ଅକଳରେ ପୁଟିନ୍‍ ; ଶେଷ ସାହାରା ପରମାଣୁ ଅସ୍ତ୍ର

ମସ୍କୋ/କିଭ : ୟୁକ୍ରେନ ଯୁଦ୍ଧକୁ ସାତମାସ ପୁରି ଆଠମାସ ଚାଲିଲାଣି । ସାତଦିନରେ ୟୁକ୍ରେନ ଦଖଲର ସ୍ୱପ୍ନ ଦେଖୁଥିବା ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଏବେ ନିରୁପାୟ ଅବସ୍ଥାରେ। ୟୁକ୍ରେନରେ ରୁଷ ଯୁଦ୍ଧ ଆରମ୍ଭ କରିଥିଲେ ମଧ୍ୟ ଏବେ ବସ୍ତୁତଃ ଲଢେଇ ରୁଷ ଏବଂ ଆମେରିକା ତଥା ଆମେରିକାର ମିତ୍ର ରାଷ୍ଟ୍ରଗୁଡିକ ମଧ୍ୟରେ ଚାଲିଛି। ଯୁଦ୍ଧ କ୍ଷେତ୍ରରେ ଲଡୁଛନ୍ତି ୟୁକ୍ରେନ ସୈନ୍ୟ, କିନ୍ତୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର। ଏଥିରେ ୟୁକ୍ରେନ ବରବାଦ୍‍ ହୋଇସାରିଲାଣି ସତ, କିନ୍ତୁ ତାହାର ସୈନ୍ୟଙ୍କର ମନୋବଳ ଏବେମଧ୍ୟ ଅତୁଟ ରହିଛି। ଅନ୍ୟପକ୍ଷରେ ଯୁଦ୍ଧରେ ରୁଷ ତାହାର ବହୁସଂଖ୍ୟକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର, ଲଢୁଆ ବିମାନ, ହେଲିକପ୍ଟର ଆଦିକୁ ହରାଇ ସାରିଲାଣି। ପରିସ୍ଥିତିକୁ ସମ୍ଭାଳିବା ଏବଂ ବିଶ୍ୱ ଦରବାରେ ନିଜର ପତିଆରା ବଜାୟ ରଖିବାକୁ ପୁଟିନ କିଛିଦିନ ତଳେ ୩ ଲକ୍ଷ ରିଜର୍ଭ ସୈନ୍ୟ ନିଯୁକ୍ତ କରିବାକୁ ଘୋଷଣା କରିଥିଲେ। ଦେଶର ଯୁବଗୋଷ୍ଠୀ ଏବଂ ପୂର୍ବତନ ସୈନ୍ୟଙ୍କୁ ଦେଶର ସେନାରେ ସାମିଲ କରି ସେମାନଙ୍କୁ ୟୁକ୍ରେନ ପଠାଇବା ଯୋଜନା କରାଯାଇଛି। ଏହିଭଳି କିଛି ସୈନ୍ୟ ମଧ୍ୟ ୟୁକ୍ରେନ ଅଭିମୁଖେ ଯାତ୍ରା କରିସାରିଛନ୍ତି। ତେବେ ୟୁକ୍ରେନ ପକ୍ଷରୁ ଇତିମଧ୍ୟରେ କୁହାଯାଇଛି ଯେ ପ୍ରାୟ ୨ ହଜାର ରୁଷ ସୈନ୍ୟ ୟୁକ୍ରେନ ନିକଟରେ ଆତ୍ମସମର୍ପଣ କରିବାକୁ ୟୁକ୍ରେନ ପକ୍ଷରୁ ସ୍ଥାପନ କରାଯାଇଥିବା ହଟ୍‍ଲାଇନରେ ଯୋଗାଯୋଗ କରିଛନ୍ତି। ତେବେ ଏହାର ସତ୍ୟତା ନେଇ କିଛି ସଠିକ ଜଣାପଡ଼ିନାହିଁ। ଏଭଳି ପରିସ୍ଥିତିରେ ପୁଟିନ ବାରମ୍ବାର ଆମେରିକାକୁ ଧମକ ଦେବା ସହିତ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ କହୁଥିଲେ ମଧ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାହାକୁ ଭ୍ରୁକ୍ଷେପ କରୁନାହାନ୍ତି। ସମ୍ପ୍ରତି ଆମେରିକା ପକ୍ଷରୁ ୟୁକ୍ରେନକୁ ଆଉ ଚାରିଟି ହିମାରସ୍‍ କ୍ଷେପଣାସ୍ତ୍ର ବ୍ୟବସ୍ଥା ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଅନ୍ୟ ଉପାୟ ନଦେଖି ରୁଷ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ମଧ୍ୟ ଦେଇଛନ୍ତି। କେବଳ ଧମକ ନୁହେଁ, ଇତିମଧ୍ୟରେ ରୁଷରୁ ଟ୍ୟାଙ୍କ, ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ପରମାଣୁ ଅସ୍ତ୍ର ବୋଝେଇ ଟ୍ରେନ ୟୁକ୍ରେନ ଯାତ୍ରା କରିଥିବା ଜଣାଯାଇଛି।
ଉପଗ୍ରହ ଚିତ୍ରରୁ ଦେଖିବାକୁ ମିଳିଛି ଯେ ଏକ ଦୀର୍ଘକାୟ ଟ୍ରେନରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ପରମାଣୁ ଅସ୍ତ୍ର ୱେଲ୍‍ଡିଂ ଡିଭିଜନ ୟୁକ୍ରେନ ଅଭିମୁଖେ ଯାତ୍ରା କରିଛି। ଏହାକୁ ନେଇ ରୁଷ-ୟୁକ୍ରେନ ଯୁଦ୍ଧ ଅଧିକ ଭୟଙ୍କର ରୂପ ଧାରଣ କରିବା ଆଶଙ୍କା ବୃଦ୍ଧିପାଇଛି। ରୁଷର ଏହିଭଳି ଅତ୍ୟାଧୁନିକ ସାମରିକ ଉପକରଣ ଓ ଯୁଦ୍ଧାସ୍ତ୍ର ୟୁକ୍ରେନ ଯୁଦ୍ଧ କ୍ଷେତ୍ରର ସମ୍ମୁଖ ଭାଗରେ ଏପର୍ଯ୍ୟନ୍ତ ମୁତୟନ ହୋଇନଥିବା ପରିଲକ୍ଷିତ ହୋଇଥିଲା। ଏହା ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ଦ୍ୱାଦଶ ମୁଖ୍ୟ ନିର୍ଦ୍ଦେଶାଳୟ ଅଧୀନରେ ଥିବା ଜଣାଯାଇଛି। ଏହି ସ୍ୱତନ୍ତ୍ର ଡିଭିଜନ ସାଧାରଣତଃ ଷ୍ଟ୍ରାଟେଜିକ ରକେଟ ବାହିନୀର ମହଜୁଦ, ରକ୍ଷଣାବେକ୍ଷଣ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଣ ବ୍ୟବସ୍ଥା ପାଇଁ ଉତ୍ସର୍ଗୀକୃତ। ଏହା ରୁଷର ଏକ ସାମରିକ ଶାଖା ଯାହା ପରମାଣୁ କ୍ଷେପଣାସ୍ତ୍ରକୁ ନିୟନ୍ତ୍ରଣ କରିଥାଏ ଏବଂ ପୁଟିନଙ୍କ ପରମାଣୁ କାର୍ଯ୍ୟକ୍ରମର ମୁଖ୍ୟ ଅଙ୍ଗ ଭାବରେ ବିବେଚିତ ହେଉଛି ବୋଲି