‘ଭାରତରତ୍ନ ପାଇବାକୁ ଯୋଗ୍ୟ ରାଧାନାଥ’

ଡ. ରାଧାନାଥ ରଥ ଫାଉଣ୍ଡେସନ ପକ୍ଷରୁ ଜୟନ୍ତୀ ସମାରୋହ

ଶାନ୍ତି ଦେବୀ ପାଇଲେ ‘ରାଧାନାଥ ରଥ ସେବା ସମ୍ମାନ’

କଟକ : ରାଜନୀତିରେ ଜଣେ ଆଦର୍ଶ ବ୍ୟକ୍ତି ଥିଲେ ପଦ୍ମଭୂଷଣ ଡ. ରାଧାନାଥ ରଥ। ତାଙ୍କ ସାଧୁତା ଓ ସଚ୍ଚୋଟତା ବିରୋଧରେ କେହି କେବେ ସ୍ୱର ଉଠାଇ ନାହିଁ। ସମାଜସେବା, ସାହିତ୍ୟ, ସାମ୍ବାଦିକତା, ରାଜନୀତି ଆଦି କ୍ଷେତ୍ରରେ ସେ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ରାଧାନାଥ ରଥ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ବୋଲି ଡ. ରାଧାନାଥ ରଥ ଫାଉଣ୍ଡେସନ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନଠାରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି।
ଫାଉଣ୍ଡେସନର ଉପସଭାପତି ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହକୁ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଅସୀମାନନ୍ଦ ସରସ୍ୱତୀ ଉଦ୍‍ଘାଟନ କରି କହିଲେ, ଡ. ରାଧାନାଥ ରଥ ଥିଲେ ଜଣେ ବାଗ୍ମୀ, ଦେଶପ୍ରେମୀ ତଥା ପ୍ରଚଣ୍ଡ ସେବା ଭାବର ମହାନ୍‍ ବ୍ୟକ୍ତି। ସେ ଜଣେ ଅଭିମାନଶୂନ୍ୟ ପ୍ରତିଭାଦୀପ୍ତ ମଣିଷ ଥିଲେ। ତାଙ୍କର ପ୍ରତିଭା ନିକଟରେ ସବୁ କିଛି ନିଷ୍ପ୍ରଭ ବୋଲି ସ୍ୱାମୀଜୀ କହିଥିଲେ।
ମୁଖ୍ୟ ଅତିଥି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ରାଜନୀତିରେ ରାଧାନାଥଙ୍କ ଭଳି ରାଜନୀତିଜ୍ଞ ଭାରତବର୍ଷରେ ବିରଳ। ସେ କେବଳ ରାଜନୀତିଜ୍ଞ ନୁହନ୍ତି ପ୍ରବୀଣ ସାମ୍ବାଦିକ ଭାବେ ଓଡ଼ିଶାବାସୀଙ୍କ ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଯାଇଛନ୍ତି। ‘ସମାଜ’ରେ ତାଙ୍କ ଦ୍ୱାରା ଲିଖିତ ଝିଟିପିଟି କହେ ସ୍ତମ୍ଭ ବହୁତ ଶିକ୍ଷଣୀୟ। ସତକୁ ଆବିଷ୍କାର କରି ସେ ଖବରକାଗଜରେ ପ୍ରକାଶ କରୁଥିଲେ। ରାଧାନାଥଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଦାବି କରିବେ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଅବସରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ବିପିନ୍‍ ବିହାରୀ ମିଶ୍ର କହିଲେ, ରାଧାନାଥ ରଥ ସର୍ବଦା ଅସତ୍ୟ, ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ସାହିତ୍ୟ, ସାମ୍ବାଦିକତା, ସେବା, ପ୍ରଶାସନିକ କାର୍ଯ୍ୟ, ବନ୍ୟା, ବାତ୍ୟା ଆଦି ସମୟରେ ସେ ଅବିରତ କାମ କରୁଥିଲେ। ଏତେ ଗୁଣର ଅଧିକାରୀ ହୋଇ ବି ତାଙ୍କର ଗର୍ବ ନଥିଲା। ଡ. ରଥ ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ ବୋଲି ଶ୍ରୀ ମିଶ୍ର ମତ ଦେଇଥିଲେ। ସମ୍ମାନିତ ଅତିଥି ବିଧାୟକ ଇଂ ମହମ୍ମଦ ମୋକିମ ଡ. ରାଧାନାଥଙ୍କର ୭୫ ବର୍ଷର କର୍ମମୟ ଜୀବନ ଓଡ଼ିଶା ପାଇଁ ଉତ୍ସର୍ଗୀକୃତ ଥିଲା। ଓଡ଼ିଶାର ଗୋଡ଼ି, ମାଟି, ପାଣି, ପବନ ସହ ସେ ପରିଚିତ ଥିଲେ ବୋଲି କହିଥିଲେ।
ଡ. ରାଧାନାଥଙ୍କ ସୁକନ୍ୟା ଡ. ମନୋରମା ମହାପାତ୍ର ପିତାଙ୍କ ସ୍ମୃତିଚାରଣ କରି କହିଲେ, ମଣିଷ ଓ ନୈତିକତାକୁ ଭଲ ପାଉଥିବା ବ୍ୟକ୍ତି ଥିଲେ ବାବୁଜୀ। ତାଙ୍କ ନିକଟରେ ଥିଲା ଅଫୁରନ୍ତ ଗୁରୁଭକ୍ତି। ପଣ୍ଡିତ ଗୋପବନ୍ଧୁଙ୍କର ସେ ଥିଲେ ଉପଯୁକ୍ତ ଦାୟାଦ। କୌଣସି ଭେଦଭାବ ନ ରଖି ସମସ୍ତଙ୍କୁ ସେ ଭଲ ପାଉଥିଲେ। ନିଷ୍ଠା, ଏକାଗ୍ରତାରେ କାର୍ଯ୍ୟ କରୁଥିବା ଜଣେ ରାଜନୈତିକ ସନ୍ନ୍ୟାସୀ ରାଧାନାଥ ଥିଲେ ବୋଲି ଡ. ମହାପାତ୍ର କହିଥିଲେ। ଏହି ଅବସରରେ ସର୍ବୋଦୟ ନେତ୍ରୀ ତଥା ସମାଜସେବୀ ଶାନ୍ତି ଦେବୀଙ୍କୁ ‘ରାଧାନାଥ ରଥ ସେବା ସମ୍ମାନ’ ପ୍ରଦାନ କରାଯାଇଥିଲା। ତାଙ୍କୁ ୧୦ ହଜାର ଟଙ୍କା, ମାନପତ୍ର ଓ ଉତ୍ତରୀୟ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ଫାଉଣ୍ଡେସନର ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ ବିବରଣୀ ପାଠ ଓ ସଂଗଠନ ସମ୍ପାଦକ ଦ୍ୱୀପାୟନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ଣରେ ମୀରା ବେଉରାଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

Comments are closed.