ଆସନ୍ତାକାଲି ଶ୍ରୀଜୀଉଙ୍କ ସ୍ନାନଯାତ୍ରା : ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି
୩୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୂତୟନ

ପୁରୀ : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତାକାଲି ହେବାକୁ ଥିବା ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଲାଗି ଜୋରଦାର ପ୍ରସ୍ତୁତି ହେବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବୁଧବାର ଠାରୁ ପୁରୀ ବଡ଼ାଦାଣ୍ଡରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ଆଜି ରାତି ୧୦ଟାରେ ପୁରୀ ସହରର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯିବ। ଏନେଇ ଅତିରିକ୍ତ ପୁଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସମେତ ସହରର ବିଭିନ୍ନ ସ୍ଥାନରେ ୩୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୂତୟନ କରାଯାଇଛି। କେନ୍ଦ୍ରାଞ୍ଚଳ ଡିଆଇଜି ଆଶୀଷ ସିଂହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ଚଳିତବର୍ଷ ସୀମିତ ସଂଖ୍ୟକ ସେବକଙ୍କୁ ନେଇ ବିନା ଭକ୍ତରେ ସ୍ନାନଯାତ୍ରା କରାଯିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି। ଶ୍ରୀମନ୍ଦିର ସମ୍ମୁଖ ବଡଦାଣ୍ଡରେ ଠିଆହୋଇ କୌଣସି ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଗୁରୁବାର ମଧ୍ୟାହ୍ନରେ ସେନାପଟା ଲାଗି ନୀତି ଶେଷ ହୋଇଛି। ରାତି ୯ଟା ସୁଦ୍ଧା ସଂଧ୍ୟାଧୂପ ନୀତି ଶେଷ ହେବାପରେ ଶ୍ରୀଜୀଉଙ୍କ ଚଉଠି କର୍ମ ନୀତି କରାଯିବାକୁ ସ୍ଥିର ହୋଇଛି।
ତେବେ ଶ୍ରଦ୍ଧାଳୁମାନେ ଚଳିତବର୍ଷ ସ୍ନାନଯାତ୍ରାର ସିଧା ପ୍ରସାରଣ ଦୂରଦର୍ଶନ ମାଧ୍ୟମରେ ଦେଖିପାରିବେ। ଏନେଇ ସୂଚନା ଲୋକସଂପର୍କ ବିଭାଗ ପକ୍ଷରୁ ଦୂରଦର୍ଶନକୁ ଅନୁମତି ଦିଆଯାଇଛି। ଅନ୍ୟାନ୍ୟ ଗଣମାଧ୍ୟମ ଚାହିଁଲେ ଦୂରଦର୍ଶନରୁ ଏହାର ଲିଙ୍କ ନେଇ ସ୍ନାନଯାତ୍ରାର ପ୍ରସାରଣ କରିପାରିବେ।