ଥମୁନି ଆମେରିକା ବର୍ଣ୍ଣବୈଷମ୍ୟ ହିଂସା : ୮ହଜାର ଗିରଫ

ୱାଶିଂଟନ : ଆମେରିକାରେ ଦେଖାଯାଇଥିବା ବର୍ଣ୍ଣବୈଷମ୍ୟ ହିଂସା ବୁଧବାର ୮ମ ଦିନରେ ପହଞ୍ଚିଛି। ଦେଶର ବିଭିନ୍ନ ସହରରେ ବିକ୍ଷୋଭ, ହିଂସା, ପୋଡାଜଳା ଲାଗି ରହିଛି। ବିଶେଷ କରି ଲସ୍ ଆଞ୍ଜେଲସ୍, ଫିଲାଡେଲଫିଆ, ଆଟଲାଣ୍ଟା ଓ ସିଟେଲ ସହରରେ ହିଂସା ଉଗ୍ର ହୋଇଛି। ରାଜଧାନୀ ୱାଶିଂଟନ ଡିସ, ପୋର୍ଟଲ୍ୟାଣ୍ଡ ଓ ଓରୋଗନରେ ମଧ୍ୟ ହିଂସା ଦେଖାଯାଇଛି। ହିଂସା ସମୟରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ହିଂସାକୁ ନେଇ ଦେଶବ୍ୟାପୀ ୮ହଜାର ଲୋକ ଗିରଫ ହୋଇଛନ୍ତି। ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି ହେବା ସତ୍ତ୍ବେ ଲୋକ ଏହାକୁ ଅମାନ୍ୟ କରି ବିକ୍ଷୋଭ କରିଛନ୍ତି। ଲସ୍‌ ଆଞ୍ଜେଲସ୍‌ ମେୟର ବିକ୍ଷୋଭକାରୀଙ୍କ ସହିତ ସାମିଲ ପୂର୍ବକ ସମର୍ଥନ ଜଣାଇଛନ୍ତି। ଆମେରିକାର ଏହି ବର୍ଣ୍ଣବୈଷମ୍ୟ ହିଂସା ଇଂଲଣ୍ଡ, ଇରାନ ସହିତ ଅନ୍ୟ ଦେଶକୁ ବ୍ୟାପିଛି। ପୁଲିସ ହାଜତରେ ଜର୍ଜ ଫ୍ଲୋଏଡ ନାମକ ଜଣେ କୃଷ୍ଣକାୟ ନାଗରିକ ପ୍ରାଣ ହରାଇବାକୁ ନେଇ ଆମେରିକାରେ ହିଂସା ଦେଖାଯାଇଛି। ଫ୍ଲୋଏଡ ଜଣେ ଭଲ ଲୋକ ଥିଲେ ବୋଲି ତାଙ୍କ ପତ୍ନୀ ରକ୍ସି ୱାଶିଂଟନ କହିଛନ୍ତି। ଫ୍ଲୋଏଡଙ୍କର ଏକ ୬ବର୍ଷର ଝିଅ ଅଛି। ଆମେରିକା ଏହି ବର୍ଣ୍ଣବୈଷମ୍ୟ ଭେଦଭାବକୁ ପୋପ୍ ଫ୍ରାନସିସ୍‌ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ବର୍ଣ୍ଣବୈଷମ୍ୟ ଭେଦଭାବ ଉପରୁ ଆମେ ଦୃଷ୍ଟି ହଟାଇପାରିବୁ ନାହିଁ। ଏପରି ଭେଦଭାବକୁ ସବୁମତେ ବାସନ୍ଦ କରାଯିବ। ତେବେ ହିଂସା ଦ୍ବାରା ଏହାକୁ ରୋକାଯାଇପାରିବ ନାହିଁ। ତେଣୁ ଶାନ୍ତି ବଜାୟ ରଖିବା ଦରକାର।

Comments are closed.