ରୁପାରେ ଝଲସିବ ଶ୍ରୀମନ୍ଦିରର ୮ଟି ଦୁଆର

ମରାମତି ହେବ ଶ୍ରୀମନ୍ଦିର ବାଇଶିପାହାଚ

ପୁରୀ : ରୁପାରେ ଝଲସିବ ଶ୍ରୀଜଗନ୍ନାଥ ମନ୍ଦିରର ଆଠଗୋଟି ଦୁଆର। କ୍ଷତିଗ୍ରସ୍ତ କବାଟ ଗୁଡିକୁ ବିଦେଶୀ ଶାଗୁଆନ କାଠରେ ପୁନଃନିର୍ମାଣ କରାଯିବ। ସେଥିରେ ପ୍ରାୟ ଅଢେଇ କ୍ବିଣ୍ଟାଲ ରୁପାର ପ୍ଲେଟ ପକାଯିବ। ଜଣେ ଭକ୍ତ ରୁପାଦାନ ସମେତ କବାଟ ପୁନଃନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କଳାହାଟଦ୍ବାର, ଜୟବିଜୟଦ୍ବାର, ବେହେରଣଦ୍ବାର, ସାତପାହାଚଦ୍ବାର, ଭୋଗମଣ୍ଡପଦ୍ବାର, ଆଦିନୃସିଂହ ମନ୍ଦିରଦ୍ବାର, ବିମଳା ମନ୍ଦିରଦ୍ବାର ଏବଂ ମହାଲକ୍ଷ୍ମୀ ମନ୍ଦିରଦ୍ବାର ରୁପାଛାଉଣି କରାଯିବ।
ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରିଚାଳନା କମିଟି ସଭ୍ୟ ଏବଂ ଛତିଶା ନିଯୋଗ କର୍ମକର୍ତ୍ତା ସେଥିରେ ଯୋଗ ଦେଇଥିଲେ। ରୁପାଛାଉଣି ପାଇଁ ଐତିହ୍ୟ ଢାଞ୍ଚାରେ ନିର୍ମିତ ଡିଜାଇନ୍‌ ବୈଠକରେ ଅନୁମୋଦନ କରାଯାଇଛି। ଅଭିଜ୍ଞ କାରିଗରଙ୍କ ଦ୍ବାରା ନୀଳାଦ୍ରି ଭକ୍ତନିବାସରେ କବାଟ ପୁନଃନିର୍ମାଣ ଏବଂ ରୁପାଛାଉଣି କାର୍ଯ୍ୟ କରାଯିବାକୁ ସ୍ଥିର ହୋଇଛି। ଏହି କାର୍ଯ୍ୟ ଅନୁଧ୍ୟାନ ପାଇଁ ୧୭ଜଣିଆ କମିଟି ଗଠନ କରାଯାଇଛି। ପ୍ରଥମେ ସାତପାହାଚଦ୍ବାର ରୁପାଛାଉଣି କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଛି। ତାହାକୁ ଦେଖିବା ପରେ ଅନ୍ୟ ଦୁଆର ଗୁଡିକୁ ରୁପାଛାଉଣି କରାଯିବ ବୋଲି ପ୍ରଶାସକ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧିକାରୀଙ୍କ ସମେତ ପ୍ରଶାସକ (ନୀତି) ଜୀତେନ୍ଦ୍ର କୁମାର ସାହୁ ବୈଠକରେ ଉପସ୍ଥିତ ଥିଲେ।
ଖୁବ୍‌ଶୀଘ୍ର ମରାମତି ହେବ ଶ୍ରୀମନ୍ଦିର ବାଇଶିପାହାଚ। ଭାଙ୍ଗିରୁଜି ଯାଇଥିବା ପଥର ଗୁଡିକୁ ପରିବର୍ତ୍ତନ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ଭେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର କେତେକ ଅଧିକାରୀ ମଙ୍ଗଳବାର ବାଇଶିପାହାଚ ମାପଚୁପ କରିଛନ୍ତି। ଭାଙ୍ଗି ଯାଇଥିବା ଖଣ୍ଡୋଲାଇଟ୍‌ ପଥରଗୁଡିକୁ ଚିହ୍ନଟ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଏଏସ୍‌ଆଇ କର୍ତ୍ତୃପକ୍ଷ ଆଲୋଚନା କରିଛନ୍ତି। ବର୍ତ୍ତମାନ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦଥିବାରୁ ବାଇଶିପାହାଚ ମରାମତି ସହଜ ହେବବୋଲି ଜଣେ ଅଧିକାରୀ ମତ ଦେଇଛନ୍ତି। ଉତ୍ତରଦ୍ବାର ପାହାଚ ମରାମତି ଶେଷ ହୋଇଥିବା ବେଳେ ବାଇଶିପାହାଚ ମରାମତି ପାଇଁ ଏଏସ୍‌ଆଇ ପ୍ରସ୍ତୁତି ଆରମ୍ଭ କରିଛି। ସହକାରୀ ପ୍ରତ୍ନତତ୍ତ୍ବ ସଂରକ୍ଷକ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ନିରୋଜ ସିଂହ ମଙ୍ଗଳବାର ବାଇଶିପାହାଚ ସ୍ଥିତି ଅନୁଧ୍ୟାନ କରିବା ସହ ମାପଚୁପ କରିଛନ୍ତି।

Comments are closed.