ଏଏଫ୍‌ସି ମହିଳା ଏସିଆନ କପ୍‌ ଫୁଟବଲ

ଭାରତୀୟ ଦଳରେ ପ୍ୟାରୀ, ମନୀଷା

କୋଚି : ଏଏଫ୍‌ସି ମହିଳା ଏସିଆନ କପ୍‌ ଫୁଟବଲ ପ୍ରତିଯୋଗିତା ମହାରାଷ୍ଟ୍ରରେ ଚଳିତ ଜାନୁଆରୀ ୨୦ରୁ ଫେବୃଆରୀ ୫ ପର୍ଯ୍ୟନ୍ତ ଖେଳାଯିବ। ଏଥିପାଇଁ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ୨୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଓଡ଼ିଶାରୁ ଦୁଇ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ପାନ୍ନା ସ୍ଥାନ ପାଇଛନ୍ତି। ଦଳରେ ସ୍ଥାନ ପାଇଥିବା ଅଞ୍ଜୁ ତମାଙ୍ଗ ମଧ୍ୟ ପୂର୍ବରୁ ଓଡ଼ିଶା ପକ୍ଷରୁ ଜାତୀୟ ସିନିୟର ମହିଳା ଫୁଟବଲ ପ୍ରତିଯୋଗିତାରେ ଖେଳିଛନ୍ତି। ଭାରତୀୟ ଦଳ ବ୍ରାଜିଲ ଗସ୍ତରୁ ଫେରିବା ପରେ କେରଳର କୋଚିରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏଥିରୁ ​‌େ​‌ଖେଳାଳିଙ୍କ ପ୍ରଦର୍ଶନକୁ ଆଧାର କରି ଚୂଡାନ୍ତ ଦଳ ମନୋନୟନ କରାଯାଇଛି। ପ୍ରତିଯୋଗିତା ମ୍ୟାଚ ମୁମ୍ବଇ, ନର୍ଥ ମୁମ୍ବଇ ଓ ପୁଣେରେ ଖେଳାଯିବ। ଏଥିରେ ଗ୍ରୁପ୍‌ ‘ଏ’ରେ ଭାରତ, ଚୀନ, ଚାଇନିଜ୍‌ ତାଇପେ ଓ ଇରାନ ରହିଥିବା ବେଳେ ଗ୍ରୁପ୍‌ ‘ବି’ରେ ଅଷ୍ଟ୍ରେଲିଆ, ଥାଇଲାଣ୍ଡ, ଫିଲିପାଇନ୍‌ସ ଓ ଇଣ୍ଡୋନେସିଆ ଏବଂ ଗ୍ରୁପ୍‌ ‘ସି’ରେ ଜାପାନ, ଦକ୍ଷିଣ କୋରିଆ, ଭିଏତନାମ୍‌, ମିଅଁାମାର ରହିଛନ୍ତି। ପ୍ରତି ଗ୍ରୁପର ଶ୍ରେଷ୍ଠ ଦୁଇ ଦଳ ସିଧାସଳଖ କ୍ବାର୍ଟରଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ୩ଟି ଗ୍ରୁପର ୩ୟ ସ୍ଥାନ ହାସଲ କରିଥିବା ଦଳଙ୍କୁ ନେଇ କ୍ବାର୍ଟରଫାଇନାଲ ଯୋଗ୍ୟତା ମ୍ୟାଚ ଖେଳାଯିବ। ଏଥିରୁ ୨ଟି ଦଳ କ୍ବାର୍ଟଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଭାରତୀୟ ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ଖେଳାଳି ପ୍ୟାରୀ ଖାଖା ଓ ମନୀଷା ପାନ୍ନାଙ୍କୁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛ​‌ା ଜଣାଇବା ସହିତ ସଫଳତା କାମନା କରିଛନ୍ତି।
ଭାରତୀୟ ଦଳ : ଅଦିତି ଚୌହ୍ବାନ, ମାଇବାମ୍‌ ଲିଥୋଲିଙ୍ଗମ୍ବି ଦେବୀ, ସୌମ୍ୟା ନାରାୟଣସ୍ବାମୀ (ସମସ୍ତେ ଗୋଲରକ୍ଷକ), ଡାଳିମା ଛିବର, ଶ୍ବେତା ଦେବୀ ନାଗାମ୍‌ବାମ୍, ଋତୁ ରାଣୀ, ଲୋଟମବାଙ୍ଗ ଆଶାଲତା ଦେବୀ, ମନୀଷା ପାନ୍ନା, ହିମାମ ସିକ୍କି ଦେବୀ, ସଞ୍ଜୁ ଯାଦବ (ସମସ୍ତେ ରକ୍ଷଣଭାଗ); ୱାଇ କମଳା ଦେବୀ, ଅଞ୍ଜୁ ତମାଙ୍ଗ, କାର୍ତ୍ତିକା ଆଙ୍ଗାମୁଥୁ, ରତ୍ନବାଳା ଦେବୀ, ନାଓରିମ୍‌ ପ୍ରିୟଙ୍ଗକା ଦେବୀ, ଇନ୍ଦୁମତି କାଥେରିସେନ (ସମସ୍ତେ ମଧ୍ୟଭାଗ); ମନୀଷା କଲ୍ୟାଣ, ଡାଙ୍ଗମେଇ ଗ୍ରେସ, ପ୍ୟାରୀ ଖାଖା, ରେଣୁ, ସୁମତି କୁମାରୀ, ସନ୍ଧ୍ୟା ରଙ୍ଗନାଥନ, ମାରିୟାମାଲ ବାଲାମୁରୁଗାନ (ସମସ୍ତେ ଅଗ୍ରଭାଗ)। ମୁଖ୍ୟ ପ୍ରଶିକ୍ଷକ: ଥୋମାସ ଡାନରବେ।

Comments are closed.