ପିଡବ୍ଲ୍ୟୁଡିର ରାସ୍ତାକୁ ମହାନଗର ନିଗମର ରାଜସ୍ୱ ଆଦାୟ ପାଇଁ ଜବରଦଖଲ

ରାସ୍ତା ଉପରେ ପରିବା ହାଟ : କରୋନା ନିୟମକୁ ଫୁ ...

ସମ୍ବଲପୁର: ସମ୍ବଲପୁରକୁ ଜବରଦଖଲକାରୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ବେଳେ ଜବରଦଖଲ ଉଚ୍ଛେଦର ଦାୟିତ୍ୱରେ ରହିଥିବା ମହାନଗର ନିଗମ ପ୍ରଶାସନ ଏବେ ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବାର ସାଧାରଣରେ ଅଭିଯୋଗ ହେଉଛି। ପୂର୍ବରୁ ନିଗମ ଓ ଜିଲା ପ୍ରଶାସନର ଜବରଦଖଲକାରୀଙ୍କ ପାଇଁ ନରମ ମନୋଭାବ ପୋଷଣ କରି ଆସିଥିବାରୁ ଏହା ଏବେ ସହରବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇ ସାରିଲାଣି। ସମ୍ବଲପୁର ମୁଖ୍ୟ ସହର ମଧ୍ୟରେ ପିଡବ୍ଲ୍ୟୁଡି ବିଭାଗ ଅଧିନସ୍ଥ ବିଭିନ୍ନ ପ୍ରମୁଖ ରାଜରାସ୍ତାକୁ ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ରାଜସ୍ୱ ଆଦାୟ ପାଇଁ ଏକ ପ୍ରକାର ଜବରଦଖଲ କରି ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି। ସମ୍ବଲପୁର ପ୍ରମୁଖ ମାର୍ଗମାନଙ୍କ ମଧ୍ୟରେ ଅଇଁଠାପାଲି ରୁ ବୁଢ଼ାରଜା, ମୋଦିପଡା ଛକରୁ ଲକ୍ଷ୍ମୀ ଟକିଜ ଛକ, ଗୋବିନ୍ଦତୋଲା ଛକରୁ ଧନୁପାଲି ଛକ ଭଳି ରାଜରାସ୍ତା ଗୁଡିକର କଡରେ ଦୈନିକ ପରିବା ବଜାର ବସୁଛି। ଏହି ପରିବା ବଜାର ମାନଙ୍କରୁ ଟିକସ ଆଦାୟ କରିବା ଲକ୍ଷ୍ୟ ନେଇ ଟେଣ୍ଡର ଜାରି କରି ନିଗମ କର୍ତ୍ତୃପକ୍ଷ ଠିକା ସଂସ୍ଥା ମାନଙ୍କ ଦ୍ୱାରା ନିୟମିତ ମୋଟା ଅଙ୍କରର ଟିକସ ଆଦାୟ କରୁଛନ୍ତି। ଅପର ପକ୍ଷେ ପରିବା ବଜାର ମାନଙ୍କରେ ନିଗମ କର୍ତ୍ତୃପକ୍ଷ ଓ ପୁଲିସ ପ୍ରଶାସନର ଉପସ୍ଥିତିରେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିଲେ ସୁଦ୍ଧା ସମସ୍ତେ ନୀରବ ଦ୍ରଷ୍ଟା ସାଜିଛନ୍ତି।

