ଗୋପବନ୍ଧୁ ନର୍ସିଂ କଲେଜରେ ରାଥାନାଥ ଜୟନ୍ତୀ

ଗୁରୁଡିଝାଟିଆ : ଲୋକ ସେବକମଣ୍ଡଳ ଓ ‘ସମାଜ’ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ନର୍ସିଂ କଲେଜ ପରିସରରେ ମହାନ ମୁକ୍ତିସଂଗ୍ରାମୀ, ଶିକ୍ଷାବିତ୍, ରାଜନୀତିଜ୍ଞ, ପ୍ରବୀଣ ସାମ୍ବାଦିକ ପଦ୍ମଭୂଷର ଡଃ ରାଧାନାଥ ରଥଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି । ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କୁ ନବଉତ୍କଳର ନିର୍ମାତା ବୋଲି କହିଥିଲେ । ପ୍ରତିକୂଳ ପରିବେଶ ଭିତରେ ଲଢେଇକରି ନିଜର ପ୍ରତିଭା ବଳରେ ସମାଜର ଶୀର୍ଷସ୍ଥାନରେ ପହଞ୍ଚିଥିଲେ ବାବୁଜୀ । ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ବର୍ଷବର୍ଷ ଧରି ଥିଲେ ମଧ୍ୟ କେବେହେଲେ କ୍ଷମତା ତାଙ୍କୁ ସ୍ପର୍ଶ କରିନଥିଲା । ଦୀନଜନ ଅସହାୟ ମଣିଷଙ୍କ ଓଠରେ ହସ ଫୁଟାଇବାରେ ଯେଭଳି ନିଜକୁ ସମର୍ପି ଦେଇଥିଲେ ଅନୁରୂପ ଭାବରେ ଅନ୍ୟାନ୍ୟ, ଅତ୍ୟାଚାର ଶୋଷଣ ବିରୋଧରେ ଲେଖନୀ ଚଳାଇ ଏବ ବ୍ୟବସ୍ଥିତ ସମତୁଲ ସମାଜ ଗଠନ ଦିଗରେ ସରକାରଙ୍କୁ ଚେତାଇଦେଉଥିଲେ । ତାଙ୍କର ନିଷ୍ଠା, ଏକାଗ୍ରତା, ସାଧୁତା, ନିସ୍କପଟ ଜୀବନଶୈଳୀ, ସେବାଭାବ ଓ ମାନବିକତା ମନୋଭାବ ବାବୁଜୀଙ୍କୁ ଉଚ୍ଚଆସନରେ ଅଧିଷ୍ଠିତ କରିବାରେ ସହାୟକ ହୋଇଥିଲା ବୋଲି ଡାକ୍ତର ଦାଶ କହିଥିଲେ ।

ଗୋପବନ୍ଧୁ ଚିକିତ୍ସାଳୟର ଉପ ପ୍ରବନ୍ଧକ ନିତ୍ୟ ସୁନ୍ଦର ସିଏ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ମହାନ ସ୍ୱାଧୀନତା ସଂଗ୍ରାମୀ, ଦେଶସେବକ, କୋଟି ଓଡିଆଙ୍କ ହୃଦୟକୁ ଜିଣିଥିବା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ଜୀବନାଦର୍ଶରେ ବିଦ୍ୟାର୍ଥୀମାନେ ଅନୁପ୍ରାଣିତ ହୋଇ ଭଲମଣିଷ ହେବା ପାଇଁ କହିଥିଲେ। ନର୍ସିଂ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ଜୟନ୍ତୀ ଉତ୍ସବରେ ଅଧ୍ୟକ୍ଷତା କରି ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ସଂଘର୍ଷମୟ ଜୀବନଚିତ୍ର,  ସ୍ୱାଧୀନତା ଆନ୍ଦୋଳନର ଗରିମାମୟ ଅଧ୍ୟାୟ, ସର୍ବୋପରି ସେବାକାର୍ଯ୍ୟ ଓ ସମାଜକୁ ମହାଦୃମରେ ପରିଣତ କରିବାର ଶୁଦ୍ଧ ସଂକଳ୍ପ ସଂପର୍କରେ ଆଲୋକପାତ କରି ବାବୁଜୀ ଥିଲେ ଗୁରୁଶିଷ୍ୟ ପରମ୍ପରାର ଶ୍ରେଷ୍ଠ ନିଦର୍ଶନ ବୋଲି କହିଥିଲେ। ପ୍ରାରମ୍ଭରେ ଶୁଭଶ୍ରୀ ମିଶ୍ର, ଆଦ୍ୟାରଶ୍ମୀ ସାହୁ, ଇତିଶ୍ରୀ ଥାଟୋଇ, ଶିବାନୀ ଜେନା,ଦେବଯାନୀ ଦାସ, ସ୍ୱାଗତିକା ବାରିକ ପ୍ରମୁଖ ନର୍ସିଂ ଛାତ୍ରୀମାନେ ବାବୁଜୀଙ୍କ ଗୌରବଜ୍ୱଳ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ସୁଧାସଞ୍ଜିବନୀ ଓ ତପସ୍ୱିନୀ ଗାଆଁଣଙ୍କ ସଂଯୋଜନାରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଶିକ୍ଷୟିତ୍ରୀ ରଞ୍ଜିତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.