ନୂଆବର୍ଷରେ ଶ୍ରୀମନ୍ଦିର ବନ୍ଦ, ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଭୁବନେଶ୍ବର: ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ଶ୍ରୀମନ୍ଦିର ବନ୍ଦ। ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ନୂଆବର୍ଷରେ ସମ୍ଭାବ୍ୟ ଭିଡ଼ ପାଇଁ ଦର୍ଶନ ବନ୍ଦ ନିଷ୍ପତ୍ତି ନିଆଯାଇଛି। ଜାନୁଆରୀ ୨ ତାରିଖ ରବିବାର ଥିବାରୁ ସେଦିନ ମଧ୍ୟ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଦେଇଛନ୍ତି।
ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଆଗାମୀ ୩୧ ତାରିଖ ଓ ୨୦୨୨ ଜାନୁଆରି ୧ରେ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିରରେ କେବଳ ସେବାୟତମାନଙ୍କ ଦ୍ବାରା ନୀତି ସଂପନ୍ନ କରାଯିବ। ଛତିଶାନିଯୋଗ ବୈୖଠକରେ ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି।
ଜଗନ୍ନାଥପ୍ରେମୀଙ୍କ ମନରେ ବିଶ୍ବାସ ରହିଛି ଯେ, ଜଗାଦର୍ଶନରୁ ନୂଆବର୍ଷ ଆରମ୍ଭ କଲେ, ବର୍ଷ ତମାମ ଶୁଭ ହୋଇଥାଏ। ଏଥି ପାଇଁ ଶ୍ରଦ୍ଧାଳୁମାନେ ଡିସେମ୍ବର ୩୧ ତାରିଖ ବେଳକୁ ପୁରୀରେ ପ୍ରବଳ ଭିଡ ଲଗାଇଥାନ୍ତି। ଅନ୍ୟ ଦିନ ତୁଳନାରେ ନୂଆବର୍ଷରେ ଶ୍ରୀମନ୍ଦିରରେ ଅଧିକ ଭିଡ ରହିଥାଏ। ନୂଆବର୍ଷ ଅବସରରେ ରାତି ୨ଟାରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥାଏ। ପୁରୀ ମେଡିକାଲ ଛକଠାରୁ ଶ୍ରଦ୍ଧାଳୁମାନେ ଧାଡ଼ିରେ ରହିଥାନ୍ତି।

କୋଭିଡ-୧୯ର ନୂଆ ପ୍ରକରଣ ତଥା ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଇଂରାଜୀ ନୂଆବର୍ଷରେ ଏଥର ବି ଯୁବପୀଢ଼ିଙ୍କୁ ନିରାଶ ହେବାକୁ ପଡ଼ିବ। ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ମଧ୍ୟରାତ୍ରୀରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ ହୋଇପାରିବ ନାହିଁ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ନୂଆବର୍ଷକୁ ସ୍ୱାଗତ କରିବାକୁ କୌଣସି କାର୍ଯ୍ୟକ୍ରମର ଆୟୋଜନ ହୋଇପାରିବ ନାହିଁ। ଜିରୋ ନାଇଟ ସେଲିବ୍ରେସନ ଉପରେ ସରକାର କଟକଣା ଲାଗୁ କରିଛନ୍ତି। ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, ପାର୍କରେ ଏକାଠି ହେବା ମନା ହୋଇଛି । ୩୧ ଡିସେମ୍ବର ଓ ୧ ଜାନୁଆରି ପାଇଁ ଏହି କଟକଣା ରହିବ। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁଁ ଗତଥର ମଧ୍ୟ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବାତିଲ କରାଯାଇଥିଲା।

Comments are closed.