ମାନବିକତାର ପ୍ରେରଣା ପଦ୍ମଭୂଷଣ ରାଧାନାଥ

ଧରାପୃଷ୍ଠରେ ଭୂମିଷ୍ଠ ହେଲାବେଳେ ଶିଶୁଟିଏ ପ୍ରଭୁଦତ୍ତ ଗୁଣ, ଶକ୍ତି ଓ ପ୍ରତିଭାର ଅଧିକାରୀ ହୋଇ ଆସିଥାଏ। ଏସବୁକୁ ଆଧାର କରି ସମୟଚକ୍ରରେ କିଏ କେତେମତେ ନିଜକୁ ପ୍ରତିଷ୍ଠିତ କରି ସୁନାମ ଅର୍ଜନ୍ତି। ସେ ଛୋଟ ବା ବଡ଼ ହୁଅନ୍ତୁ, ଜଣେ ବ୍ୟକ୍ତି ନିଜସ୍ବ ପ୍ରତିଭାରେ ଦୀପ୍ତିମାନ ହୋଇ କିଏ ଲେଖକ, କିଏ ସାହିତ୍ୟିକ, କିଏ ସମାଜସେବକ, କିଏ ବୈଜ୍ଞାନିକ, ଏମିତି କେତେ କ’ଣ ପରିଚିତି ଲଭନ୍ତି। ପୁନଶ୍ଚ ଜୀବନ ଜୀବିକା ନିମନ୍ତେ ମାର୍ଗ ଅନ୍ବେଷଣ କରି ପନ୍ଥା ନିର୍ଦ୍ଧାରଣ କରନ୍ତି। ଆଉ ବୃତ୍ତିଗତ ଜୀବନରେ ଭିନ୍ନଭିନ୍ନ ପେସାକୁ ଆପଣାନ୍ତି। ସେମାନଙ୍କଠି ଏସବୁ ପ୍ରତିଭା ବା ଶକ୍ତି ତ ଜନ୍ମଗତ ବା ସହଜାତ, ମାତ୍ର ମଣିଷପଣିଆ  କିନ୍ତୁ  ଭିନ୍ନ ଏକ ଭାବ। ଏଥିରେ ନଥାଏ ଦେଣନେଣର ଭାବ। ପାର୍ଥିବ ଉପଯୋଗିତା ଓ ଆବଶ୍ୟକତା ପାଇଁ ପ୍ରତିଭାର ଦାନ ବହୁ ଅଧିକ; କିନ୍ତୁ ମଣିଷପଣିଆ ସହ ପ୍ରତିଭା ତୁଳନୀୟ ନୁହଁ। ପ୍ରତିଭା ପ୍ରାରବ୍ଧଲବ୍ଧ ଏକଏକ ଶକ୍ତି। ମାତ୍ର ମଣିଷପଣିଆ, ଏଇ ସୃଷ୍ଟିର ନିର୍ଯାସ, ସାର, ଯାହା ସମସ୍ତଶକ୍ତିକୁ ଅତିକ୍ରାନ୍ତ କରିପାରେ। ଆଲେକ୍‌ଜାଣ୍ଡର, ବିଦ୍ୟାସାଗର, ଶିବାଜି, ସ୍ବାମୀ ବିବେକାନନ୍ଦ, ଯୋଗୀ ଶିବାନନ୍ଦଙ୍କ ପରି କେତେଜଣଙ୍କ ନାଁ ଜିଭ ଅଗକୁ ଆସେ। କାରଣ ଏମାନେ ସବୁ ଯେଡ଼େ ବିଦ୍ବାନ ବା ପାରିବାର ହୁଅନ୍ତୁ ନା କାହିଁକି, ମଣିଷପଣିଆରେ କେହି କାହାକୁ କମ୍ ନଥିଲେ।

