ରୁଷ୍‌ ଜନସଂଖ୍ୟା ବୃଦ୍ଧି ପାଇଁ ପୁଟିନଙ୍କ ଯୋଜନା : ୧୦ ଛୁଆ ଜନ୍ମ କଲେ ଅର୍ଥ ପୁରସ୍କାର

ମସ୍କୋ : ରୁଷ୍‌ ଜନସଂଖ୍ୟା ବୃଦ୍ଧି ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଭିନବ ଯୋଜନା କରିଛନ୍ତି। ଯେଉଁ ମହିଳା ୧୦ କିମ୍ବା ତଦୂର୍ଦ୍ଧ ପିଲା ଜନ୍ମ କରିବେ ଏବଂ ସେମାନଙ୍କୁ ଜୀବିତ ରଖିବାରେ ସକ୍ଷମ ହେବେ ତାଙ୍କୁ ସରକାରଙ୍କ ତରଫରୁ ୧୩,୫୦୦ ୟୁରୋ ଅର୍ଥ ରାଶି ପ୍ରଦାନ କରାଯିବ। କରୋନା ସଂକ୍ରମଣ ଓ ୟୁକ୍ରେନ୍‌ ସହ ଯୁଦ୍ଧ ଯୋଗୁଁ ରୁଷ୍‌ର ଜନସଂଖ୍ୟା ହ୍ରାସ ପାଉଥିବାରୁ ଏହାକୁ ବଢ଼ାଇବାକୁ ପୁଟିନ ଏପରି ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନାର ନାମ ମଦର ହିରୋଇନ ରଖାଯାଇଛି। ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ପୁଟିନ ଏହି ଯୋଜନା କରିଥିବା ବେଳେ ବଡ଼ ପରିବାରରେ ବଢିଥିବା ବ୍ୟକ୍ତି ଅଧିକ ଦେଶଭକ୍ତ ହୋଇଥାନ୍ତି ବୋଲି ସେ କହିଥିବା ରୁଷ୍‌ର ରାଜନେତା ତଥା ସୁରକ୍ଷା ବିଶେଷଜ୍ଞ ଡ. ଜେନି ମାଥେର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୧୦ରୁ ଅଧିକ ସନ୍ତାନ ଜନ୍ମ ଦେବା ସହ ସେମାନଙ୍କୁ ଲାଳନ ପାଳନ କରିବା ପାଇଁ ପରିବାର ଉପରେ ବହୁ ଅଧିକ ଆର୍ଥିକ ବୋଝ ପଡ଼ିବ ଏବଂ ଦେଶରେ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସମସ୍ୟା ଦେଖାଯିବାର ଆଶଙ୍କା ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି କେତେକ ମହଲରେ ମତପ୍ରକାଶ ପାଇଛି।

Comments are closed.