ରବିପ୍ରିୟ ଦାଶଙ୍କ କବିତା ଗୁଚ୍ଛ ‘କ୍ୟାବିନ’-ପ୍ରତିଟି କବିତା ପାଠକଙ୍କୁ ତୃପ୍ତ କଲାଭଳି ବହିଟିଏ

ଭୁବନେଶ୍ବର: ଏଇ ନିକଟରେ ପ୍ରକାଶ ପାଇଛି ରବିପ୍ରିୟ ଦାଶଙ୍କ କବିତା ଗୁଚ୍ଛ ‘କ୍ୟାବିନ’। କବିତା ବହିର ନାମ ‘କ୍ୟାବିନ’ କାହିଁକି ରଖିଲେ କବି?-ଏମିତି ପ୍ରଶ୍ନ ନିଶ୍ଚେ ଆସିବ ମନକୁ। ପାଠକଙ୍କୁ ଏ ଉତ୍ସୁକତାରେ ଛଟପଟ ହେବାକୁ ଦେଇନାହାନ୍ତି କବି। ମଲାଟର ପଛପଟେ ହିଁ ସେ କହିଦେଇଛନ୍ତି ‘କ୍ୟାବିନ’ ସହିତ ତାଙ୍କର ଏତେ ସମ୍ପର୍କ କାହିଁକି? ।

 

କବି ରବିପ୍ରିୟ ଦାଶ କହିଛନ୍ତି ଯେ ଜୀବନ କାହାଣୀରେ ‘କ୍ୟାବିନ’ ମୋ ପାଇଁ ଏକ ଅପାସୋରା ସ୍ମୃତି। ଛାତ୍ରାବସ୍ଥାରୁ ଆରମ୍ଭ କରି କର୍ମମୟ ଜୀବନର ଅନେକ ବର୍ଷ ପର୍ଯ୍ୟନ୍ତ ପରିବର୍ତ୍ତିତ ମାନସିକତା ଉପରେ ଏହାର ସ୍ଥିତି ନିବିଡ଼, ଆଉ ସ୍ୱତନ୍ତ୍ର। ସେଠି ପ୍ରତିଦିନ କିଛି ସମୟ ଗୋଟିଏ ପାଖକୁ ନଇଁ ଯାଇଥିବା ପୁରୁଣା କାଠ ବେଞ୍ଚ ଉପରେ ବସି ସମ୍ଭାବନାର ସକାଳ ଉଇଁବା ଦେଖିଛି। ସୁଖଦୁଃଖର ଅନେକ ଅନୁଭବ ନିଜର ହେଇଛି। ରାସ୍ତା ପାରି ହେଇ ଭଲପାଇବାର ଋତୁ ପହଞ୍ଚିଛି। ତୃତୀୟ ପ୍ରହରର ଅନ୍ଧାର ଭିତିରେ ଅନେକବାର ଯନ୍ତ୍ରଣାର ବର୍ଷାରେ ଭିଜିଥିବା ଏବେବି ମନେଅଛି। ଏହି ବହିର ପ୍ରତିଟି କବିତା ପାଠକଙ୍କୁ ତୃପ୍ତ କଲାଭଳି। ଆଜିକାଲିକା କବିତା ଉପଯୁ ଆସ୍ଥା ହରାଇଥିବା ପାଠକଙ୍କୁ କବିତା ଭିତିରେ ବୁଡେଇ ରଖିବାର କ୍ଷମତା ରହିଛି କବିତାଗୁଡ଼ିକରେ। କବି ରବିପ୍ରିୟ ଦାଶ ପାଠକଙ୍କ ପ୍ରାଣକୁ ଛୁଇଁପାରନ୍ତି। ପାଠକଙ୍କୁ ନିଶାଗ୍ରସ୍ତ କରେଇ ପାରନ୍ତି ତାଙ୍କ ନିଜସ୍ୱ ଶୈଳୀରେ। ଖୁବ ନିଆରା ତାଙ୍କ କଲମ ଚାଳନା। ସାମ୍ବାଦିକ ଭାବରେ ସିଏ ଯେତିକି ନିଷ୍ଠୁର, କବି ଭାବେର ଠିକ ସେତିକି ଦରଦୀ ସିଏ। ଉଦାର ସିଏ ନିଜ ଅଭିବ୍ୟକତି ବାଣ୍ଟିବାରେ କିଛି ଲୁଚାନ୍ତିନି କବିତାରେ।

Comments are closed.