ଗୋଟିଏ ପଟରେ ମୋଟା ଅଙ୍କରର ଟିକସ ଆଦାୟ କରାଯାଉଥିବା ବେଳେ କିନ୍ତୁ ଜନତା କିମ୍ବା ରାସ୍ତା କଡରେ ବସୁଥିବା ପରିବା ବେପାରୀ ମାନଙ୍କ ପାଇଁ କୌଣସି ସୁବିଧା ପ୍ରଶାସନ ପକ୍ଷରୁ କରାଯାଉ ନାହିଁ। ସହରର କେନ୍ଦ୍ରସ୍ଥଳିରେ ନିର୍ମାଣାଧିନ ଓଭର ବ୍ରିଜ ଯୋଗୁଁ ସହର ମଧ୍ୟରେ ପୂର୍ବରୁ ଗମନାଗମନ ସୁବିଧା ବିପଦଜନକ ପରିସ୍ଥିତ ଦେଇ ଗତି କରୁଥିବା ବେଳେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଘୂରି ଘୂରି ଯାଉଛନ୍ତି। ଏବେ ଧୁଚୁରା ପଡା ଛକରୁ କଚେରୀ ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ବନ୍ଦ ରହିଥିବାରୁ ଲୋକେ ଭିଏସଏସ ମାର୍ଗକୁ ମୁଖ୍ୟତଃ ବ୍ୟବହାର କରୁଛନ୍ତି। କିନ୍ତୁ ଏହି ମାର୍ଗରେ ରହିଥିବା ଏସଡିଏର ପୁରୁଣା ମାର୍କେଟ କମ୍ପେ୍ଲକ୍ସ ନିକଟରେ କରୋନା ସଙ୍କଟ ପୂର୍ବରୁ ପ୍ରାୟ ୧୦୦ ମିଟର ମଧ୍ୟରେ ପରିବା ବଜାର ବସୁଥିଲା। କିନ୍ତୁ ବିଡମ୍ବନାର ବିଷୟ ଯେ କରୋନା କାଳରେ ଏହା ବହୁ ଗୁଣିତ ହୋଇଥିବାରୁ ସୁଇମିଙ୍ଗ ପୁଲ ଛକରୁ ନେଇ ଲକ୍ଷ୍ମୀ ଟକିଜ ଛକ ପର୍ଯ୍ୟନ୍ତ ପ୍ରାୟ ୭ ଶହ ମିଟର ରାଜରାସ୍ତାର ଗୋଟିଏ ପାର୍ଶ୍ବ ରାସ୍ତାକୁ ସମ୍ପୁର୍ଣ୍ଣ ଭାବରେ ସକାଳୁ ଅପରାହ୍ନ ଯାଏଁ ଅବରୋଧ ହୋଇଯାଉଛି। ଏଥି ପାଇଁ ସକାଳୁ ଅପରାହ୍ନ ଯାଏ ଏହି ବ୍ୟସ୍ତତମ ରାସ୍ତାରେ କେବଳ ଗୋଟିଏ ପାର୍ଶ୍ବ ରାସ୍ତାରେ ଯାନବାହାନ ଚଳାଚଳ କରୁଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ଅତ୍ୟନ୍ତ ବିପଦଜନକ ହୋଇ ପଡିଛି। ଅବରୁଦ୍ଧ ରାସ୍ତାର ଅପରପାର୍ଶ୍ବରେ ରହିଥିବା ରାସ୍ତା ଉପରେ ସଉଦା କିଣିବା ପାଇଁ ଆସୁଥିବା ଲୋକେ ସେମାନଙ୍କର ଯାନବାହାନ ଗୁଡିକ ପାର୍କିଂ କରୁଥିବାରୁ ରାସ୍ତାଟି ସମ୍ପୁର୍ଣ୍ଣ ରୂପେ ସଙ୍କୁଚିତ ହୋଇଯାଉଛି। ଏଣୁ ପ୍ରତି ଦିନ ଏହି ଅଞ୍ଚଳରେ ଟ୍ରାଫିକ ଜାମ ସହିତ ଛୋଟ ଛୋଟ ଦୁର୍ଘଟଣା ଲାଗି ରହୁଛି।