ଥରେ ବିବେକାନନ୍ଦ ଚାଲିଚାଲି ଯାଉଥା’ନ୍ତି, ଦେଖିବାକୁ ପାଇଲେ ପଥପାର୍ଶ୍ବରେ ଜଣେ ପରିବାପତ୍ର ଆଦି ଜିନିଷ ବୋଝ ଧରି ଠିଆ ହୋଇ ମୁଣ୍ଡକୁ ଉଠାଇବାକୁ ବାରମ୍ବାର ଚେଷ୍ଟା କରୁଥିଲେ। ପଥଚାରୀମାନଙ୍କୁ ଟିକିଏ ହାତ ଲଗାଇ ମୁଣ୍ଡକୁ ଭାରଟା ଉଠାଇଦେବାକୁ ଯେତେ କାକୁତି ମିନତି କଲେ ବି କେହି ଶୁଣୁନଥା’ନ୍ତି। ବିବେକାନନ୍ଦଙ୍କୁ ସେ ସାହାଯ୍ୟ ଭିକ୍ଷା କରିବା ପୂର୍ବରୁ ସେ ଭାରଟିକୁ ତା’ମୁଣ୍ଡକୁ ଉଠାଇ ଦେଇଥିଲେ। କ୍ରମଶଃ ପ୍ରତିଦିନ ଏହି କାମ କରିବା ତାଙ୍କ ଅଭ୍ୟାସରେ ପଡ଼ିଗଲା। କିଛିଦିନ ପରେ ସ୍ବାମିଜୀ କୌଣସି କାର୍ଯ୍ୟବଶତଃ ବିଦେଶ ଚାଲିଗଲେ, ପୁଣି କିଛିଦିନ ଅନ୍ତେ ସେ ଫେରି ସେହି ମାର୍ଗଦେଇ ଯାଆନ୍ତେ ଲୋକଟି ତାଙ୍କୁ ଗାଳି ବେଜିତ୍ କରି, ଏପରିକି ମାରିବାକୁ ଉଠିଲା। ସେଠାରେ ରୁଣ୍ଡ ହୋଇଥିବା ଜନତା ଲୋକଟିକୁ କାହିଁକି ଗାଳି ଦେଉଛୁ ପଚାରିବାରୁ ସେ କହିଲା– ‘‘ଦେଖ, ଏ ଲୋକଟା ସବୁଦିନ ଆସି ମୋ ବୋଝ ମୁଣ୍ଡକୁ ଉଠାଇ ଦେଉଥିଲା, କେତେଦିନ ହେଲା କୁଆଡ଼େ ଗଲା ଯେ ମତେ କହିଲାନି, ମୁଁ କେତେ ହଇରାଣ ହେଲିଣି।’’ ‘‘ତୁ ତାଙ୍କ ସହିତ ଚୁକ୍ତି କରିଥିଲୁ କି ସେଥିପାଇଁ ଟଙ୍କା ଦେଉଥିଲୁ କି’’ ବୋଲି ଲୋକେ ପଚାରିବାରୁ ସେ କହିଲା, ‘‘ନାହିଁ ଯେ, ହେଲେ ସବୁଦିନ ବୋଝ ଉଠାଇ ଦେଉଥିଲା ନ ଆସିବାରୁ ମୁଁ ହଇରାଣ ହେଲି।’’ ତା’ର ଏପରି କଥାରେ ସ୍ବାମିଜୀ ସ୍ମିତ ହସଟିଏ ହସି କହିଲେ-‘‘ହଁ, ମୁଁ ରହୁନି ବୋଲି ମୋର କହିବା ଉଚିତ୍ ଥିଲା, ମୋର ଭୁଲ ହୋଇଯାଇଛି।’’ ଏଥିରେ ବୈଜ୍ଞାନିକତା, କାରିଗରୀ, ବା ଚାତୁରୀ କିଛି ନାହିଁ। ୟେ ହେଉଛି ଉଦାରତା, ଯାହା ମଣିଷପଣିଆ।

ସେମିତି ଥିଲେ ପଦ୍ମଭୂଷଣ ଡକ୍ଟର  ରାଧାନାଥ ରଥ, ଯାହାଙ୍କ ଭିତରେ ଥିବା ମଣିଷପଣିଆ ତାଙ୍କୁ ଚିରଞ୍ଜୀବୀ କରିଛିି ଏ ଜଗତରେ। ସେ ଏକାଧାରରେ ଜଣେ ସମାଜସେବକ, ପ୍ରବୀଣ ସାମ୍ବାଦିକ, ସାହିତ୍ୟିକ, ସୁବକ୍ତା, ରାଜନୀତିଜ୍ଞ, ଦୟାର୍ଦ୍ର ଚିତ୍ତ ମଣିଷ। ଏସବୁ ଯୋଗ୍ୟତା ଥିବା ବହୁ ବ୍ୟକ୍ତି ଥିଲେ ମଧ୍ୟ ତାଙ୍କର ମଣିଷପଣିଆ ତାଙ୍କୁ ସମସ୍ତଙ୍କଠାରୁ ଊର୍ଦ୍ଧ୍ବକୁ ନେଇଯାଇଥିଲା। ‘ସମାଜ’ ଅଫିସକୁ ଆସୁଥିବା ବହୁ ବ୍ୟକ୍ତି, ତାଙ୍କ ଶତ୍ରୁ ହେଉ ବା ମିତ୍ର ହେଉ ବା ତାଙ୍କୁ ଅଭିଯୋଗ କରିବାକୁ ଆସିଥିବା ହେଉ, ଦେଖିବାକ୍ଷଣି ପ୍ରଥମ ପ୍ରଶ୍ନ ‘‘କ’ଣ ବାପା ଖାଇଚ, କ’ଣ ଖାଇବ?’’ ପାଟିରେ କିଛି ନଦେଇ କେହି ତାଙ୍କ ପାଖୁ ଫେରିନି। ତା’ପରେ ଆଠଗଡ଼ ରାଜପ୍ରାସାଦ କିଣିବା ଘଟଣାରେ ରାଧାନାଥ ରଥଙ୍କ ପ୍ରତିକ୍ରିୟା କଥା ଶୁଣିଲେ, ତାଙ୍କ ମଣିଷପଣିଆ ଭାବ ବେଶ୍ ବାରି ହୋଇପଡ଼େ। ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ କଲେଜର ନିଜସ୍ବ ଘର ନଥିଲା। ଖୁଣ୍ଟୁକଟାରେ ଥିଲା। ମାତ୍ର ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କଲେ କଲେଜ ଘର କରାଯାଉ। ସେତେବେଳେ ରାଧାନାଥ ରଥ ଆଠଗଡ଼ ବିଧାୟକ ଥା’ନ୍ତି, ସେ ବଡ଼ ବ୍ୟସ୍ତ ହୋଇପଡ଼ିଲେ। ଲୋକମାନେ ତାଙ୍କୁ ପ୍ରସ୍ତାବ ଦେଲେ ରାଜପ୍ରାସାଦ ବିକିବା ପାଇଁ ରାଜା ଚାହୁଁଛନ୍ତି, ତେଣୁ କଲେଜ ପାଇଁ ଏହା କିଣିବାକୁ ଆପଣ ତାଙ୍କୁ ପ୍ରସ୍ତାବ ଦିଅନ୍ତୁ। ଏଥିରେ ସେ ଖୁବ୍ ରାଗିଯାଇ କହିଥିଲେ, ‘‘କ’ଣ ଆପଣମାନେ କହୁଛନ୍ତି? ମୁଁ ତାଙ୍କୁ ରାଜପ୍ରାସାଦ କିଣିବାକୁ କହିବି? ସମୟ ଥିଲା ସେମାନେ ରାଜଗାଦିରେ ଥିଲେ, ଆମମାନଙ୍କୁ ପଣ୍ଡିତ ଭାବେ ଆସୀନ କରି, ଆମକୁ ସମ୍ପତ୍ତିବାଡ଼ି ଦେଇଥିଲେ। ଆଜି ସମୟ ବଦଳି ଯାଇଛି, ରାଜଶାସନ ତାଙ୍କଠୁ ଛଡ଼ାଇ ନିଆଯାଇଛି, ଦୁର୍ଭାଗ୍ୟବଶତଃ ଆଜି ମତେ ନେତୃତ୍ବ ଦିଆଯାଇଛି ବୋଲି ତାଙ୍କର ପଦମର୍ଯ୍ୟାଦା ଆମେ ସବୁ ଭୁଲିଯିବୁ? ମୁଁ ସେସବୁ କରିପାରିବିନି।’’ ସତରେ କି ଉଦାରତା!

