ଏଥର ୧୬ ଘଣ୍ଟା ଶ୍ରୀ ଜୀଉଙ୍କ ଦର୍ଶନ

ପୁରୀ: ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ ପାଇଁ ବୁଧବାର ନୂଆ ମାର୍ଗଦର୍ଶିକା (ଏସ୍‌ଓପି) ଜାରି କରିଛି ମନ୍ଦିର ପ୍ରଶାସନ। ଦର୍ଶନ ସମୟ ବୃଦ୍ଧି କରାଯାଇଛି। ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥା ଗୁରୁବାରଠାରୁ କାର୍ଯ୍ୟକାରୀ ହେବ। ସେହିପରି କରୋନା ସଂକ୍ରମଣ ଆଶଙ୍କା କରି ଚଳିତମାସ ୩୧ ସମେତ ଜାନୁଆରୀ ୧ତାରିଖ ଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଠାକୁରଙ୍କ ବନକଲାଗି ଏବଂ ପଇତା ଲାଗି ସମୟରେ ଜୟବିଜୟ ଦ୍ବାର ଓ ବେହରଣ ଦ୍ୱାର ବନ୍ଦ କରାଯିବ। ଏହି ସମୟରେ ଭକ୍ତମାନେ ଦାରୁବ୍ରହ୍ମଙ୍କୁ ଦର୍ଶନ କରିପାରିବେ ନାହିଁ। କିନ୍ତୁ ଶ୍ରୀମନ୍ଦିର ଭିତରକୁ ଯାଇ ଅନ୍ୟ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିପାରିବେ।

ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିପାରିବେ। ପୂର୍ବପରି ପ୍ରତ୍ୟେକ ରବିବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କରୋନା ସଂକ୍ରମଣ ଅବ୍ୟାହତ ଏବଂ ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ ଠାକୁରଙ୍କ ଦର୍ଶନ ପାଇଁ ପ୍ରବେଶ ପୂର୍ବରୁ ଦୁଇଟି କରୋନା ଟିକା ନେଇଥିବା ପ୍ରମାଣପତ୍ର କିମ୍ବା କରୋନାରେ ସଂକ୍ରମିତ ହୋଇନଥିବା ପରୀକ୍ଷା ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଗତ ୧୦ତାରିଖ ଦିନ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଗୃହୀତ ନିଷ୍ପତ୍ତିକୁ ଭିତ୍ତିକରି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି।

Comments are closed.