ବିଯୁକ୍ତ ୧୪ ଡିଗ୍ରୀ ସେଲସିୟସ୍ ଥଣ୍ଡା ପାଣିରେ ବୁଡ଼ ପକାଇଲେ ପୁତିନ

ମସ୍କୋ: ବିଶ୍ବର ଅନ୍ୟତମ ଫିଟ୍ ରାଷ୍ଟ୍ରମୁଖ୍ୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଖୁବ୍ ଧର୍ମବିଶ୍ବାସୀ। ସମ୍ପ୍ରତି ସେ ଖ୍ରୀଷ୍ଟିଆନ ରୀତିନୀତି ଆଧାରରେ ବିଯୁକ୍ତ ୧୪ଡିଗ୍ରୀ ସେଲ୍ସିୟସ୍ ଥଣ୍ଡା ପାଣିରେ ବୁଡ଼ ପକାଇଥିବାର ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ପରେ ଏହାର ପ୍ରମାଣ ମିଳିଛି। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ଏକ ପର୍ବ ‘ଫିଷ୍ଟ ଡେ’ ବା ‘ଇପିଫନି’ ପାଳନ ଅବସରରେ ୬୮ବର୍ଷୀୟ ପୁତିନ ଧାର୍ମିକ ରୀତିନୀତି ଆଧାରରେ ବୁଡ଼ ପକାଇଥିବା ପ୍ରକାଶ। ଇପିଫନି ଅବସରରେ ବରଫ ପାଣିରେ ବୁଡ଼ ପକାଇବା ଅତ୍ୟନ୍ତ ପବିତ୍ର ବୋଲି ବିଚାର କରାଯାଇଥାଏ। ଭଗବାନ ଯିଶୁ ଯାର୍ଡନ ନଦୀରେ ବୁଡ଼ ପକାଇଥିବା ତିଥିରେ ଖ୍ରୀଷ୍ଟ ଧର୍ମାବଳମ୍ବୀମାନେ ବୁଡ଼ ପକାଇଲେ ସମସ୍ତ ପାପ ନାଶନ ହେବାର ବିଶ୍ବାସ ରହିଛି। ପୁତିନ ସମ୍ପୂର୍ଣ୍ଣ ଫୁଙ୍ଗୁଳା ଦେହରେ ସେ ବରଫ ପାଣିରେ ଗାଧୋଉଥିବାର ଫଟୋ ଦେଖିଲେ ଯେ କେହି ବିସ୍ମିତ ହୋଇଯିବ।