ଋୁଷ ରାଷ୍ଟ୍ରପତି ପୁତିନ୍‍ ଆଉ ଦୁଇପାଳି କ୍ଷମତାରେ ରହିବେ: ଆଇନରେ ନିଜେ ସ୍ୱାକ୍ଷରକଲେ

ମସ୍କୋ: ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ କାଳ କ୍ଷମତାରେ ରହିସାରିଥିବା ୬୮ ବର୍ଷ ବୟସ୍କ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‍ ଆଉ ଦୁଇଟି ପାଳି ଦେଶର ରାଷ୍ଟ୍ରପତି ଭାବେ ରହିବେ। ଏ ସଂକ୍ରାନ୍ତ ଏକ ଆଇନରେ ନିଜେ ପୁତିନ୍‍ ସୋମବାର ସ୍ୱାକ୍ଷର କରିଛନ୍ତି। ରୁଷ ସରକାରଙ୍କ ଲିଗାଲ ଇନଫର୍‍ମେସନ ପୋର୍ଟାଲରୁ ଏହା ଜଣାଯାଇଛି। ରୁଷ ରାଷ୍ଟ୍ରପତିଙ୍କର ଗୋଟିଏ ପାଳି କାର୍ଯ୍ୟକାଳ ୬ବର୍ଷ ହୋଇଥିବାବେଳେ ପୁତିନ୍‍ ଏହି ଆଇନ ବଳରେ ୨୦୩୬ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦ ବଜାୟ ରଖିବେ ବୋଲି ଜଣାଯାଇଛି। ତାଙ୍କର ଚଳିତ ପାଳିର କାର୍ଯ୍ୟକାଳ ୨୦୨୪ରେ ଶେଷହେବାକୁ ଯାଉଛି। ନିଜର କାର୍ଯ୍ୟକାଳ ବଦ୍ଧି କରିବାକୁ ଗତବର୍ଷ ସମ୍ବିଧାନରେ ସଂଶୋଧନ ଆଣିବାକୁ ପୁତିନ ପ୍ରସ୍ତାବ ରଖିଥିଲେ।
ସୂଚନାଯୋଗ୍ୟ ଯେ ପୁତିନ ପ୍ରଥମକରି ୨୦୦୦ରେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ସେହି ସମୟରେ ସେ ୪ବର୍ଷ ଲେଖାଏଁ କ୍ରମାଗତ ଦୁଇପାଳି ରାଷ୍ଟ୍ରପତି ରହିଥିଲେ। ପରେ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଦିମିତ୍ରି ମେଦେଭଦେଭଙ୍କୁ ସେ କ୍ଷମତା ହସ୍ତାନ୍ତର କରିଥିଲେ। ଦେଶରେ କ୍ରମାଗତ ଦୁଇଥର ରାଷ୍ଟ୍ରପତି ରହିବା ପରେ ତାଙ୍କ ବିରୋଧରେ କାଳେ ସମାଲୋଚକ ଅଙ୍ଗୁଳି ଉଠାଇବେ, ସେଥିପାଇଁ ପୁତିନ୍‍ ଚତୁରତାର ସହିତ ଏଭଳି କରିଥିଲେ। ମେଦେଭଦେଭ କ୍ଷମତାରେ ଥିବା ସମୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୬ବର୍ଷକୁ ବୃଦ୍ଧି କରିବା ସଂପକ୍ରିତ ଏକ ଆଇନରେ ସ୍ୱାକ୍ଷର କରିଥିଲେ। ଏହାପରେ ୨୦୧୨ରେ ପୁତିନ ପୁନଶ୍ଚ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ୨୦୧୮ରେ ଅନୁଷ୍ଠିତ ନିର୍ବାଚନରେ ନିଜ ପଦବୀ ବଜାୟ ରଖିଥିଲେ। ସଂପ୍ରତି ଆଉ ଦୁଇଟି ପାଳି ରାଷ୍ଟ୍ରପତି ରହିବା ନେଇ ପୁତିନ୍‍ କରିଥିବା ଆଇନରେ ସଂଶୋଧନକୁ କ୍ରେମଲିନ୍‍ର ବିରୋଧୀ ପକ୍ଷ ସମାଲୋଚନା କରିଛନ୍ତି। ଏହାଦ୍ୱାରା ପୁତିନ ସାରାଜୀବନ ରାଷ୍ଟ୍ରପତି ରହିବାକୁ ଯୋଜନା କରିଥିବା ସେମାନେ ଦର୍ଶାଇଛନ୍ତି।

 

Comments are closed.