ମାର୍ଚ୍ଚ ସୁଦ୍ଧା ସରିବ ସ୍ବର୍ଗଦ୍ବାର ନବୀକରଣ

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ନେଇ କଟକଣା ହଟାଇ ଦିଆଯାଇଛି। ଏଣିକି ବାହାର ଜିଲାର ଯେକୌଣସି ବ୍ୟକ୍ତିଙ୍କ ମୃତଦେହ ତାଙ୍କ ସମ୍ପର୍କୀୟ ପୁରୀ ସ୍ବର୍ଗଦ୍ବାର ଆଣି ସତ୍କାର କରିପାରିବେ। ଫଳରେ ଅଧିକ ସଂଖ୍ୟାରେ ମୃତଦେହ ସତ୍କାର ପାଇଁ ପୁରୀ ସ୍ବର୍ଗଦ୍ବାରା ଆସିବା ସମ୍ଭାବନା ରହିଛି। ତେଣୁ ସ୍ବର୍ଗଦ୍ବାରର ନବୀକରଣ ଏବଂ ମୃତଦେହ ସତ୍କାର ପାଇଁ ଯାଉଥିବା ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ବର୍ଗଦ୍ବାର ଉନ୍ନତି କାର୍ଯ୍ୟ ଶେଷ ଏବଂ ଶବ ସତ୍କାର କରିବାକୁ ଯାଉଥିବା ଲୋକଙ୍କ ପାଇଁ ସେଡ୍‌ ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଆଜି ପୁରୀ ସ୍ବର୍ଗଦ୍ବାରର ଉନ୍ନତି, ଗୋଶାଳା, ଭିକ୍ଷୁକ ଥଇଥାନ କାର୍ଯ୍ୟର ସମୀକ୍ଷା ବୈଠକ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଯାଇ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌ ଏହି ସମୀକ୍ଷାରେ ଯୋଗ ଦେଇଥିଲେ। ସମୀକ୍ଷା ବୈଠକ ପରେ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌ କହିଛନ୍ତି ଯେ ଆସନ୍ତା ମାର୍ଚ୍ଚ ସୁଦ୍ଧା ସ୍ବର୍ଗଦ୍ବାର ଉନ୍ନତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମୃତଦେହ ସତ୍କାର କରିବାକୁ ଯାଉଥିବା ଲୋକଙ୍କ ପାଇଁ ସେଡ୍‌ ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି। ବଡ଼ଦାଣ୍ଡକୁ ସଫାସୁତୁରା ରଖିବା ପାଇଁ ବୁଲା ଗୋରୁଗାଈଙ୍କ ଗୋଶାଳା ସ୍ଥାନାନ୍ତରିତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୭ଶହ ଗୋରୁଗାଈଙ୍କୁ ସ୍ଥାନାନ୍ତର କରାଯାଇଛି। ଆଗାମୀ ଦିନରେ ଆଉ ୪୦୦ ବୁଲା ଗୋରୁଗାଈଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା ରହିଛି। ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଥିବା ୫୦୦ ଭିକ୍ଷୁକଙ୍କ ଥଇଥାନ ଶେଷ ହୋଇଛି। ଅପରପକ୍ଷରେ ୧୫୦ଜଣ ଭିକ୍ଷୁକଙ୍କୁ ସେମାନଙ୍କ ପରିବାରକୁ ଫେରାଇ ଦିଆଯାଇଛି। ସେହିପରି ବାଙ୍କୀ ମୁହାଁଣ ଓ ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ ଯାଇ ୫ଟି ସଚିବ ଭି.କେ.ପାଣ୍ଡିଆନ୍‌ ସମୀକ୍ଷା କରିଥିବା ଜଣାପଡ଼ିଛି।

Comments are closed.