ଟିକା ୫୦, ଧାଡ଼ିରେ ୫୦୦ : କେନ୍ଦ୍ରରେ ଉତ୍ତେଜନା

ଖଣ୍ଡଗିରି : ଜଟଣୀ ବ୍ଲକ୍‌ ଯାଁଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଟିକାକରଣ କେନ୍ଦ୍ରରେ ଟୋକନ୍ ବଣ୍ଟନ ବ୍ୟବସ୍ଥାକୁ ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଥିଲା।  କେନ୍ଦ୍ର ଅଧିକାରୀଙ୍କ ପାତର ଅନ୍ତର ନୀତି ଓ କିଛି ରାଜନୈତିକ ବ୍ୟକ୍ତିଙ୍କ  ହସ୍ତକ୍ଷେପ ନେଇ ସ୍ଥାନୀୟ ଅଞ୍ଚଳର  ଲୋ​‌େ​‌କ ହୋହଲ୍ଲା କରିଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଟିକାକରଣ ବ୍ୟାହତ ହୋଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପିସିଆର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ସୂଚନା ଅନୁଯାୟୀ, ଟିକା ଅଭାବରୁ କିଛି ଦିନ ଟିକାକରଣ କାର୍ଯ୍ୟ ବନ୍ଦ ପରେ ଗତ ୨୨ ତାରିଖରୁ ଟିକା ଦେବା ଆରମ୍ଭ ହୋଇଛି। ୧୮ ରୁ ୪୫ ବର୍ଷ ଲୋକଙ୍କୁ ଟିକା ଦିଆଯାଉଛି। ଗତକାଲି ବର୍ଷା କାରଣରୁ  ଟିକାକରଣ ବନ୍ଦ ଥିଲା। ଆଜି ସକାଳୁ ଟିକା ଦେବା ପାଇଁ  କେନ୍ଦ୍ରରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। କିଛି ନିର୍ଦିଷ୍ଟ ରାଜନୈତିକ ଦଳର ବ୍ୟକ୍ତି ସାହାଯ୍ୟ ଆଳରେ ପୂର୍ବରୁ ପ୍ରସ୍ତୁତ କିଛି ଟୋକନ ଆଣି ସେମାନଙ୍କ ଲୋକଙ୍କୁ ଟିକା ଦେବା ବ୍ୟବସ୍ଥା କରିଥିଲେ। ଫଳରେ ସକାଳ ୮ଟାରୁ ମଧ୍ୟାହ୍ନ ସାଢେ଼ ବାରଟା ପର୍ଯ୍ୟନ୍ତ ଟିକା ଦେବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଲୋକ  ଅସନ୍ତୋଷ ପ୍ରକାଶ କରିଥିଲେ। ଟିକାକରଣ କେନ୍ଦ୍ରରେ ଲୋକମାନେ ଠିଆ ହେବା ପାଇଁ ଏକ ଟେଣ୍ଟ ହେବା କଥା କିନ୍ତୁ ଏଠାରେ ସେପରି କିଛି ବ୍ୟବସ୍ଥା ମଧ୍ୟ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରରେ ପିଇବା ପାଣିର ଅଭାବ ସହ ଖରା ଓ ଗୁଳୁଗୁଳି ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଭିନ୍ନକ୍ଷମଙ୍କ ପାଇଁ ମଧ୍ୟ ସେପରି କିଛି ସ୍ବତନ୍ତ୍ର ବ୍ୟବସ୍ଥା ହୋଇନାହିଁ। ଏହିସବୁ କାରଣ ନେଇ  ଲୋକେ   ଉତ୍‌କ୍ଷିପ୍ତ ହୋଇ  କେନ୍ଦ୍ରରେ ହୋହଲ୍ଲା କରିଥିଲେ। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଓ ଟିକାକରଣ କେନ୍ଦ୍ରର କର୍ତ୍ତୃପକ୍ଷ ଲୋକଙ୍କୁ ବୁଝାସୁଝା କରିଥିଲେ। ପୁଣି ୩୦ ଟିକା ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

ପ୍ରଶ୍ନ ଉଠୁଛି ଯଦି ପ୍ରତ୍ୟେକ ଦିନ ୫୦ଜଣଙ୍କ ପାଇଁ ଟିକା ଆସୁଛି ତେବେ ୫୦୦ଲୋକଙ୍କୁ  ଖରାରେ କାହିଁକି ଠିଆ କରାଯାଉଛି।  କେନ୍ଦ୍ର କର୍ମଚାରୀଙ୍କ ବ୍ୟତୀତ ବାହାର ଲୋକ କାହିଁକି ସେଠାରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.