ପୁରୀ ଟ୍ରେନପୋଡି ଘଟଣା, ତାମିଲ୍‌ ଯୁବକଙ୍କୁ ୨୫ବର୍ଷ ଜେଲ୍

ପୁରୀ: ପୁରୀ ରେଳଷ୍ଟେସନରେ ଛଅବର୍ଷ ତଳେ ଘଟିଥିବା ତିନୋଟି ଟ୍ରେନପୋଡି ମୋକଦ୍ଦମାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଡଃ ଇନ୍ଦୁ ଶର୍ମା ଶୁକ୍ରବାର ସୁବାସଙ୍କୁ ୨୫ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୭୫ହଜାର ୫ଶହ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ୨୦୧୫ ନଭେମ୍ବର ୧୨ ତାରିଖରେ ପୁରୀ ରେଳ ଷ୍ଟେସନରେ ଭୟାବହ ଟ୍ରେନପୋଡି ଘଟଣା ଘଟିଥିଲା। ପ୍ଲାଟଫର୍ମରେ ରହିଥିବା ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ, ପୁରୀ-ତିରୁପତି-ବିଳାସପୁର ଏକ୍ସପ୍ରେସ ଏବଂ ପୁରୀ-ହାୱଡା ଏକ୍ସପ୍ରେସ ଟ୍ରେନର କେତେକ ସ୍ଲିପର କୋଚ୍‌ରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲା। ଏଥିଯୋଗୁଁ ୫ଟି ସ୍ଲିପର କୋଚ୍‌ ପୋଡି ପାଉଁଶ ହୋଇଯାଇଥିଲା। ନନ୍ଦନକାନନ ଏକ୍ସପ୍ରେସ୍‌ ୪ନମ୍ବର ପ୍ଲାଟଫର୍ମରେ ଥିବାବେଳେ ଅପରାହ୍ଣ ପ୍ରାୟ ୪ଟା ବେଳେ ୧୨ନମ୍ବର ସ୍ଲିପର କୋଚ୍‌ରୁ ହଠାତ୍‌ ନିଆଁ ବାହାରିଥିଲା। ଚାହୁଁ ଚାହୁଁ ନିଆଁର ତୀବ୍ରତା ବୃଦ୍ଧି ପାଇବା ସହ ରେଳଷ୍ଟେସନ ପରିସର ଧୁଆଁମୟ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ବେଳେ ୧୧ନମ୍ବର ସ୍ଲିପର କୋଚ୍‌କୁ ନିଆଁ ଡେଇଁଥିଲା। ଏହାପରେ ୨ନମ୍ବର ପ୍ଲାଟଫର୍ମରେ ଥିବା ପୁରୀ-ତିରୁପତି-ବିଳାସପୁର ଏକ୍ସପ୍ରେସ ଟ୍ରେନର ୪ନମ୍ବର ସ୍ଲିପର କୋଚ୍‌ରୁ ନିଆଁ ବାହାରିଥିଲା। ସନ୍ଧ୍ୟା ପ୍ରାୟ ୬ଟା ବେଳେ ପୁରୀ-ହାୱଡା ସୁପରଫାଷ୍ଟ୍‌ ଏକ୍ସପ୍ରେସ ୨ନମ୍ବର ପ୍ଲାଟଫର୍ମରୁ ଛାଡିବାକୁ ଥିବାବେଳେ ଗୋଟିଏ ସାଧାରଣ ବଗିରୁ ନିଆଁ ବାହାରିଥିଲା।

ତେବେ ଏହି ଅଗ୍ନିକାଣ୍ଡରେ କୌଣସି ରେଳଯାତ୍ରୀ କିମ୍ବା କର୍ମଚାରୀ ମୃତାହତ ହୋଇନଥିଲେ। ତିନିଟି ଟ୍ରେନର ୫ଟି ବଗି ପୋଡି ଯାଇଥିଲା। ସନ୍ଦେହଜନକ ଭାବେ ପ୍ଲାଟଫର୍ମରେ ବୁଲୁଥିବା ତାମିଲନାଡୁର ସୁବାସ ରାମଚନ୍ଦ୍ରନ୍‌ଙ୍କୁ ରେଳବାଇ ପୁଲିସ ଥାନାକୁ ଧରିନେଇ ତଦନ୍ତ କରିବା ପରେ ତାଙ୍କ ପକେଟରୁ ଦିଆଶିଲ୍‌ ଏବଂ ବ୍ଲେଡପାତିଆ ମିଳିଥିଲା। ରେଳଗାଡି ସ୍ଲିପର ସିଟ୍‌କାଟି ସେଥିରେ ନିଅାଁ ଲଗାଇ ଦିଆଯାଇଥିବା ତଦନ୍ତରୁ ଜଣାପଡିଥିଲା।

ପୁରୀ ଟ୍ରେନ ପୋଡି ଘଟଣାରେ ଆତଙ୍କବାଦୀଙ୍କ ସଂପୃକ୍ତି ଥିବା ସନ୍ଦେହ କରି ଏହାର ତଦନ୍ତ ଦାୟିତ୍ବ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା। ପୁରୀ ଟ୍ରେନପୋଡି ଘଟଣାରେ ସଂପୃକ୍ତଥିବା ଅଭିଯୁକ୍ତ ଦେଶର ଅନ୍ୟ କେତେକ ରେଳଷ୍ଟେସନରେ ଘଟିଥିବା ଟ୍ରେନପୋଡିରେ ସଂପୃକ୍ତଥିବା ଆଶଙ୍କା କରାଯାଇଥିଲା। ତେବେ ତଦନ୍ତରୁ କୌଣସି ଠୋସ୍‌ ପ୍ରମାଣ ମିଳିନଥିଲା। ପୁରୀ ଟ୍ରେନପୋଡି ଘଟଣାର ତଦନ୍ତ କରି ସୁବାସ ରାମଚନ୍ଦ୍ରନ୍‌ଙ୍କୁ ରେଳବାଇ ପୁଲିସ ଅଭିଯୁକ୍ତ ଦର୍ଶାଇଥିଲା। ତାଙ୍କ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ ଦାଖଲ କରାଯାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ସହ ତଥ୍ୟ ପ୍ରମାଣକୁ ଭିତ୍ତିକରି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଡଃ ଇନ୍ଦୁ ଶର୍ମା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୩୫ରେ ୫ବର୍ଷ ସଶ୍ରମ ଜେଲ୍‌ ଓ ୫୦ହଜାର ଟଙ୍କା ଜୋରିମାନା ଏବଂ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଅଭିଯୋଗରେ ୫ବର୍ଷ ଜେଲ୍‌ ଓ ୨୫ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ସେହିପରି ରେଳବାଇ ଆଇନର ଦଫା ୧୪୫ରେ ୬ମାସ ଜେଲ୍‌, ଦଫା ୧୪୭ରେ ୬ମାସ ଜେଲ୍‌, ୧୫୦ରେ ୫ବର୍ଷ ଜେଲ୍‌, ଦଫା ୧୫୧ ଏବଂ ୧୫୩ରେ ଆଉ ୫ବର୍ଷ ଲେଖାଏ ଜେଲ୍‌ ଦଣ୍ଡ ଦିଆଯାଇଛି। ତେବେ ଏହି ଦଣ୍ଡ ଏକକାଳୀନ କାର୍ୟ୍ୟକାରୀ ହେବବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି। ଦଣ୍ଡାଦେଶ ସମୟରେ ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍‌ କୋର୍ଟରେ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜଶେଖର ପାଢୀ ମୋକଦ୍ଦମା ପରିଚାଳନା କରୁଥିଲେ।

Comments are closed.