ସଙ୍ଗରୋଧ ଦେଉଛି ମାନସିକ ଅବସାଦ

ଭୁବନେଶ୍ୱର: କରୋନା ଭୂତାଣୁର ଭୟ ଏବେ ଲୋକଙ୍କ ମନରେ ବସା ବାନ୍ଧି ସାରିଲାଣି। ଏଥିରୁ ମୁକୁଳିବା ପାଇଁ ଆମେରିକା,ଫ୍ରାନ୍ସ, ଇଟାଲୀ, ସ୍ପେନ ଓ ଲଣ୍ଡନ ପ୍ରଭୃତି ବିକାଶଶୀଳ ରାଷ୍ଟ୍ର ଏପର୍ୟ୍ୟନ୍ତ ବାଟ ଖୋଜି ପାଉନାହାନ୍ତି। ଏହାର ପ୍ରତିଷେଧକ ସାରା ବିଶ୍ବପାଇଁ ଆହ୍ବାନ ପାଲଟିଛି। ଏହି ପରିପ୍ରେକ୍ଷୀରେ କରୋନାର ଅଦୃଶ୍ୟ କାୟା ଏବେ ପ୍ରବାସୀଙ୍କ ଉପରେ ଦିନକୁ ଦିନ ବଢ଼ି ଚାଲିଛି। ଯାହାଫଳରେ କି ଜଣେ ସୁସ୍ଥ ମସ୍ତିଷ୍କ ବ୍ୟକ୍ତି ଧୀରେ ଧୀରେ ଅବସାଦର ବଶବର୍ତ୍ତୀ ହୋଇ ମାନସିକ ବିକାରଗସ୍ତ ଆଡକୁ ଗତି କରୁଛି। ପରିସ୍ଥିତି ଏଭଳି ହୋଇଛି ଯେ ରାଜ୍ୟରେ ୫ପ୍ରତିଶତ ପ୍ରବାସୀଙ୍କଠାରେ ଏହି ଲକ୍ଷଣ ଦେଖାଦେଲାଣି। ଏହାକୁ ନେଇ ସରକାର ଚିନ୍ତାରେ ପଡି ଯାଇଛନ୍ତି। ଲୋକଙ୍କ ମନରୁ ଏହି ଭୟକୁ କିଭଳି ଏଡାଇଦେଇ ହେବ ସେନେଇ ସଙ୍ଗରୋଧ କେନ୍ଦ୍ରରେ ମକ୍ ଡ୍ରିଲ, ଯୋଗାଭ୍ୟାସଠାରୁ ଆରମ୍ଭ କରି ମାନସିକ ବିଶେଷଜ୍ଞମାନେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଏବେ ଯେତିକି ଲୋକଙ୍କୁ କାଉନସେଲିଂ କରାଯାଇଛି ତା’ର ୫ପ୍ରତିଶତ ଲୋକ ବିଷାଦଗ୍ରସ୍ତ ହୋଇଥିବା ପରିଲକ୍ଷିତ ହୋଇଛି। ଯାହାର କୁପରିଣତି ଖୁବଶୀଘ୍ର ସମାଜ ଉପରେ ପଡିବାକୁ ଯାଉଛି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ କହୁଛି ଯେ ମେ’ ୧୮ ସୁଦ୍ଧା ରାଜ୍ୟର ୨୦ହଜାର ଲୋକଙ୍କୁ ସଙ୍ଗରୋଧ କେନ୍ଦ୍ରରେ କାଉନ​ସେଲିଂ କରାଯାଇଥିଲା। ଏହି ସମୟ ମଧ୍ୟରେ ରାଜ୍ୟରେ ପ୍ରାୟ ୧ହଜାର ଲୋକ ମାନସିକ ବିକାରଗସ୍ତ ଆଡକୁ ଢ଼ଳିଥିବା ଜଣାଯାଇଛି। ଏଭଳି ଏକ ତଥ୍ୟକୁ ନେଇ ସ୍ୱାସ୍ଥ୍ୟବିଭାଗ ଚିନ୍ତା ପ୍ରକଟ କରିଛି। ତେଣୁ ପ୍ରତ୍ୟେକ ସଙ୍ଗରୋଧ କେନ୍ଦ୍ରରେ ଲୋକଙ୍କୁ ଭୟମୁକ୍ତ କରିବା ଏବଂ ଏଭଳି କୁଅଭ୍ୟାସକୁ ଦୂରେଇବାପାଇଁ ଗୁରୁତ୍ବ ଦିଆଯାଉଛି।

ଇତିମଧ୍ୟରେ ବିଭାଗ ପକ୍ଷରୁ ୨୫ଟି ଜିଲାର ୨୦୩ଟି ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନଙ୍କୁ କାଉନସେଲିଂ କରାଯାଇଥିଲା। ୨୦ହଜାର ୫୦୦ ପ୍ରବାସୀଙ୍କ ମଧ୍ୟରୁ ୯୯୦ଜଣ ପ୍ରବାସୀ ଏବେ ଚିନ୍ତାଗ୍ରସ୍ତ ହୋଇ ମାନସିକ ବିକାରଗ୍ରସ୍ତର ଦ୍ୱାରଦେଶରେ ପହଞ୍ଚିଛନ୍ତି। ଏହି ସଂଖ୍ୟକ ବିକାରଗ୍ରସ୍ତ ଲୋକଙ୍କୁ କିଭଳି ମୁଖ୍ୟ ସ୍ରୋତରୁ ଫେରାଇ ଅଣାଯିବ ସେନେଇ ସ୍ବାସ୍ଥ୍ୟବିଭାଗର ମାନସିକ ବିକାରଗ୍ରସ୍ତ ଟିମ୍ କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

Comments are closed.