ଜନ୍ମ ନେବାର ଆଜିକୁ ୧୨୪ବର୍ଷ ବିତିଗଲାଣି ସେହି ମହାମନୀଷୀ ‘ସମାଜ’ର ପୂର୍ବତନ ସମ୍ପାଦକ ତଥା ପଦ୍ମଭୂଷଣ  ଡଃ ରାଧାନାଥ ରଥଙ୍କର, ଇହଲୋକ ତ୍ୟାଗ କରିବାର ବି ୨୨ବର୍ଷ ଅତିବାହିତ ହୋଇଗଲାଣିି। ମାତ୍ର ପାସୋରିପାରି ନାହାନ୍ତି ତାଙ୍କୁ ଏ ଓଡ଼ିଶାବାସୀ ଏ ଯାବତ୍। ‘ସମାଜ’ କାଗଜ କଥା ପଡ଼ିଲେ ପୁରୁଣା କଥାର ଖିଅସବୁ ଗୁରେଇତୁରେଇ ହୋଇ ଯୋଡ଼ିହୋଇଯାଏ ବାବୁଜୀଙ୍କ ସହିତ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ରୋପିତ ‘ସମାଜ’ ରୂପକ କ୍ଷୁଦ୍ର ଚାରାଟି ମାତ୍ର ନ’ବର୍ଷର ହୋଇଥିବା ବେଳେ ଇହଲୋକ ତ୍ୟାଗ କଲେ ସିନା ଦାସେ ଆପଣେ, ମାତ୍ର ତାଙ୍କର ସମସ୍ତ ସ୍ବପ୍ନକୁ ଚରିତାର୍ଥ କରିବା ଦିଗରେ ଅହରହ ନିମଗ୍ନ ରହି କ୍ଷୁଦ୍ର ଚାରା ‘ସମାଜ’କୁ ବଟବୃକ୍ଷରେ ପରିଣତ କରି ୧୦୨ବର୍ଷରେ ଦେହତ୍ୟାଗ କଲେ ବାବୁଜୀ। ବଟବୃକ୍ଷ ତଳେ ଆଶ୍ରିତ ଜନତା ଦାନାକନା ସହ ଆତ୍ମୀୟତାର ବନ୍ଧନରେ ବାନ୍ଧି ହୋଇଯାଇଥିଲେ। ତାଙ୍କ ବିୟୋଗରେ ସେମାନେ ପିତୃହରା ହେଲେ ସତେ ଯେମିତି। ଏବେ  ବି ‘ସମାଜ’ ବଟବୃକ୍ଷ ତା’ର କାୟା ବିସ୍ତାର କରିଚାଲିଛି ସତ; ମାତ୍ର ସେ ଭାବ, ସେ ଆତ୍ମୀୟତା, ସେ ମଣିଷପଣିଆ କାହିଁ? ଲୋକସେବକ ମଣ୍ଡଳର ସଭାପତି ଆସନ ଅଳଙ୍କୃତ କରିବା ସହିତ ‘ସମାଜ’ର ସମ୍ପାଦକ ଭାବେ ସର୍ବମୟକର୍ତ୍ତା ହେଲେ ମଧ୍ୟ କେହି ଅତିଥି ଅଭ୍ୟାଗତ ପହଞ୍ଚିଗଲେ, ଡାକପକାନ୍ତି: ‘‘ଲକ୍ଷ୍ମଣ, ହୋ  ଲକ୍ଷ୍ମଣ ଆମ ବନ୍ଧୁମାନଙ୍କୁ କିଛି ଖୁଆଇବ।’’ ଆରେ ସେ ତ ନିଜେ ‘ସମାଜ’ର ସର୍ବମୟ କର୍ତ୍ତା, ତାଙ୍କ ପାଖେ କର୍ମରତ ପୂଜାରୀକୁ ପୁଣି ନିବେଦନ କ’ଣ? ମାତ୍ର ୟେ ଥିଲା ତାଙ୍କର ମହାନତାର ଭାବ, ଅନ୍ୟକୁ ଉଚ୍ଚରେ ବସାଇ ସମ୍ବୋଧନ କରିବାରେ ତାଙ୍କର ଆନନ୍ଦ। ସେମାନେ ବି ତାଙ୍କୁ ସେମିତି ମାନୁଥିଲେ, ଝୁରୁଥିଲେ, ଡରୁଥିଲେ ଯେତିକି ଭକ୍ତି ଓ ଶ୍ରଦ୍ଧା ବି ଅର୍ପୁଥିଲେ ସେତିକି। ଏବେ ମଧ୍ୟ ଯେ କେହି ବୟୋଜ୍ୟେଷ୍ଠ ବ୍ୟକ୍ତି ‘ସମାଜ’ ଅଫିସ୍‌କୁ ଆସନ୍ତୁ ବା ଅଫିସ ସଂକ୍ରାନ୍ତ କୌଣସି କାର୍ଯ୍ୟ ନେଇ ଚିଠିଟିଏ ଲେଖନ୍ତୁ, ସେମାନେ ଯେ ଦିନେ ବାବୁଜୀଙ୍କୁ ଭେଟିଥିଲେ, ତାଙ୍କ ସାନ୍ନିଧ୍ୟ ଲାଭକରିବା ସହିତ ଆତିଥ୍ୟଗ୍ରହଣ କରି ଭୂରିଭୋଜନରେ ଅପ୍ୟାୟିତ ହୋଇଥିଲେ, ଏ ସମ୍ପର୍କରେ ବଖାଣିବାକୁ, ପାରାଟିଏ ଲେଖିବାକୁ ଭୁଲନ୍ତି ନାହିଁ। ଏହା ହିଁ ତାଙ୍କର ସ୍ନେହ ଶ୍ରଦ୍ଧା ଦୟା, ବିନୟତା, ମଣିଷପଣିଆ ଆଦି ଭାବ ସାଧାରଣ ମଣି‌ଷ ଦେହରେ ଲେପି ହୋଇଯାଏ। ତା’ରି ବଳରେ ହିଁ ସେ ସମସ୍ତଙ୍କ ହୃଦୟକୁ ନିଜ ଭିତରେ ଆବୋରିଥା’ନ୍ତି। ଯାହା ଆଜି ତାଙ୍କର ଅବର୍ତ୍ତମାନରେ ବି ଲୋକଙ୍କ ମନ, ମୁନ, ଚୈତନ୍ୟରେ ଭାବାନ୍ତର ସୃଷ୍ଟି କରୁଛି।

‘‘ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ବର’’ ଆପ୍ତ ବାକ୍ୟକୁ ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ସେ ମର୍ମେମର୍ମେ ଅନୁଭବି ଥିଲେ। ତାଙ୍କ ନାମାନୁଯାୟୀ କୌଣସି ଅନୁଷ୍ଠାନର ନାମକରଣ କରିବାକୁ କେହି କେବେ ଯଦି ପ୍ରସ୍ତାବ ଦେଉଥିଲେ, ତତ୍‌କ୍ଷଣାତ୍ ସେ ଖଡ୍‌ଗହସ୍ତ ହୋଇ କହନ୍ତି: ‘ମୋ ନାଁରେ ନାମକରଣ କଲେ, ମୁଁ ସେ କମିଟିରେ ରହିବି ନାହିଁ କି ଏହାର କୌଣସି କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିବି ନାହିଁ। ଯାହା ହେବ ମୋ ଗୁରୁ ପଣ୍ଡିତ ଗୋପବନ୍ଧୁଙ୍କ ନାଁରେ ହେବ।’ ଏ କଥାରେ କିଏ ବା ଅମତ ହେବ? ଶେଷରେ ତାଙ୍କରି କଥା ରହେ, ନିଷ୍ପତ୍ତି ହୁଏ ଯେ ଗୋପବନ୍ଧୁଙ୍କ ନାମାନୁଯାୟୀ ଅନୁଷ୍ଠାନର ନାମକରଣ ହେବ। ଗୁରୁପ୍ରାଣ ଶିଷ୍ୟ ରାଧାନାଥଙ୍କ ଉଦ୍ୟମକ୍ରମେ ଓଡ଼ିଶାର ବହୁ ସ୍ଥାନରେ ଗୋପବନ୍ଧୁଙ୍କ ମୂର୍ତ୍ତି ପ୍ରତିଷ୍ଠା ସହିତ ବହୁ ଅନୁଷ୍ଠାନର ନାମକରଣ ହୋଇଛି। କେବଳ ସେତିକି ନୁହେଁ; ତାଙ୍କ ନିର୍ଦେଶମତେ ‘ସମାଜ’ ପକ୍ଷରୁ ଗୋପବନ୍ଧୁଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ସମଗ୍ର ଓଡ଼ିଶାର ପୁରପଲ୍ଲୀର ଶିକ୍ଷାୟତନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ସଂଗଠନମାନଙ୍କୁ ଦେୟମୁକ୍ତ ଭାବେ ମୂର୍ତ୍ତି ପ୍ରଦାନ କରାଯାଉଛି।

ସମ୍ବାଦପତ୍ର ଏକ ସେବା, ଲଢେଇ ଓ ବିପ୍ଳବ ବୋଲି ସେ ବାରମ୍ବାର କହୁଥିଲେ।  ପ୍ରଥମ ପୃଷ୍ଠାରେ ବିଜ୍ଞାପନ ପ୍ରକାଶନକୁ ଘୋର ବିରୋଧ କରୁଥିଲେ। ଯୌନୋଦ୍ଦୀପକ ବିଜ୍ଞାପନ ପ୍ରକାଶନକୁ ରଦ୍ଦ କରିଥିଲେ। ଏହାକୁ ଅନେକ ବିଜ୍ଞାପନଦାତା ସମାଲୋଚନା କରୁଥିଲେ ମଧ୍ୟ ତାହା ଏ ଯାବତ୍ ‘ସମାଜ’ର ଏକ ନୀତିଗତ ନିଷ୍ପତ୍ତି ଭାବେ ଗ୍ରହଣ କରିନିଆଯାଇଛି। ସାଧାରଣ ପାଠ‌େକ ମଧ୍ୟ ଏହି ସଂସ୍କାରମୂଳକ ନୀତିକୁ ସାଦର ଗ୍ରହଣ କରିଛନ୍ତି। ସରକାରଙ୍କ ଦୋଷତ୍ରୁଟି ସହିତ ଲୋକପ୍ରତିନିଧିଙ୍କ ଦୁର୍ନୀତି ବିଷୟରେ ସ୍ପଷ୍ଟ, ନ୍ୟାୟୋଚିତ ଭାବେ କଲମଚାଳନା କରୁଥିଲେ।  