କ୍ବାଦ ବୈଠକ; ମୁକ୍ତ,ଅବାଧ ରହିବ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ

ଟୋକିଓ: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କାହାର ଏକଚାଟିଆ କାରବାରକୁ ବରଦାସ୍ତ କରାଯିବ ନାହିଁ। ଏହି ଅଞ୍ଚଳକୁ ମୁକ୍ତ ଓ ଅବାଧ ରଖିବା ଲାଗି କ୍ବାଦ ରାଷ୍ଟ୍ରଗୋଷ୍ଠୀ ମିଳିତ ଭାବେ କାର୍ଯ୍ୟ କରିବେ। ମଙ୍ଗଳବାର ଜାପାନର ଟୋକିଓରେ ଅନୁଷ୍ଠିତ କ୍ବାଦ ସମ୍ମିଳନୀରେ ରାଷ୍ଟ୍ରମୁଖ୍ୟମାନେ ଏହି ପ୍ରତିଜ୍ଞା କରିଛନ୍ତି। ଏହା ସହିତ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ପରସ୍ପର ମିଳିତ ଭାବେ କାର୍ଯ୍ୟ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭିତ୍ତିଭୂମି ବିକାଶ ନିମନ୍ତେ କ୍ବାଦ ରାଷ୍ଟ୍ର ସମୂହ ୫,୦୦୦ କୋଟି ଡଲାର ଅନୁମୋଦନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଗାମୀ ୫ବର୍ଷ ମଧ୍ୟରେ ଏହି ପୁଞ୍ଜିନିବେଶ କରାଯିବ।

ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କ୍ବାଦ ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ପାରସ୍ପରିକ ବିଶ୍ବାସ ଓ ପ୍ରତିଶ୍ରୁତିବଦ୍ଧତା ବୃଦ୍ଧି ପାଇବାରେ ଲାଗିଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଓ ଅବାଧ ରଖିବା ଦିଗରେ ମିଳିତ ପ୍ରୟାସ କରିଆସୁଛନ୍ତି। ସେ କହିଛନ୍ତି ଯେ ବହୁତ କମ୍ ସମୟ ମଧ୍ୟରେ କ୍ବାଦ ବିଶ୍ବସ୍ତରରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିସାରିଲାଣି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ନିମନ୍ତେ ଗଠିତ ଏହି ରାଷ୍ଟ୍ରଗୋଷ୍ଠୀ ଏବେ ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପ୍ରଶମନ, ଆର୍ଥିକ ସହଯୋଗ ଓ କରୋନା ମହାମାରୀ ସମୟରେ ସହଯୋଗ ଆଦି କ୍ଷେତ୍ରରେ ସହଯୋଗ କରିଆସୁଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ ଆମେରିକା ପାଇଁ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ତିନି ପ୍ରମୁଖ ଗଣତାନ୍ତ୍ରିକ ସହଯୋଗୀ ରାଷ୍ଟ୍ର। ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣକୁ ନିନ୍ଦା କରି ବାଇଡେନ କହିଥିଲେ ଯେ ଏହା କେବଳ ୟୁରୋପ ମହାଦେଶର ସମସ୍ୟା ନୁହେଁ; ବରଂ ଏହା ଏକ ବିଶ୍ବ ସମସ୍ୟା। ଆନ୍ତର୍ଜାତିକ ଆଇନ ଓ ମାନବାଧିକାରକୁ ଅଞ୍ଚଳ ନିର୍ବିଶେଷରେ ସୁରକ୍ଷା ଦିଆଯିବା ଦରକାର।

ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ଆନ୍ତର୍ଜାତିକ ଆଇନ, ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ବର ଖୋଲା ଉଲ୍ଲଙ୍ଘନ ବୋଲି ସେ କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ ଓ ଅବାଧ ରଖିବା ଲାଗି ଆମେରିକା ଏହାର ସହଯୋଗୀଙ୍କ ସହିତ କାନ୍ଧ ମିଳାଇ ଚାଲିବ ବୋଲି ବାଇଡେନ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା କହିଥିଲେ ଯେ ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ଆନ୍ତର୍ଜାତିକ ଶୃଙ୍ଖଳାକୁ ଭାଙ୍ଗି ଦେଇଛି। ଏହା ଜାତିସଂଘ ମୂଲ୍ୟବୋଧ ପ୍ରତି ଖୋଲା ଚାଲେଞ୍ଜ। ଆନ୍ତର୍ଜାତିକ ମଞ୍ଚରେ ପ୍ରଥମ କରି ଉପସ୍ଥିତ ହୋଇଥିବା ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ କହିଥିଲେ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ରାଷ୍ଟ୍ରଗୁଡିକ ଜଳବାୟୁ ସମସ୍ୟାର ଅଧିକ ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କ ଉପରେ ଅଧିକ ଦୃଷ୍ଟି ଦିଆଯିବା ଦରକାର। ଦ୍ବିତୀୟ ଥର ପାଇଁ ହୋଇଥିବା ପ୍ରତ୍ୟକ୍ଷ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ଯୋଗ ଦେଇଥିଲେ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ନିଜର ପ୍ରଭୁତ୍ବ ବିସ୍ତାର କରିଚାଲୁଥିବା ବେଳେ ଏହାକୁ ଦମନ ପାଇଁ କ୍ବାଦ ରାଷ୍ଟ୍ରଗୋଷ୍ଠୀ ଗଠନ କରାଯାଇଛି। ଭିତ୍ତିଭୂମି ବିକାଶ ନିମନ୍ତେ ୫ହଜାର କୋଟି ଡଲାର ଅନୁମୋଦନ

Comments are closed.