ସେହିଭଳି ସହର ମଧ୍ୟକୁ ପ୍ରବେଶ ପାଇଁ ରହିଥିବା ଦୁଇଟି ପ୍ରମୁଖ ଦ୍ୱାର କୁହାଯାଉଥିବା ଅଇଁଠାପାଲି ଛକ ଓ ଧନୁପାଲି ଛକରେ ମଧ୍ୟ ସେହିଭଳି ଅବସ୍ଥା ରହିଛି। ଏହି ପ୍ରବେଶ ଦ୍ୱାର ଗୁଡିକର ରାସ୍ତା କଡରେ ପରିବା ଓ ଉଠା ଦୋକାନୀ ମାନେ ସେମାନଙ୍କର ପସରା ଖୋଲି ବସିଥିବା ବେଳେ ଏଠାରୁ ମଧ୍ୟ ନିଗମ କତ୍ତୃପକ୍ଷ ନିୟମିତ ଟିକସ ଆଦାୟ କରୁଛି। ଅନ୍ୟ ପଟରେ ସାଧାରଣ ଜନତାଙ୍କ ଉପରେ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ମୋଟା ଅଙ୍କରର ଜୋରିମାନା ଆଦାୟ କରୁଥିବା ଟ୍ରାଫିକ ଓ ପୁଲିସ ପ୍ରଶାସନ ସବୁ ଦେଖି ଚୁପ ପଡି ରହୁଛନ୍ତି। ଏଭଳି କି ପୁଲିସର କିଛି ତଳିଆ କର୍ମଚାରୀମାନଙ୍କୁ ଏହି ରାସ୍ତାକଡର ପରିବା ବଜାର ଗୁଡିକରେ ମୃତୟନ କରାଯାଉଥିବାରୁ ଜବରଦଖଲକାରୀ ମାନଙ୍କୁ ପରୋକ୍ଷରେ ସୁରକ୍ଷା ଦିଆଯାଇ ପ୍ରୋତ୍ସାହିତ କରାଯାଉଛି।

ଏ ସର୍ମ୍ପକରେ ପିଡବ୍ଲୁଡି ବିଭାଗ ଅଧିକାରୀ ବିଜୟ ମହାନ୍ତିଙ୍କୁ ଫୋନ କରାଯିବାରୁ ସେ ଏକ ବୈଠକରେ ରହିଥିବାରୁ ପରେ କଥା ହେବା ବୋଲି କହିଥିଲେ। ସେହିଭଳି ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନଙ୍କ ଫୋନ କରାଯିବାରୁ ସେ ଫୋନ ଉଠାଇ ନ ଥିଲେ। ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭଙ୍କର ମହାନ୍ତିଙ୍କୁ ସହରର ସମସ୍ତ ମୁଖ୍ୟ ରାସ୍ତାରେ ପରିବା ବଜାର ବସୁଥିବା ସର୍ମ୍ପକରେ ପଚରାଯିବାରୁ ବିଗତ ଦିନରେ ହୀରାକୁଦ, କମଳିବଜାର ଓ ଶାନ୍ତି ନଗରରେ ଭେଣ୍ଡିଂ ଜୋନ ଖୋଲା ଯାଇଛି ବୋଲି କହିଥିଲେ। ତେବେ ସହର ସାରା ବସୁଥିବା ପରିବା ବଜାର ସର୍ମ୍ପକରେ କୌଣସି ଉତ୍ତର ଅଧିକାରୀ ମହାନ୍ତି ଦେଇ ପାରି ନ ଥିଲେ। ଜବରଦଖଲକାରୀ ମାନଙ୍କୁ ଉଚ୍ଛେଦ ଦାୟିତ୍ୱ ନ୍ୟସ୍ତ ରହିଥିବା ନିଗମ ପକ୍ଷରୁ ଏଭଳି ଜବରଦଖଲକୁ ପ୍ରୋତ୍ସାହିତ କାର୍ଯ୍ୟ କରାଯିବାକୁ ସାଧାରଣରେ ନାପସନ୍ଦ କରାଯାଉଛି। ନିଗମ କର୍ତ୍ତୃପକ୍ଷ ନିଜର ଦୋଷ ଦୁର୍ବଳତା ରହିଥିବାରୁ ଜବରଦଖଲକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନରୁ ସବୁ ସମୟରେ ପଛଘୁଞ୍ଚା ଦେଇ ଆସୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଏଣୁ ଜିଲା ପ୍ରଶାସନ ଓ ନିଗମ କର୍ତ୍ତୃପକ୍ଷ ଜନତାଙ୍କ ସୁବିଧାକୁ ଧ୍ୟାନ ଦେଇ ସମସ୍ୟାର ସ୍ଥାୟୀ ପ୍ରତିକାର କରନ୍ତୁ ବୋଲି ସବୁ ମହଲରୁ ମତପ୍ରକାଶ ପାଇବା ସହିତ ଦାବି ହେଉଛି।