ସେବା, ସାମ୍ବାଦିକତା ତଥା ଜଣେ ସମାଜ ସଂସ୍କାରକର ଭୂମିକା ନିର୍ବାହ ବେଳେ ତାଙ୍କର ନିର୍ଭୀକତା ବେଶ୍ ବାରି ହୋଇପଡ଼େ। ସେ ସ୍ପଷ୍ଟ କହୁଥିଲେ ଯେ ଗୋଟିଏ ସମ୍ବାଦପତ୍ର ଯଦି ସାଧାରଣ ଜନତାର ଦୁଃଖଦୁର୍ଦଶା, ଆପତ୍ତିଅଭିଯୋଗକୁ ପ୍ରକାଶ ନକଲା ତେବେ ତାହା ସମ୍ବାଦପତ୍ର ନହୋଇ ବେପାରପତ୍ର ହେବ। ଏଭଳି ମାନସିକତାର ବ୍ୟକ୍ତିମାନେ ସମ୍ବାଦପତ୍ର ପ୍ରକାଶ କରିବାକୁ ଅଯୋଗ୍ୟ ବୋଲି ବକ୍ତବ୍ୟ ଦେଉଥିଲେ। ସେ ସମୟରେ ରାଜାରାଜୁଡ଼ା ଶାସନକୁ କଟାକ୍ଷ କରି ଲେଖାଯାଇଥିବା ଏକ ପୁସ୍ତକ ‘ଦଶହରା ଭେଟି’ ବେଆଇନ ଘୋଷିତ ହୋଇଥିଲେ ମଧ୍ୟ ସେଥିରେ ଲେଖକ, ରାଧାନାଥ ରଥଙ୍କ ନିର୍ଭୀକ ସାମ୍ବାଦିକତାକୁ ଲକ୍ଷ୍ୟକରି ଲେଖିଥିଲେ– ‘‘ଥରେ ବାବୁ ରାଧାନାଥ, ହାତେ ଧରି ତାଙ୍କ ‘ସମାଜ’ ବେତ ବୁଲିଆସନ୍ତା କି ଗଡ଼ଜାତ।’’ ଆଜି ବାବୁଜୀ ନାହାନ୍ତି ସତ; ମାତ୍ର ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କରି ସ୍ବପ୍ନକୁ ନିଜ ସ୍ବପ୍ନ କରି ବହୁଶ୍ରମରେ ଗଢିଥିବା ତାଙ୍କ ‘ସମାଜ’ର ସନ୍ତାନମାନେ ଏବେବି ତାଙ୍କୁ ପାସୋରି ପାରିନାହାନ୍ତି। ନିଜେ ଆର୍ଥିକ ଦୁଃସ୍ଥିତିରେ ରହି ମଧ୍ୟ ତାଙ୍କ  ‘ସମାଜ’ ସନ୍ତାନମାନଙ୍କ ହାରିଗୁହାରିକୁ ସେ କିପରି  ସାଦର ଗ୍ରହଣ କରି ତା’ର ସମାଧାନ କରୁଥିଲେ, ଅନୁଷ୍ଠାନ ପ୍ରତି ସେମାନଙ୍କର ଆତ୍ମୀୟତାକୁ ନିବିଡ଼ରୁ ନିବିଡ଼ତର କରୁଥିଲେ, ତା’ ଅଭୁଲା, ଅବିସ୍ମରଣୀୟ ହୋଇ ରହିଛି, ରହିବ ମଧ୍ୟ। ‘ସମାଜ’ ଏବେ ବି ତା’ର ପ୍ରିୟ ପାଠକପାଠିକାଙ୍କ ପାଇଁ ନିଆରା, ସ୍ବତନ୍ତ୍ର ହୋଇ ରହିବାର ମର୍ଯ୍ୟାଦା ପ୍ରାପ୍ତ ହୋଇଛି।

 

ମମତା ବିଶୋଇ, ସହ-ସମ୍ପାଦକ, ‘ସମାଜ’, କଟକ, ଫୋ:୯୮୬୧୧୫୫୧୦୪

Comments are closed.