କେଉଁଠି ରହିବେ ପ୍ରବାସ ଫେରନ୍ତା ? ପଞ୍ଚାୟତରେ ଅଛି ତ ଆବଶ୍ୟକୀୟ ବ୍ୟବସ୍ଥା ?

ଭୁବନେଶ୍ବର (ବ୍ୟୁରୋ): କେଉଁଠି ରହିବେ ପ୍ରବାସ ଫେରନ୍ତା ଓଡ଼ିଆ ଶ୍ରମିକ । ଏଥିପାଇଁ ପର୍ଯ୍ୟପ୍ତ ବ୍ୟବସ୍ଥା ଅଛି ତ? ବିଭିନ୍ନ ପଞ୍ଚାୟତରେ ଯେଉଁ ସଙ୍ଗରୋଧ କେନ୍ଦ୍ର (କ୍ବାରେଣ୍ଟାଇନ ସେଣ୍ଟର) ରହିଛି ତାହା ସମସ୍ତଙ୍କ ନିମନ୍ତେ ପର୍ଯ୍ୟାପ୍ତ ହେବ ତ ? ଅନ୍ୟରାଜ୍ୟରୁ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ସରକାର ସିନା ପ୍ରସ୍ତୁତ ହେଉଛନ୍ତି ହେଲେ ଏହି ଶ୍ରମିକଙ୍କ ସଙ୍ଗରୋଧ ଲାଗି ଆବଶ୍ୟକ ଭିତ୍ତିଭୂମି ନ ଥିଲେ ପରିଣତି କ’ଣ ହେବ ତାହା ଅକଳ୍ପନୀୟ । ଦୁଇ ବରିଷ୍ଠ ବିଜେପି ନେତା ଏ ନେଇ ଉଠାଇଛନ୍ତି ପ୍ରଶ୍ନ । ପ୍ରଥମେ ବଲାଙ୍ଗିର ସାଂସଦ ସଙ୍ଗିତା ସିଂହଦେଓ ବଲାଙ୍ଗିର ଜିଲାପାଳଙ୍କୁ ଏ ସଂକ୍ରାନ୍ତରେ ଚିଠି ଲେଖିବା ପରେ ଏବେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଗତ ୨୫ ତାରିଖରେ ସାଂସଦ ସଙ୍ଗୀତା ସିଂହଦେଓ ଜିଲାପାଳଙ୍କୁ ଏ ନେଇ ଏକ ଚିଠି ଲେଖିଥିଲେ । କହିଥିଲେ ଜିଲାରୁ ବିିଭିନ୍ନ ରାଜ୍ୟରେ ଯାଇ କାମ କରୁଥିବା ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୮୭ ହଜାର । ସେମାନେ ଲକ୍ଡ଼ାଉନ ପରେ ଗାଁକୁ ଫେରିବା ଆପାତତଃ ନିଶ୍ଚିତ । ତେବେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ବ୍ୟବସ୍ଥା ପର୍ଯ୍ୟାପ୍ତ ହୋଇନାହିଁ କିମ୍ବା ଆନୁଷଙ୍ଗିକ ସୁବିଧା ନାହିଁ । କେବଳ ବେଲପଡ଼ା ବ୍ଲକରୁ ୨୬ ହଜାର ଶ୍ରମିକ ବାହାରେ ଅଛନ୍ତି, ଖପ୍ରାଖୋଲ ବ୍ଲକରେ ୧୨ ହଜାର, ପାଟଣାଗଡ଼ ବ୍ଲକରେ ୭ ହଜାର, ତୁରେକେଲା ବ୍ଲକ ଅଞ୍ଚଳରେ ୧୩ ହଜାର ଲୋକ ଫେରିବାର ସମ୍ଭାବନା ଅଛି । ଏହିସବୁ ଅଞ୍ଚଳରେ ଏତେ ଲୋକଙ୍କୁ ସଙ୍ଗରୋଧ କରି ରଖିବାର ବ୍ୟବସ୍ଥା ନାହିଁ । ତେଣୁ ରାଜ୍ୟସରକାରଙ୍କ ସହ ଆଲୋଚନା କରି ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳଙ୍କୁ ସଙ୍ଗୀତା ପରାମର୍ଶ ଦେଇଥିଲେ । କେବଳ ସେତିକି ନୁହେଁ, କିଛି ପଞ୍ଚାୟତରେ ସରପଞ୍ଚ କ୍ବାରେଣ୍ଟାଇନ କେନ୍ଦ୍ର ପରିଚାଳନା ଦାୟିତ୍ବ ନେବାକୁ ମଧ୍ୟ ଅସମ୍ମତ ହେଉଥିବା ସେ ଚିଠିରେ ଉଲ୍ଲେଖ କରିଥିଲେ ।

ଅନୁରୂପ ଭାବରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ କ୍ବାରେଣ୍ଟାଇନ ବ୍ୟବସ୍ଥାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ବାହାର ରାଜ୍ୟରୁ ଫେରୁଥିବା ଓଡ଼ିଆ ଶ୍ରମିକମାନଙ୍କ ରହିବା ଲାଗି କଳାହାଣ୍ଡି ଜିଲ୍ଲାରେ କୌଣସି ବ୍ୟବସ୍ଥା ହୋଇ ନାହିଁ। ଜିଲ୍ଲାରେ ଯେଉଁ ସ୍କୁଲ ଘର ରହିଛି, ସେଠାରେ ଶୌଚାଳୟ ନାହିଁ କି ପାଣି ନାହିଁ । କିଛି ସ୍ଥାନରେ ବିଜୁଳି ବ୍ୟବସ୍ଥା ମଧ୍ୟ ନାହିଁ ।   ସେଠାରେ ଶ୍ରମିକମାନେ ରହିବେ କିପରି ବୋଲି ସେ ପ୍ରଶ୍ନ କରିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି, ବାହାର ରାଜ୍ୟରୁ କେତେ ଶ୍ରମିକ ଫେରୁଛନ୍ତି ତାର କିଛି ତଥ୍ୟ କାହା ପାଖରେ ନାହିଁ।  କାହିଁକି ନା କଳାହାଣ୍ଡି ,ବଲାଙ୍ଗୀର ପରି ଅନେକ ଜିଲ୍ଲାରୁ ଶ୍ରମିକ ଲୁଚି ଲୁଚି ଯାଇ କାମ କରୁଛନ୍ତି। ସରକାର କହୁଛନ୍ତି ୫ ଲକ୍ଷ। କିନ୍ତୁ ଶାସକ ଦଳର ପୂର୍ବତନ ସାଂସଦ କହୁଛନ୍ତି ୧୦ ଲକ୍ଷ। ତେବେ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ଟେଷ୍ଟ କରି ଆଣନ୍ତୁ। ନ ହେଲେ ଏହା ରାଜ୍ୟ  ପାଇଁ ବିପଦ ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି।

ପୂର୍ବରୁ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଅନୁରୂପ ପ୍ରସ୍ତାବ ଦେଇଥିଲେ । ରାଜ୍ୟବାହାରର ଶ୍ରମିକଙ୍କୁ ଏବେ ଫେରାଇ ଆଣିବା ବିପଦପୂର୍ଣ୍ଣ ହେବ । ତେଣୁ ସେଠାରେ ସେମାନଙ୍କର ପରୀକ୍ଷାନିରୀକ୍ଷା କରି ଅଣାଯିବାକୁ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।

Comments are closed.