ଧାଡ଼ିଦର୍ଶନ ଅବ୍ୟାହତ ; ହିଂସାକାରୀଙ୍କୁ ଗିରଫ ନିର୍ଦେଶ

0

ପୁରୀ : ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ ୧୬ଟି ମୋକଦ୍ଦମା ରୁଜୁ କରିଛି। ସିସିଟିଭି ଫୁଟେଜ ଏବଂ ଗଣମାଧ୍ୟମ ରିପୋର୍ଟକୁ ଭିତ୍ତିକରି ଏପର୍ଯ୍ୟନ୍ତ ୬୫ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ପୋଡାଜଳା, ଡକାୟତି, ହତ୍ୟା ଉଦ୍ୟମ, ଦଙ୍ଗା, ଅପରାଧ ଷଡ଼ଯନ୍ତ୍ର ଏବଂ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଦଫା ଲଗାଯାଇଛି। ଗଣ୍ଡଗୋଳରେ ସଂପୃକ୍ତଥିବା ସମସ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଗିରଫ ପାଇଁ ପୁଲିସ ମହାନିର୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦେଶ ଦେଇଛନ୍ତି। ବ୍ୟାପକ ଗିରଫଦାରୀ ପାଇଁ ବଛା ବଛା ପୁଲିସ ଅଧିକାରୀଙ୍କୁ ନେଇ ୪ଗୋଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି। ଡ. ଶର୍ମା ଗୁରୁବାର ପୁରୀ ଗସ୍ତରେ ଆସି ସ୍ଥିତିର ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଭଙ୍ଗାରୁଜା ଏବଂ ବଡ଼ଦାଣ୍ଡରେ ପୋଡାଜଳା ଘଟଣାର ଭିଡିଓ ଚିତ୍ର ସେ ଦେଖିଛନ୍ତି। ବିଶୃଙ୍ଖଳାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଏସ୍‍ପିଙ୍କୁ ସେ ନିର୍ଦେଶ ଦେଇଛନ୍ତି। ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ପ୍ରାୟ ୨ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲାପାଳ ଜ୍ୟୋତି ପ୍ରକାଶ ଦାସ, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି (ଆଇନଶୃଙ୍ଖଳା) ଅମିତାଭ ଠାକୁର ଏବଂ ଆରକ୍ଷୀ ଅଧୀକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ ବୈଠକରେ ଉପସ୍ଥିତ ଥିଲେ। ପୁଲିସ ମହାନିର୍ଦେଶକ ଶ୍ରୀ ଶର୍ମା ବିଭାଗୀୟ ଅଧିକାରୀଙ୍କ ସହ ଧାଡିଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ବୁଧବାର ଦିନର ହିଂସାକାଣ୍ଡକୁ ଉତ୍ସାହିତ କରିଥିବା ଏବଂ ଭଙ୍ଗାରୁଜା ପାଇଁ ଅସାମାଜିକ ଯୁବକଙ୍କୁ ପ୍ରୋତ୍ସାହନ ଦେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ସେ ନିର୍ଦେଶ ଦେଇଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ କହିଲେ ପୁରୀ ବନ୍ଦ ନାମରେ ବଡ଼ଧରଣର ଅଘଟଣ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ହିଂସାକାଣ୍ଡରେ ଜଡ଼ିତ ଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ। ଜିଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଉଥିବା ଜିଲାପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି। ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଲେ ଧାଡିଦର୍ଶନ ବ୍ୟବସ୍ଥା ଗୁରୁବାର ସମ୍ପୂର୍ଣ୍ଣ ଶୃଙ୍ଖଳିତ ଭାବେ ଚାଲିଛି। ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ କରାଯାଇଛି। ସ୍ଥାନୀୟ ଅଧିବାସୀ ଯେକୌଣସି ଦ୍ୱାରଦେଇ ମନ୍ଦିର ଭିତରକୁ ଯାଇପାରିବେ। ଏଥିପାଇଁ ସେମାନଙ୍କୁ ପରିଚୟପତ୍ର ଦେଖାଇବାକୁ ପଡିବ। ଧାଡିଦର୍ଶନକୁ ବିରୋଧ କରି କିଛି ସେବକ ଓ ଅଣସେବକଙ୍କ ହିଂସାତ୍ମକ ଆଚରଣ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ରିପୋର୍ଟ ମାଗିଥିବା ଶ୍ରୀ ମହାପାତ୍ର କହିଛନ୍ତି। ଗଣ୍ଡଗୋଳ ଅଭିଯୁକ୍ତଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ସମେତ କେତେକ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତିକରି ୧୬ଟି ମୋକଦ୍ଦମା ରୁଜୁ କରାଯାଇଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply