ପୁରୀ ହିଂସାକାଣ୍ଡ ; ୮ଗିରଫ

0

ପୁରୀ : ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଅଭିଯୋଗରେ ପୁଲିସ ରବିବାର ଆଉ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଶ୍ରୀମନ୍ଦିର ସିଂହଦ୍ୱାର ସୂଚନା କେନ୍ଦ୍ର ଭଙ୍ଗାରୁଜା ଏବଂ ଟ୍ରାଫିକପୋଷ୍ଟ ପୋଡି ଅଭିଯୋଗ ରହିଛି। ସିଂହଦ୍ୱାର ଥାନା ପୁଲିସ ମାର୍କଣ୍ଡେଶ୍ୱର ସାହିର ଜମ୍ବେଶ୍ୱର ପାତ୍ର (୨୮) ଓ କାଚେରାଗଳିର ରାଧାନାଥ ଦାସ (୨୪)ଙ୍କୁ ଗିରଫ କରିଛି। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ମୁକ୍ତିନାଥ ପ୍ରତିହାରୀଙ୍କ ଏତଲାକୁ ଭିତ୍ତିକରି ସେମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଯାଇଛି। ଜମ୍ବେଶ୍ୱର ଓ ରାଧାନାଥ ସିଂହଦ୍ୱାର ସୂଚନାକେନ୍ଦ୍ର ଭଙ୍ଗା ଘଟଣାରେ ସଂପୃକ୍ତଥିବା ପୁଲିସ ସୂଚନା ଦେଇଛି। ସେହିପରି ପୁରୀବନ୍ଦ ସମୟରେ ଟ୍ରାଫିକ ସିଗନାଲ ପୋଡି ଓ ଭଙ୍ଗାରୁଜା ଅଭିଯୋଗରେ ତଳୁଚ୍ଛ ସାହିର ଅଜୟ କୁମାର ମିଶ୍ର (୩୬), ଚୂଡଙ୍ଗ ସାହିର ଉମାକାନ୍ତ ବେହେରା (୫୦), ସନ୍ତୋଷ କୁମାର ପାଢୀ (୩୭), ଲୋକନାଥ ରୋଡ୍‍ ହାତୀଶାଳର ହରିହର ସେଠୀ (୨୦), କାଳିକାଦେବୀ ସାହିର ବଳଭଦ୍ର ନନ୍ଦ (୪୨) ଓ ଜଗନ୍ନାଥ ନନ୍ଦ (୪୦)ଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି। ଟ୍ରାଫିକ ସବ୍‍ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଅଭିଯୋଗକୁ ଭିତ୍ତିକରି ସେମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ପୁରୀ ହିଂସାକାଣ୍ଡ ଘଟଣାରେ ଏପର୍ଯ୍ୟନ୍ତ ୭୩ଜଣଙ୍କୁ ଗିରଫ କରାଯାଇଛି। ରବିବାର ଗିରଫ ହୋଇଥିବା ୮ଜଣଙ୍କୁ ପୁଲିସ ସବ୍‍ଡ଼ିଭିଜନାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଇଥିଲା। କୋର୍ଟ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‍ ହାଜତକୁ ପଠାଇ ଦେଇଛନ୍ତି। ଗତ ୩ତାରିଖ ଦିନ ପୁରୀବନ୍ଦ ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା। ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ଶତାଧିକ ଲୋକ ସିଂହଦ୍ୱାର ସୂଚନାକେନ୍ଦ୍ର, ସିଂହଦ୍ୱାର ପୁଲିସଫାଣ୍ଡି, ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ।
ଏହାଛଡା ଚାରିଗୋଟି ମାଗଣା ଜୋତାଷ୍ଟାଣ୍ଡ ସମେତ ବଡ଼ଦାଣ୍ଡର ୩ଟି ଟ୍ରାଫିକପୋଷ୍ଟ ନିଅାଁଲଗାଇ ପୋଡି ଦିଆଯାଇଥିଲା। ଶ୍ରୀମନ୍ଦିର ବାଇଶି ପାହାଚରେ ନିର୍ମିତ ବ୍ୟାରିକେଡକୁ କେତେକ ବ୍ୟକ୍ତି ଉପାଡି ଫିଙ୍ଗି ଦେଇଥିଲେ। ପୁଲିସ ଏବଂ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଗୋଡାଗୋଡି ଯୋଗୁଁ ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦାଣ୍ଡ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିଚାଳନା ସମେତ ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ ମାଡ କରିଥିଲା। ସେଥିରେ ୧୫ଜଣ ଆନ୍ଦୋଳନକାରୀ ଓ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ।
ଏହି ଘଟଣାରେ ପୁଲିସ ୧୬ଟି ମାମଲା ରୁଜୁ କରିଛି। ସରକାରୀ ସମ୍ପତ୍ତି ନଷ୍ଟ, ପୋଡାଜଳା, ଭଙ୍ଗାରୁଜା, ଡକାୟତି, ହତ୍ୟା ଉଦ୍ୟମ ଆଦି ସଙ୍ଗୀନ ଦଫା ଲଗାଯାଇଛି। ଗଣ୍ଡଗୋଳରେ ସଂପୃକ୍ତଥିବା ଅଭିଯୋଗରେ ପୁଲିସ ୭୩ଜଣଙ୍କୁ ଗିରଫ କରିଥିବା ବେଳେ ପୁରୀବନ୍ଦ ଡାକରା ଦେଇଥିବା ଏବଂ ଗଣ୍ଡଗୋଳ ପାଇଁ ଉତ୍ସାହିତ କରିଥିବା ଲୋକଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଗିରଫ ଅଭିଯୁକ୍ତମାନେ ଜାମିନ ଆବେଦନ କରିନପାରି ପୁରୀ ଜେଲ୍‍ରେ ରହିଛନ୍ତି।

Leave A Reply