ପୁରୀ ରଥଯାତ୍ରା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ବୈଠକ ; ଚବିଶ ଘଣ୍ଟା ବସ୍‌ ସେବା

କଟକ : ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତେଣୁ ଯାତାୟାତ ବ୍ୟବସ୍ଥା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ) ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ଅବସରରେ ପୁରୀକୁ ଅତିରିକ୍ତ ୨୦୦ ବସ ଚଳାଚଳ କରିବା ସହିତ ବସ୍‌ ଭଡ଼ା ନ ବଢ଼ାଇବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବା ସହିତ ୫ଟି ଇ-ରିକ୍ସା ଏବଂ ଲୋକଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଦେବା ପାଇଁ ପୁରୀ ବଳିଆପଣ୍ଡାଠାରେ ଏକ ଖାଦ୍ୟ କେନ୍ଦ୍ର ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତା’ଛଡ଼ା ବସ୍‌ରେ ଯେଭଳି ଧାର୍ଯ୍ୟ ଦରଠାରୁ ଅଧିକ ଭଡ଼ା ଆଦାୟ ନ ହୁଏ ସେଥିପାଇଁ ପ୍ରତି ବସ୍‌ରେ ମୂଲ୍ୟ ତାଲିକା ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ରଥଯାତ୍ରା ନିମନ୍ତେ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିପାଇଁ ଟ୍ରାଫିକ ଓ ଯାତାୟାତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆରଡିସି) ତଥା ପରିବହନ ସଚିବ ଅନିଲ କୁମାର ସାମଲ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ନିଷ୍ପତ୍ତି ନେଇଛନ୍ତି। କଟକ-ଭୂବନେଶ୍ୱର-ପୁରୀକୁ ସ୍ବତନ୍ତ୍ର ଭାବେ ଅଧିକ ଦୁଇଶହ ବସ ଚଳାଚଳ କରିବ ବୋଲି ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ସେହିପରି ଶ୍ରୀଗୁଣ୍ଡିଚା, ନବମୀ ଦର୍ଶନ, ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ଦିନ ମଧ୍ୟ ବସଗୁଡ଼ିକ ଜନସାଧାରଣଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇ ଦେବେ। କଟକର ପାଲାମଣ୍ଡପରୁ ବସ୍‌ ବାହାରି ପୁରୀ ଅଭିମୁଖେ ଯିବ। ସେହିପରି ଭୁବନେଶ୍ବରର ବରମୁଣ୍ଡା ବସ ଷ୍ଟାଣ୍ଡରୁ ବସଗୁଡ଼ିକ ଦିନରାତି ଯାତାୟାତ କରିବ। ପୂର୍ବରୁ କଟକ ତଥା ଭୁବନେଶ୍ବରରୁ ନିୟମିତ ଚଳାଚଳ କରୁଥିବା ବସ୍‌ଗୁଡ଼ିକ ଯେଭଳି ଚାଲୁଥିବା ସେହିଭଳି ଚାଲିବ। ଯାତ୍ରୀଙ୍କ ଭଡ଼ାକୁ ଅପରିବର୍ତ୍ତିତ ରଖାଯାଇଛି। ବସ୍‌ କଣ୍ଡକ୍ଟରମାନେ ଯେଭଳି ଭଡ଼ା