ଆଜି ମହାପ୍ରଭୁଙ୍କ ଉଭାଯାତ୍ରା; ଉତ୍ତର ମୋଡ଼ ନେବେ ତିନି ରଥ

ପୁରୀ: ଆଜି ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦା ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଉଭା ଯାତ୍ରା । ରଥରେ ଆଜ୍ଞାମାଳ ବିଜେ ନୀତି ପରେ ୩ରଥଙ୍କୁ ଉତ୍ତର ମୋଡ କରାଯିବ ।  ଉତ୍ତର ମୋଡ କରାଯାଇ ରଥଖଳାରୁ ସିଂହଦ୍ୱାର ସାମ୍ନା ଚକଡାକୁ ୩ରଥ ନିଆଯିବ । ସୂଚନା ମୁତାବକ ରୀତିନୀତି ଅନୁଯାୟୀ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସମ୍ପନ୍ନ ହେବା ପରେ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଯିବ । ରଥ ଖଳାରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବା ପରେ ତିନି ରଥର ଅଖ ଓ ଚକରେ ତୈଳ ଲାଗି କରାଯିବ ।

ପରେ ପରେ ସିଂହଦ୍ୱାର ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ରଥକୁ ପୁଲିସ ଓ ସେବାୟତ ମାନେ ଟାଣିଟାଣି ସିଂହଦ୍ୱାରକୁ ଆଣିବେ । ସିଂହଦ୍ୱାର ଚକଡ଼ାରେ ତିନି ରଥ ପହଞ୍ଚିବା ପରେ ଉତ୍ତର ମୋଡ କରାଯିବ । ଆସନ୍ତାକାଲି ରଥ ପ୍ରତିଷ୍ଠା ହେବା ପରେ ରଥରେ ବିଜେ କରିବେ ଚତୁର୍ଦ୍ଧାମୂରତି । ଶ୍ରୀମନ୍ଦିରରୁ ବାହାରି ଦାରୁ ମୁରତି ଗୁଣ୍ଡିଚା ଯାତ୍ରା କରିବେ । ଆଜି ଏହି ସମସ୍ତ ନୀତିକାନ୍ତି ଥିବାରୁ ଭକ୍ତଙ୍କ ପାଇଁ ୫ ଘଣ୍ଟା ଦର୍ଶନର ବ୍ୟବସ୍ଥା କରାଯାଇଛି । ସଂଧ୍ୟା ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

Comments are closed.