+୩ ପ୍ରଶ୍ନପତ୍ର ଲିକ୍ ଘଟଣା; ବିକଳ୍ପ ପ୍ରଶ୍ନପତ୍ରରେ ହେଲା ପରୀକ୍ଷା

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ସେମିଷ୍ଟରର ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଅନ୍ୟ ଏକ ବିକଳ୍ପ ପ୍ରଶ୍ନପତ୍ର ସେଟ ଜରିଆରେ ପରୀକ୍ଷା ଚାଲିଛି। ପ୍ରଶ୍ନପତ୍ର ଲିକ ହେଉଥିବା ନେଇ ସୂଚନା ମିଳିବା ପରେ ଇ ମେଲ ଯୋଗେ ଅନ୍ୟ ଏକ ସେଟ ପ୍ରଶ୍ନପତ୍ର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠା ଯାଇଥିଲା ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ସୂର୍ୟ୍ୟନାରାୟଣ ରାଉତ ସୂଚନା ଦେଇଛନ୍ତି। ଏନେଇ ଥାନାରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି। ଯେଉଁ ମାନଙ୍କର ଏହି ଘଟଣାରେ ସମ୍ପୃକ୍ତି ରହିଛି ସେମାନଙ୍କ ବିରୁଦ୍ଧରେ ଆଇନ ଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ସହିତ ତାକୁ ପରିକେନ୍ଦ୍ରରୁ ବାତିଲ କରାଯିବ ବୋଲି ସେ କହିଛନ୍ତି। ପୂର୍ବ ସୂଚନା ଥିବାରୁ ବିକଳ୍ପ ପ୍ରଶ୍ନପତ୍ର ସେଟ ଜରିଆରେ ପରୀକ୍ଷା କରାଗଲା କିନ୍ତୁ ଯଦି ଶେଷ ମୁହୂର୍ତ୍ତରେ ଖବର ମିଳିଥିଲେ ତା ହେଲେ ପରୀକ୍ଷା ବାତିଲ କରାଯାଇଥାନ୍ତା ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ସେହିପରି ପ୍ରାଣୀବିଜ୍ଞାନ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ତାଙ୍କ ପାଖରେ ଖବର ଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇ ନାହିଁ ବୋଲି ସେ କହିଛନ୍ତି।

Comments are closed.