ବାଇଡେନଙ୍କ ବିରୋଧରେ ଟ୍ରମ୍ପଙ୍କୁ ସହାୟତା କରିଥିଲେ ପୁଟିନ, ଗୁଇନ୍ଦା ରିପୋର୍ଟରେ ପର୍ଦ୍ଦାଫାଶ

ୱାଶିଂଟନ: ଆମେରିକାରେ ୨୦୨୦ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ରୁଷର ଭୂମିକାକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସହାୟତା କରିବାର ଅଭିଯାନକୁ ସ୍ବୀକୃତି ଦେଇଥିଲେ ବୋଲି ଆମେରିକୀୟ ଗୁଇନ୍ଦା ସଂସ୍ଥା ରିପୋର୍ଟରେ ଦର୍ଶାଇଛି। ତେବେ ମତଦାନ ପ୍ରକ୍ରିୟା ଉପରେ ଏହାର କୌଣସି ପ୍ରଭାବ ପଡ଼ିଥିବାର ପ୍ରମାଣ ମିଳିନାହିଁ।

ଏକ ସରକାରୀ ରିପୋର୍ଟରେ କୁହାଯାଇଛି ଯେ, ରୁଷ ବାଇଡେନଙ୍କ ବିଜୟ ପରେ ଭ୍ରମାତ୍ମକ ଏବଂ ବିନା କୌଣସି ପ୍ରମାଣରେ ବିଭିନ୍ନ ଅଭିଯୋଗ କରିଥିଲେ। ତେବେ ଏଥିରେ କୁହାଯାଇଛି ଯେ, କୌଣସି ବିଦେଶୀ ସରକାର ନିର୍ବାଚନର ଅନ୍ତିମ ଫଳାଫଳକୁ ପ୍ରଭାବିତ କରି ନ ଥିଲେ।

ଅର୍ଥାତ କୌଣସି ବିଦେଶ ହସ୍ତକ୍ଷେପ ଯୋଗୁ ମତଦାନ ପ୍ରକ୍ରିୟା ଉପରେ କୌଣସି ପ୍ରଭାବ ପଡ଼ିଛି ବୋଲଇ ଗୁଇନ୍ଦା ସଂସ୍ଥାକୁ ଏପରି କୌଣସି ପ୍ରମାଣ ମିଳି ନାହିଁ। ଜାତୀୟ ଗୁଇନ୍ଦା କାର୍ଯ୍ୟାଳୟ ନିର୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ୧୫ ପୃଷ୍ଠାର ରିପୋର୍ଟରେ ଆମେରିକାରେ ୨୦୨୦ରେ ହୋଇଥିବା ନିର୍ବାଚନରେ ବିଦେଶୀ ହସ୍ତକ୍ଷେପର ବିସ୍ତୃତ ଆକଳନ କରାଯାଇଛି। ରିପୋର୍ଟରେ କୁହାଯାଇଥିଲା ଯେ, ରୁଷ ସହିତ ଜଡ଼ିତ ବ୍ୟକ୍ତିବିଶେଷ ନିର୍ବାଚନ ପୂର୍ବରୁ ବିନା କୌଣସି ତଥ୍ୟରେ ଭ୍ରମାତ୍ମକ ଖବର ପ୍ରଚାର କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା।

ଗୁଇନ୍ଦା ନିର୍ଦେଶକ କାର୍ଯ୍ୟାଳୟରୁ ଜାରି ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ରୁଷ ଏବଂ ଇରାନ ତରଫରୁ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଲାଗି ଅଭିଯାନ ଚଲାଯାଇଥିଲା। ଇରାନ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ହୁଅନ୍ତୁ ବୋଲି ଚାହୁଁ ନ ଥିଲା, ତେଣୁ ଟ୍ରମ୍ପଙ୍କୁ କ୍ଷତି ପହଞ୍ଚାଇବା ଲାଗି ଉଦ୍ୟମ କରିଥିଲା। କିନ୍ତୁ ଇରାନ୍‌ ବିରୋଧରେ ବି ତଦନ୍ତକାରୀ ସଂସ୍ଥାଗୁଡ଼ିକୁ କୌଣସି ପ୍ରମାଣ ମିଳିନାହିଁ।

Comments are closed.