ବାବଦ ଅଧିକ ଅର୍ଥ ଦାବି ନ କରିବେ ସେଥିପାଇଁ ପ୍ରତି ବସ୍‌ରେ ମୂଲ୍ୟ ତାଲିକା ଲଗାଯିବ। ପୂର୍ବଭଳି ସାଧାରଣ ବସଗୁଡ଼ିକ କିଲୋମିଟର ପ୍ରତି ୬୮ ପଇସା, ଡିଲକ୍ସ ବସ ଗୁଡ଼ିକ ୯୭ ପଇସା, ଏକ୍ସପ୍ରେସ ବସଗୁଡ଼ିକ ୭୧ ପଇସା, ଏସି ଡିଲକ୍ସ ବସଗୁଡ଼ିକ କିଲୋପିଟର ପିଛା ଯାତ୍ରୀଙ୍କ ଠାରୁ ୧ଟଙ୍କା ୧୯ ପଇସା ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଯାତ୍ରୀମାନେ ଷ୍ଟାଣ୍ଡରେ ଯେଭଳି ହଇରାଣ ନ ହେବେ ସେଥିପାଇଁ ସେଡ୍‌ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ସମୁଦାୟ ୨୩୦ଟି ବସ ପୁରୀକୁ ଚଳାଚଳ କରୁଥିବା ବେଳେ ୩୦ଟି ନାଇଟକୋଚ ବସ ଗମନାଗମନ କରୁଛି। ଅତିରିକ୍ତ ୨୦୦ ବସ୍‌ ଚଳାଚଳ କରିବା ପରେ ସମୁଦାୟ ୪୬୦ଟି ବସ କେବଳ ରଥଯାତ୍ରାରେ ଚଳାଚଳ କରିବ। ଅନ୍ୟ ରୁଟ୍‌ରେ ଚାଲୁଥିବା ଏହି ୨୦୦ ବସ୍‌ଗୁଡ଼ିକୁ ସ୍ବତନ୍ତ୍ର ପରମିଟ୍‌ ଦେବା ପାଇଁ ଆରଡିସି ଶ୍ରୀ ସାମଲ ନିର୍ଦେଶ ଦେଇଛନ୍ତି। ରଥଯାତ୍ରାର ଦିନକ ପୁର୍ବରୁ ସ୍ବତନ୍ତ୍ର ବସ୍‌ଗୁଡ଼ିକ ଚଳାଚଳ କରିବ। ଜୁଲାଇ ୩, ୪, ୫, ୧୨, ୧୩ ଓ ୧୪ ତାରିଖରେ ବସ୍‌ଗୁଡ଼ିକ ଚଳାଚଳ କରିବା ପାଇଁ ସ୍ବତନ୍ତ୍ର ପରମିଟ ପ୍ରଦାନ କରାଯିବ। ଏଥିପାଇଁ ବିଭିନ୍ନ ଜିଲାର ଆରଟିଓମାନେ ପଦକ୍ଷେପ ଗ୍ରହଣ କରିବେ।
ସେହିଭଳି ଯାତ୍ରୀ ଯେଭଳି ଅସୁବିଧା ଭୋଗ ନ କରିବେ ସେଥିପାଇଁ ପୁରୀର ତାଳବଣିଆଠାରେ ବସଗୁଡ଼ିକ ରହଣି କରିବ। ଏହିଠାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ୨୦ ଟଙ୍କାରେ ଖାଦ୍ୟ ପରିବେଷଣ କରାଯିବ। ସେଠାରେ ଶୌଚାଳୟ ବ୍ୟବସ୍ଥା ସହିତ ପାନୀୟ ଜଳ ଯୋଗାଇ ଦିଆଯିବ। ଭିନ୍ନକ୍ଷମ ଯେଭଳି ହଇରାଣ ନ ହେବେ ସେଥିପାଇଁ ବସ୍‌ରେ ସେମାନଙ୍କୁ ସୁବିଧା ଦିଆଯିବା ସହିତ ସେଠାରେ ୫ଟି ଇ-ରିକ୍ସା ବ୍ୟବସ୍ଥା କରାଯିବ। ଏହି ଇ-ରିକ୍ସାରେ ସେମାନେ ମାଗଣାରେ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଯାଇପାରିବେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ଏଡ଼ିଏମଙ୍କ ସମେତ ଡିସିପି,ରାଜ୍ୟ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ, ଭୁବନେଶ୍ୱର ବସ ମାଲିକ ସଂଘର ବରଦା ଆଚାର୍ଯ୍ୟ, ପୁରୀ ବସମାଲିକ ସଂଘର ଲୋକନାଥ ପାଣିଙ୍କ ସମେତ ଜିଲ୍ଲାର ଆରଟିଓମାନେ ଯୋଗ ଦେଇଥିଲେ।

Comments are closed.