ଝଲସିବ ବଡ଼ଦାଣ୍ଡ, ଲାଗିବ ସିସିଟିଭି

ପୁରୀ: ବିନାଭକ୍ତରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛି ପ୍ରଶାସନ। ଜିଲାପାଳ ସମର୍ଥ ବର୍ମା ଗୁରୁବାର ଏ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବଡ଼ଦାଣ୍ଡରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯିବା ସହ କ୍ଲୋଜ ସର୍କିଟ କ୍ୟାମେରା ଲଗାଯିବ। ଶ୍ରୀଗୁଣ୍ଡିଚା, ବାହୁଡା ଏବଂ ସୁନାବେଶ ଦିନ କୌଣସି ଭକ୍ତଙ୍କୁ ବଡ଼ଦାଣ୍ଡକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। କେବଳ ସେବାୟତ ରଥ ଟାଣିବେ। ଚଳିତମାସ ୮ରୁ ୧୦ତାରିଖ ମଧ୍ୟରେ ସେମାନଙ୍କ କରୋନା ପରୀକ୍ଷା କରାଯିବ। ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ସିଂହଦ୍ବାର ଏବଂ ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ୫ଟି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସେସବୁ ସ୍ଥାନରେ ଆମ୍ବୁଲାନ୍ସ ରଖାଯିବ। ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବେ।

ରଥଟଣା ସମୟରେ ଜଳସିଞ୍ଚନ ଏବଂ ପାନୀୟଜଳ ଯୋଗାଣ ପାଇଁ ଅଗ୍ନିଶମ ବିଭାଗ ସମେତ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି। ସେବାୟତଙ୍କ ପାଇଁ ଅସ୍ଥାୟୀ ବିଶ୍ରାମସ୍ଥଳ ନିର୍ମାଣ କରାଯିବ। ବଡ଼ଦାଣ୍ଡକୁ ସଂଲଗ୍ନ କରୁଥିବା ୭୨ଟି ଗଳିରେ ସଫେଇ କାର୍ଯ୍ୟ ତ୍ବରାନ୍ବିତ କରାଯିବ। ଏହାଛଡା ବଡ଼ଦାଣ୍ଡ ଦୁଇପାର୍ଶ୍ବ ନଳା ସଫା କରିବା ସହ ଆବଶ୍ୟକୀୟ ମରାମତି ପାଇଁ ସ୍ଥିର କରାଯାଇଛି। ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥ ନିକଟରେ ସ୍ବତନ୍ତ୍ର ଆଲୋକ ବ୍ୟବସ୍ଥା ପାଇଁ ଟାଟାପାୱାର ସଂସ୍ଥାକୁ ନିର୍ଦେଶ ଦିଆଯାଇଛି। ବଡ଼ଦାଣ୍ଡର ମରାମତି ପାଇଁ ଜାତୀୟ ରାଜପଥ ବିଭାଗ ଅଧିକାରୀଙ୍କୁ କୁହାଯାଇଛି। ପୁଲିସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ ନିର୍ମାଣ କରାଯିବ। ପୁରୀକୁ ସଂଯୋଗ କରୁଥିବା ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ, ପୁରୀ-କୋଣାର୍କ ଏବଂ ପୁରୀ-ସାତପଡା ରାଜପଥ ସିଲ୍‌ କରାଯିବା ପ୍ରସ୍ତାବ ରହିଛି।

କରୋନା କଟକଣା କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ ସିଂହ ପ୍ରକାଶ କରିଛନ୍ତି। ଆଗାମୀ ୧୨ତାରିଖ ଦିନ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ଜିଲାପାଳ ଶ୍ରୀ ବର୍ମା ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ, ସୁବାସ ଚନ୍ଦ୍ର ନାଥଶର୍ମା, ଉପଜିଲାପାଳ ଭବତାରଣ ସାହୁ, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର, ଜନସ୍ବାସ୍ଥ୍ୟ ନିର୍ବାହୀଯନ୍ତ୍ରୀ ଶରତ ଚନ୍ଦ୍ର ମିଶ୍ର ଏବଂ ବିଦ୍ୟୁତ ନିର୍ବାହୀଯନ୍ତ୍ରୀ ଶିବପ୍ରସାଦ ସ୍ବାଇଁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Comments are closed.