ଡେଲି ମେଲ୍‍ ସୂତ୍ରରୁ କୁହାଯାଇଛି। ଏହି ୟୁନିଟ ମୁତୟନ ଅର୍ଥ ଯୁଦ୍ଧ ଅଧିକ ବ୍ୟାପକ ରୂପନେବା ଏବଂ ପରମାଣୁ ଅସ୍ତ୍ର ବ୍ୟବହାର ଆଶଙ୍କା ବୃଦ୍ଧିପାଇବାକୁ ସୂଚାଉଛି ବୋଲି ସାମରିକ ବିଶେଷଜ୍ଞ କୋନାର୍ଡ ମୁସ୍ୟକା କହିଛନ୍ତି। ସୂଚନାଯୋଗ୍ୟ ଯେ ୟୁକ୍ରେନ ଯୁଦ୍ଧରେ ବିଜୟୀ ହେବା ସକାଶେ ରୁଷ କମ୍‍ ଶକ୍ତିଶାଳୀ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ପୁଟିନଙ୍କ ମିତ୍ର ରମଜନା କାଦିରୋଭ ପ୍ରସ୍ତାବ ଦେବା ଏବଂ ନାଟୋ ପକ୍ଷରୁ ଏହାର ସଦସ୍ୟ ରାଷ୍ଟ୍ରମାନଙ୍କୁ ସତର୍କ ରହିବାକୁ ସୂଚନା ଦେବାପରେ ରୁଷର ଏଭଳି ପଦକ୍ଷେପ ବିଶ୍ୱବ୍ୟାପୀ ଚିନ୍ତା ବଢ଼ାଇ ଦେଇଛି।
ଅନ୍ୟପକ୍ଷରେ ୟୁକ୍ରେନର ଚାରିଟି ଅଞ୍ଚଳକୁ ଦଖଲ କରିବା ରୁଷ ପକ୍ଷରୁ ସେଠାରେ ତରବରିଆ ଭାବରେ ଜନସୁମାରୀ କରାଯାଇ ଉକ୍ତ ଅଞ୍ଚଳକୁ ରୁଷର ଅଂଶବିଶେଷ ବୋଲି ଘୋଷଣା କରାଯିବା ପରେ ୟୁକ୍ରେନ ସୈନ୍ୟମାନେ ଉକ୍ତ ଅଞ୍ଚଳ ପୁନଃ ଦଖଲ କରିବାକୁ ଆକ୍ରମଣ ଜୋର୍‍ଦାର କରିଛନ୍ତି। ଇତିମଧ୍ୟରେ ୟୁକ୍ରେନ ସୈନ୍ୟ ଲିମ୍ୟାନ ସହରକୁ ପୁନର୍ବାର ନିଜ ଦଖଲକୁ ନେଇଯାଇଥିବାବେଳେ ରୁଷ ସୈନ୍ୟ ସେଠାରୁ ପଛଘୁଞ୍ଚା ଦେଇଛନ୍ତି। ଡନେସ୍କ, ଲୁହାନସ୍କ, ଖେର୍‍ସନ ଏବଂ ଜାପୋରିଜିଆ ଆଦି ଚାରିଟି ସ୍ଥାନରେ ସମ୍ପ୍ରତି ଦୁଇ ପକ୍ଷ ସୈନ୍ୟଙ୍କ ମଧ୍ୟରେ ଲଢେଇ ଜୋର୍‍ଦାର ହୋଇଛି। ପରିସ୍ଥିତିକୁ ଦେଖି ପୁଟିନ ଉକ୍ତ ଅଞ୍ଚଳର ଜନସାଧାରଣଙ୍କୁ ରୁଷ ସେନାରେ ସାମିଲ କରି ସେମାନଙ୍କୁ ଢାଲ ବନାଇବା ପ୍ରଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ରୁଷ ସେନାରେ ବଳପୂର୍ବକ ସାମିଲ କରାଯିବା ଘଟଣାକୁ ବିରୋଧ କରି ରୁଷର ପ୍ରାୟ ୩ ଲକ୍ଷ ନାଗରିକ ଦେଶଛାଡି ଅନ୍ୟତ୍ର ପଳାଇ ଯାଇଛନ୍ତି। ଏପରିକି ସେମାନଙ୍କ ମଧ୍ୟରୁ ଅଧିକାଂଶ ୟୁରୋପୀୟ ରାଷ୍ଟ୍ରଗୁଡିକୁ ଯାଇ ସେଠାରେ ଶରଣ ଲୋଡିଛନ୍ତି।

Comments are closed.