସ୍ଥା ‘‘ନଈକେ ବାଙ୍କ ଦେଶକେ ଫାଙ୍କ’’।

ଶହେ ବର୍ଷ ପୂର୍ତ୍ତି ଉତ୍ସବମୁଖର ମଧ୍ୟରେ, ତମ ମୁହଁ ହିଁ କେବଳ ଗୋପବନ୍ଧୁଙ୍କ ପାଖେ ଆପେ ଆପେ ଫୁଟି ଉଠୁଥିଲା। ଗୁରୁପ୍ରାଣ ତମେ। ଗୌରବ ଓ ଐଶ୍ବର୍ଯ୍ୟରେ ଗରୀୟାନ, ଅମର, ଅଜର। ସ୍ବର୍ଗରୁ ଆମକୁ ଗାଳିଦିଅ ପଛେ, ରୁଷିବନି ‘ପ୍ଲିଜ’। ଆଜି ତମର ଏ ବାହୁଡ଼ା ଦିନରେ, ଆମ ଲୁହ ତମ ପାଦ ଧୋଉ।

Comments are closed.