କରୋନା ସଙ୍କଟ ପୂର୍ବରୁ ସାଧାରଣତଃ ସମ୍ବଲପୁରର ଗୋଲବଜାର ସମେତ ଅନ୍ୟ କିଛି ମୁଖ୍ୟ ସ୍ଥାନରେ ଗୁଡିକରେ ପରିବା ବଜାର ଲାଗୁଥିଲା। ତେବେ କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ମାର୍ଚ୍ଚ ମାସ ପରେ ବିଭିନ୍ନ ସମୟରେ ଆବଶ୍ୟକତା ଅନୁଯାୟୀ ଅନେକ ପ୍ରକାରର ନିୟମ ଲାଗୁ କରାଯାଇ ମୁଖ୍ୟତଃ ପରିବା ବଜାର ଗୁଡିକୁ ପୃଥିକୀକରଣ କରାଯାଇ ଖୋଲା ସ୍ଥାନ ଗୁଡିକୁ ନିଆଯାଇଥିଲା। ଏହି କ୍ରମରେ ସମ୍ବଲପୁର ପ୍ରମୁଖ ପରିବା ବଜାର ଗୋଲବଜାରକୁ ସ୍ଥାନାନ୍ତରଣ କରାଯାଇ ମନ୍ଦଲିଆ ପଡିଆ, ଅଇଁଠାପାଲି ମୁଖ୍ୟ ରାସ୍ତା କଡରେ ରହିଥିବା ପରିବା ବଜାରକୁ ପିଏସଡି ପଡିଆ ଓ ଶାନ୍ତି ନଗର ମଧ୍ୟରେ ରହିଥିବା ବଜାର ଆଦିକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ମାର୍ଗ ଲକ୍ଷ୍ମୀ ଟକିଜ ଛକରୁ ମୋଦିପଡା ଛକ ମଧ୍ୟରେ ରହିଥିବା ଅଗ୍ନିଶମ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନ ଥିଲା। ମୁଖ୍ୟତଃ ଗୋଲବଜାର ର ପରିବା ବଜାରଟି ମନ୍ଦଲିଆ ପଡିଆକୁ ସ୍ଥାନାନ୍ତରିତ ହେବା ପରେ ଦୂର ସ୍ଥାନକୁ ଯିବା ପରିବର୍ତ୍ତେ କରୋନା କାଳରେ ଲୋକେ ଭିଏସଏସ ମାର୍ଗରେ ରହିଥିବା ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରୁ ପରିବା କିଣିବା ପସନ୍ଦ କରିଥିଲେ। ଫଳରେ ଏହି ଅଞ୍ଚଳର ପରିବା ବଜାରରେ ଦିନକୁ ଦିନ ଖାଉଟୀ, ବ୍ୟବସାୟୀ ଓ ଚାଷୀମାନେ ରାସ୍ତା କଡରେ ପସରା ଲଗାଇବାରୁ ପ୍ରତ୍ୟହ ପ୍ରବଳ ଭିଡ ରହୁଛି। ଯାହାକି ଏବେ ଜନତା ପାଇଁ ଅସୁବିଧାର ଏକ ପ୍ରମୁଖ କାରଣ ହୋଇଛି।

 

 

Comments are closed.