ପୁରୀ ଅଶାନ୍ତ : କଲେଜ ଛାତ୍ରଙ୍କୁ ଗୁଳିମାଡ଼, ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଅବରୋଧ

ପୁରୀ : ପୁରୀ ଦତ୍ତତୋଟାରେ ମଙ୍ଗଳବାର ଜଣେ କଲେଜ ଛାତ୍ରଙ୍କୁ ଗୁଳିମାଡ ହୋଇଛି। ଏହି ଘଟଣାକୁ ନେଇ ପୁରୀ ସହରରେ ଛାତ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଅପରାଧୀଙ୍କୁ ଗିରଫ ଦାବିରେ ଶତାଧିକ ଛାତ୍ର କଲେଜ ସମ୍ମୁଖ ମେଡ଼ିକାଲ ରୋଡ୍‌ରେ ଟାୟାର ଜାଳି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ।

ଘଟଣାରୁ ଜଣାଯାଇଛି, ଗୋପବନ୍ଧୁ ଆୟୁର୍ବେଦ କଲେଜର ଛାତ୍ର ଜନ୍ମେଜୟ ମନ୍ତ୍ରୀ (୧୮) ସନ୍ଧ୍ୟା ପ୍ରାୟ ୭ଟା ୩୫ରେ ଦତ୍ତତୋଟା ଦେଇ ଜଣେ ସାଙ୍ଗ ଘରକୁ ଯାଉଥିଲେ। ୨ଜଣ ଯୁବକ ମୋଟର ସାଇକଲରେ ଆସି ତାଙ୍କୁ ଅଟକାଇ ଥିଲେ। ସେଥିରୁ ଜଣେ ଯୁବକ ଜନ୍ମେଜୟଙ୍କ ମୋବାଇଲ ଫୋନ ଛଡାଇ ନେବାକୁ ଉଦ୍ୟମ କରିଥିଲା। ଜନ୍ମେଜୟ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମୋବାଇଲ ଫୋନ ତଳେ ପଡିଯାଇଥିଲା। ଲୁଟିଆଙ୍କୁ ଧରିବା ପାଇଁ ଜନ୍ମେଜୟ ଉଦ୍ୟମ କରିଥିଲେ। ଏହାଦେଖି ମୋଟର ସାଇକଲରେ ବସିଥିବା ଅନ୍ୟ ଯୁବକ ଜଣଙ୍କ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଜୀବନ ବଞ୍ଚାଇବା ପାଇଁ ଜନ୍ମେଜୟ ଦୌଡି ଦୌଡି ଯାଇ ଏକ ଦୋକାନ ଭିତରେ ପଶି ଯାଇଥିଲେ। ଆହତ ଜନ୍ମେଜୟଙ୍କୁ ଚିକିତ୍ସା ପାଇଁ ହାସପାତାଳରେ ଭର୍ତ୍ତି କରାଯାଇଛି। ଗୋଟିଏ ଗୁଳି ତାଙ୍କ ବାମ ହାତରେ ବାଜିଥିବା ବେଳେ ଅନ୍ୟଟି ନିକଟସ୍ଥ କାନ୍ଥରେ ବାଜିଛି। ଜନ୍ମେଜୟ ବିଏଏମଏସ୍‌ ପ୍ରଥମ ବର୍ଷ ଛାତ୍ର। ତାଙ୍କ ଘର ବାଲେଶ୍ବର ଜିଲାରେ ବୋଲି କଲେଜ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଖବରପାଇ ଶତାଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଗୁଳିମାଡ କରିଥିବା ଯୁବକଙ୍କୁ ଗିରଫ ପାଇଁ ସେମାନେ ଦାବି କରିଛନ୍ତି। କୁମ୍ଭାରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜନଗହଳିପୂର୍ଣ୍ଣ ଦତ୍ତତୋଟାରେ ଜଣେ ଯୁବକଙ୍କୁ ଗୁଳିମାଡ ଘଟଣା ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।

Comments are closed.