ପୁଣି ୨ ଗୋଷ୍ଠୀ ସେବକ ମୁହାଁମୁହିଁଁ : ସୁନାବେଶ ୫ ଘଣ୍ଟା ବିଳମ୍ବ

ପୁରୀ : ନାଗାର୍ଜୁନ ବେଶଠାରୁ ଦୁଇଗୋଷ୍ଠୀ ସେବକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଗୁରୁବାର ଉଗ୍ରରୂପ ଧାରଣ କରିଛି। ପୌଷପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମଙ୍କ ସୁନାବେଶ ପ୍ରାୟ ୫ ଘଣ୍ଟା ବିଳମ୍ବ ଯୋଗୁଁ ହଜାର ହଜାର ଭକ୍ତ ସୁନା ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଏଥିଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କିଛି ବିଶୃଙ୍ଖଳିତ ସେବକଙ୍କ ବିରୋଧରେ ମନ୍ଦିର ପ୍ରଶାସନର କୋହଳ ମନୋଭାବ ଯୋଗୁଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୌଷପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଅଭିଷେକ ଏବଂ ସୁନାବେଶ ହେବାର ବିଧି ରହିଛି। ଏଥିପାଇଁ ବୁଧବାରଠାରୁ ଅଙ୍କୁରାରୋପଣ ଏବଂ ଜଳ ଅଧିବାସ ନୀତି ଅନୁଷ୍ଠିତ ହୋଇଥିଲା।

ଗୁରୁବାର ଭୋର୍‌ ୩ଟା ୨୫ରେ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା। ଏହାପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ବେଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ ସମ୍ପନ୍ନ ହେବା ପରେ ଦିନ ୯ଟା ୪୦ରେ ସକାଳଧୂପ ଅନୁଷ୍ଠିତ ହୋଇଥିଲା। ଏହାପରେ ଜଳଲାଗି ଏବଂ ମହାଲକ୍ଷ୍ମୀ ବିଜେ ସମେତ ଅନ୍ୟ କେତେକ ସ୍ବତନ୍ତ୍ର ନୀତି ରହିଛି। ଦିନ ୧୧ଟା ୩୦ରେ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଦିନ ୧ଟା ୩୦ରେ ଆରମ୍ଭ ହୋଇଥିଲା ସୁନାବେଶ। ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ପୁଷ୍ପାଳକ ସେବକ ସିଂହାସନରେ ଥିବାରୁ ସୁନାବେଶ ସାମଗ୍ରୀ ଦେବାକୁ ଭଣ୍ଡାର ମେକାପ ରାଜି ହୋଇନଥିଲେ। ଏହି ପ୍ରସଙ୍ଗକୁ ନେଇ ୨ଗୋଷ୍ଠୀ ସେବକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଠାକୁରଙ୍କ ସୁନାବେଶ କରିବା ପାଇଁ ଅଧିକ ପାଳିଆ ପୁଷ୍ପାଳକ ରହିବାର ଆବଶ୍ୟକତା ଥିବା ସେମାନେ ଯୁକ୍ତି ବାଢିଥିଲେ। ଦୁଇପକ୍ଷ ନିଜ ଜିଦିରେ ଅଟଳ ରହିବାରୁ ବେଶ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରାୟ ୩ଘଣ୍ଟା ବନ୍ଦ ରହିଥିଲା।

ମନ୍ଦିର ପ୍ରଶାସନ ସେଥିରେ ହସ୍ତକ୍ଷେପ କରି ଦୁଇଗୋଷ୍ଠୀ ସେବକଙ୍କ ସହ ଆଲୋଚନା କରିବା ପରେ ଅପରାହ୍ଣ ୫ଟା ୪୫ରେ ସୁନାବେଶ ଶେଷ ହୋଇଥିଲା। ବିଳମ୍ବରେ ଠାକୁରଙ୍କୁ ସୁନାବେଶ କରାଯିବାରୁ ବହୁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଥିଲେ। ଏହି ଘଟଣାର ତଦନ୍ତ ଦାୟିତ୍ବ ନୀତି ପ୍ରଶାସକଙ୍କୁ ଦିଆଯାଇଥିବା ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାଛଡା ଦୁଇଗୋଷ୍ଠୀ ସେବକଙ୍କ ସହ ଆଲୋଚନା କରି ବିବାଦର ସ୍ଥାୟୀ ସମାଧାନ କରିବାକୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଜିଲାପାଳ ସମର୍ଥ ବର୍ମା ସଂପୃକ୍ତ ସେବକଙ୍କ ସହ ଆଲୋଚନା କରିବେ। ଶ୍ରୀମନ୍ଦିର ସ୍ବତ୍ତ୍ବଲିପିରେ ରହିଥିବା ସୁନାବେଶ ବିଧି ଏବଂ ସେବକଙ୍କ ସଂଖ୍ୟାକୁ ନେଇ ଆଲୋଚନା କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଗତବର୍ଷ ନଭେମ୍ବର ୨୭ତାରିଖରେ ଦାରୁବ୍ରହ୍ମଙ୍କ ନାଗାର୍ଜୁନ ବେଶ ସମୟରେ ଏହିଭଳି ବିବାଦ ଦେଖା ଦେଇଥିଲା। ଭଣ୍ଡାର ମେକାପ ଏବଂ ପୁଷ୍ପାଳକଙ୍କ ମଧ୍ୟରେ ବିବାଦ ଯୋଗୁଁ ନାଗାର୍ଜୁନ ବେଶ ପ୍ରାୟ ୨ଘଣ୍ଟା ବନ୍ଦ ରହିଥିଲା। ବିବାଦର ସ୍ଥାୟୀ ସମାଧାନ ପରିବର୍ତ୍ତେ ପ୍ରଶାସନ ଏହାକୁ ଅତ୍ୟନ୍ତ ହାଲକା ଭାବେ ଗ୍ରହଣ କରିଥିଲା। ଗୁରୁବାର ପୌଷପୂର୍ଣ୍ଣିମା ତିଥିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଗର୍ଭଗୃହ ଭିତରେ ଭଣ୍ଡାର ମେକାପ ଏବଂ ପୁଷ୍ପାଳକଙ୍କ ମଧ୍ୟରେ ସେବକ ସଂଖ୍ୟାକୁ ନେଇ ବିବାଦ ଯୋଗୁଁ ପ୍ରାୟ ୫ଘଣ୍ଟା ଠାକୁରଙ୍କ ସୁନାବେଶ ବିଳମ୍ବ ହୋଇଛି। ଏଭଳି ବିଶୃଙ୍ଖଳାର ଯେପରି ପୁନରାବୃତ୍ତି ନହେବ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। କୌଣସି ସେବକ ଉଦ୍ଦେଶ୍ୟମୂଳକ ଭାବେ ଯଦି ନୀତି ବିଳମ୍ବ କରିଥାଆନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Comments are closed.