ଶ୍ରୀମନ୍ଦିରରେ ବିଶୃଙ୍ଖଳା ଆଶଙ୍କା ; ସରକାରଙ୍କୁ ସତର୍କ କଲା ସ୍ପେଶାଲ ବ୍ରାଞ୍ଚ

0

ପୁରୀ : ନୂଆବର୍ଷର ପ୍ରଥମ ଦିନ ଶ୍ରୀଜୀଉଙ୍କ ସେବାପୂଜାରେ ବାଧାସୃଷ୍ଟି କରିପାରନ୍ତି ସେବକ। ଭକ୍ତଙ୍କ ଦର୍ଶନରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ। ଏଥିନେଇ ରାଜ୍ୟ ସରକାରଙ୍କୁ ଆଗୁଆ ସତର୍କ କରାଇଛି ସ୍ପେଶାଲ ବ୍ରାଞ୍ଚ। ସେବକଙ୍କ ଗତ ୨୮ତାରିଖର ଅସହଯୋଗ ଆନ୍ଦୋଳନ ପରେ ପ୍ରଶାସନ ସେମାନଙ୍କ ସହ ଆଲୋଚନା କରିନାହିଁ। ତେଣୁ କେତେକ ସେବକ ନୂଆବର୍ଷରେ ବିଶୃଙ୍ଖଳା ପାଇଁ ପ୍ରସ୍ତୁତି ଚଳାଇଥିବା ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ସୋମବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲା ପ୍ରଶାସନର କୌଣସି ଅଧିକାରୀ ସେବକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିନଥିବାରୁ ବିଶୃଙ୍ଖଳା ଆଶଙ୍କା ରହିଥିବା ସ୍ପେଶାଲ ବ୍ରାଞ୍ଚ ତଥ୍ୟ ସଂଗ୍ରହ କରିଛି। ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ପରାମର୍ଶ ଦେଇଛନ୍ତି।
ଚିଠିରେ ସେ ଉଲ୍ଲେଖ କରିଛନ୍ତିଯେ କେତେକ ସେବକ ନୂଆବର୍ଷର ପ୍ରଥମ ଦିନ ଶ୍ରୀଜୀଉଙ୍କୁ ଦିବାପହୁଡ଼ କରାଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ କରିବା ଆଶଙ୍କା ରହିଛି। ଗତ ୨୮ ତାରିଖ ଦିନ କେତେକ ସେବକ ଅସହଯୋଗ କରିବାରୁ ଦାରୁବ୍ରହ୍ମଙ୍କୁ ପ୍ରାୟ ୧୨ଘଣ୍ଟା ଉପାସ ରହିବାକୁ ପଡ଼ିଥିଲା। ଭୋର ୩ଟାରେ ଖୋଲିବାକୁ ଥିବା ଜୟବିଜୟ ଦ୍ବାର ଅପରାହ୍ଣ ୫ଟାରେ ଖୋଲିଥିଲା। ଏଥିଯୋଗୁଁ ୩ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିନପାରି ମନଦୁଃଖରେ ଫେରିଥିଲେ। ସେବକଙ୍କ ସହ ଜିଲାପାଳ ଓ ଏସ୍‌ପିଙ୍କ ଆଲୋଚନା ବିଫଳ ହୋଇଥିଲା। ଏହି ଘଟଣାରେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ବିଶୃଙ୍ଖଳିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେବକଙ୍କ ଦାବିଗୁଡ଼ିକ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଗଣମାଧ୍ୟମରେ ସ୍ପଷ୍ଟ ବିବୃତି ଦେଇଛନ୍ତି। ନୂଆବର୍ଷ ଦିନ ଆଉ ଏକ ବିଶୃଙ୍ଖଳା ସୃଷ୍ଟି କରି ପ୍ରଶାସନକୁ ଅସୁବିଧାରେ ପକାଇବା ସହ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ କରିବା ପାଇଁ କିଛି ସେବକ ଉଦ୍ୟମ ଚଳାଇଥିବା ସ୍ପେଶାଲ ବ୍ରାଞ୍ଚ ସୁରାକ ପାଇଛି। ଏ ସମ୍ପର୍କରେ ସୋମବାର ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଆଇଜି (ଆଇନ ଶୃଙ୍ଖଳା) ଏବଂ ପୁରୀ ଏସ୍‌ପିଙ୍କୁ ଚିଠିଲେଖି ଆଗୁଆ ସୂଚନା ଦିଆଯାଇଛି।
ତେବେ ଏଭଳି ଆଶଙ୍କାକୁ ଅମୂଳକ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର। ଠାକୁରଙ୍କ ନୀତିକାନ୍ତି ଓ ସେବାପୂଜା ଶୃଙ୍ଖଳିତ ଭାବେ ଚାଲିଥିବା ସେ ଗଣମାଧ୍ୟମକୁ କହିଛନ୍ତି। ନୂଆବର୍ଷରେ ଶ୍ରୀଜୀଉଙ୍କ ସେବାରେ ଅସହଯୋଗ କିମ୍ବା ବିଶୃଙ୍ଖଳା କରିବାକୁ କୌଣସି ସେବକ ନିଯୋଗ ପକ୍ଷରୁ ଏପର୍ଯ୍ୟନ୍ତ ମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇ ନାହିଁ। ସ୍ପେଶାଲ ବ୍ରାଞ୍ଚ ଚିଠି ପରେ ପ୍ରଶାସନ ଓ ପୁଲିସ ସଜାଗ ହୋଇ ଉଠିଛନ୍ତି। ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ରଙ୍କ ସମେତ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‌ପି ସାର୍ଥକ କୁମାର ଷଡ଼ଙ୍ଗୀ ଶ୍ରୀମନ୍ଦିର ଭିତରେ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥା ତଦାରଖ କରୁଛନ୍ତି। ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ପୁଣିଥରେ ଚେତାବନୀ ଦେଇଛନ୍ତି।

Leave A Reply