କଟକଣା ଉଠିବା ପରେ ରେକର୍ଡ ଦାନ, ମିଳିଲା ୯ ଲକ୍ଷରୁ ଅଧିକ ଅର୍ଥ

ପୁରୀ: ଏବେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ଆଉ କୋଭିଡ ନେଗେଟିଭ୍‌ ରିପୋର୍ଟ ଓ ଆବଶ୍ୟକ ପରିଚୟ ପତ୍ରର ଆବଶ୍ୟକତା ପଡୁ ନ ଥିବାବେଳେ ଦୀର୍ଘ ପ୍ରାୟ ୧୦ ମାସ ଧରି ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମଧ୍ୟରେ ଭଗବାନଙ୍କ ଦର୍ଶନ ଲାଗି ସୃଷ୍ଟି ହୋଇଛି ଅଭୂତପୂର୍ବ ଉତ୍କଣ୍ଠା। ଏଣିକି ଦୈନିକ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ। ଶ୍ରୀମନ୍ଦିରରେ ପ୍ରବେଶ ଲାଗି ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତଙ୍କ ପାଇଁ ସମସ୍ତ କଟକଣା ପ୍ରତ୍ୟାହୃତ ହୋଇଥିବାରୁ ଶ୍ରୀମନ୍ଦିରରେ ଶନିବାର ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବା ଜଣାପଡିଛି। ଶନିବାର ପବିତ୍ର ଶାମ୍ବ ଦଶମୀ ଥିବାରୁ ଭକ୍ତଙ୍କ ସଂଖ୍ୟା ଯେତିକି ବଢିଛି ଅନୁରୂପ ଭାବେ ଦାନ ପରିମାଣ ମଧ୍ୟ ଚଳିତବର୍ଷର ଦୈନିକ ରେକର୍ଡ ଛୁଇଁଛି। ଶନିବାର ଭକ୍ତ କେବଳ ଦର୍ଶନ କରି ନ ଥିଲେ; ବରଂ ଶ୍ରୀମନ୍ଦିରର ଜଗମୋହନ ପାଖରେ ଥିବା ହୁଣ୍ଡିରେ ଅଜାଡିଛନ୍ତି ଦାନ। ପାଖାପାଖି ୯ ଲକ୍ଷ ୨୯ ହଜାର ୧୪୨ ଟଙ୍କା ଦାନ ଆକାରରେ ମିଳିଥିବାବେଳେ ୧ ଗ୍ରାମ ୩୦ ମିଲିଗ୍ରାମ ସୁନା ଓ ୮୬ ଗ୍ରାମ ୨୦୦ ମିଲିଗ୍ରାମ ଓଜନର ରୂପା, ଭକ୍ତ ଦାନ ହୁଣ୍ଡିରେ ପକାଇଥିବା ଜଣାପଡିଛି।

ଶ୍ରୀମନ୍ଦିର ଖୋଲିବା ଦିନଠାରୁ ଆଜିର ଏହି ଦାନ ପରିମାଣ ସର୍ବାଧିକ ଥିବା ଜଣାପଡିଛି। ପ୍ରକାଶଥାଉକି, ୨୦୨୦ ଜାନୁଆରୀ ପହିଲା (ନୂଆବର୍ଷ)ରେ ମଧ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ଦାନ ଆକାରରେ ମିଳିଥିଲା। ତେବେ କିଛି ଶ୍ରଦ୍ଧାଳୁଙ୍କ ମତରେ ଆଜି (ଶନିବାର) ସରକାରୀ ଛୁଟି ଥିବାବେଳେ ଆସନ୍ତାକାଲି(ରବିବାର) ଶ୍ରୀମନ୍ଦିର ବନ୍ଦ ରହିବ। ତେଣୁ ଦର୍ଶନ ପାଇଁ ଏତେ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଛି।

Comments are closed.