୧୪ଯାଏ ବଢ଼ିଲା ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣା

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପ୍ରବେଶ କଟକଣାକୁ ଜିଲା ପ୍ରଶାସନ ଆଗାମୀ ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି। ପାଳିଆ ସେବକ, ସୁରକ୍ଷାକର୍ମୀ ଏବଂ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଏହି ସମୟରେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ । କରୋନା ଭୂତାଣୁ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ଭାବେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲାପାଳ ବଲୱନ୍ତ ସିଂହ ବୁଧବାର ପ୍ରକାଶ କରିଛନ୍ତି। ଗତମାସ ୨୦ରୁ ଏପ୍ରିଲ ୧ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରବେଶ ଉପରେ ପୂର୍ବରୁ ପ୍ରଶାସନ କଟକଣା ଜାରି କରିଥିଲା। କରୋନା ସ୍ଥିତିରେ ସୁଧାର ଆସିନଥିବାରୁ ତାହାକୁ ବୃଦ୍ଧି କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ପୁରୀ ଜିଲାର ଅନ୍ୟ ସମସ୍ତ ମନ୍ଦିର, ଆଧ୍ୟାତ୍ମିକ ଅନୁଷ୍ଠାନ, ମଠ, ମସ୍‌ଜିଦ, ଚର୍ଚ୍ଚ, ଗୁରୁଦ୍ବାର, ଗୁରୁକୁଳ ଏବଂ ଆଶ୍ରମ ଗୁଡିକ ଉପରେ ମଧ୍ୟ ଏହି କଟକଣା ୧୪ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେସବୁ ସ୍ଥାନରେ ଲୋକଙ୍କ ସମାଗମ ଉପରେ କଟକଣା ଜାରି କରାଯାଇଛି। ତେବେ ଧାର୍ମିକ ସ୍ଥାନ ଗୁଡିକରେ ପାରମ୍ପରିକ ସେବାପୂଜା ପୂର୍ବପରି ଅବ୍ୟାହତ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ମହାମାରୀ କରୋନା ରୋଗର ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ଜିଲାପାଳଙ୍କୁ ଗତମାସ ୧୩ତାରିଖରେ ଏକ ବିଜ୍ଞପ୍ତି ଯୋଗେ ଅଧିକୃତ ଅଫିସର ଭାବେ କ୍ଷମତା ଦିଆଯାଇ ଥିଲା। ତାହାକୁ ଭିତ୍ତିକରି ଏବଂ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରକ୍ଷା ନିମନ୍ତେ ଜିଲାର ସମସ୍ତ ମଠମନ୍ଦିର, ଧର୍ମାନୁଷ୍ଠାନ, ଚର୍ଚ୍ଚ, ମସ୍‌ଜିଦ, ଗୁରୁଦ୍ବାର, ଆଶ୍ରମ ଏବଂ ଗୁରୁକୁଳ ଉପରେ ପ୍ରଶାସନ ପୁଣିଥରେ ଏଭଳି କଟକଣା ଜାରି କରିଛି। ପ୍ରଶାସନର ଏହି ନିଷ୍ପତ୍ତି କଡାକଡି ଭାବେ କାର୍ଯ୍ୟକାରୀ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ସମେତ ରାଜ୍ୟ ଦେବୋତ୍ତର କମିଶନର, ପର୍ଯ୍ୟଟନ ଅଧିକାରୀ ଏବଂ ପୁଲିସଙ୍କୁ ନିର୍ଦେଶ ଦିଆଯାଇଛି।

Comments are closed.