ରାତି ପାହିଲେ ଶ୍ରୀକ୍ଷେତ୍ରରେ ରଥଯାତ୍ରା : ସକାଳ ୭ରୁ ପହଣ୍ଡି,୧୨ଟାରେ ରଥଟଣା

ଭୁବନେଶ୍ବର: ରାତି ପାହିଲେ ପୁରୀ ଶ୍ରୀକ୍ଷେତ୍ର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥ ଓ ପଥ ସମସ୍ତେ ପ୍ରସ୍ତୁତ। କେବଳ ମହାପ୍ରଭୁଙ୍କ ବିଜେକୁ ଅପେକ୍ଷା। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଯାତ୍ରା କରିବେ ମହାପ୍ରଭୁ। ଆଜି ଶ୍ରୀଜୀଉଙ୍କ ରଥରେ ଶେଷ ସ୍ପର୍ଶ ଦିଆଯାଇଛି। ତେବେ ଏଥର ବିନାଭକ୍ତରେ ରଥଯାତ୍ରା କରିବେ ମହାବାହୁ।

ଆସନ୍ତାକାଲି ନିରାଡ଼ମ୍ବର ସହକାରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ରଥଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ନିର୍ଘଣ୍ଟ କରାଯାଇଛି। ସକାଳ ୭ଟାରୁ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ଦିନ ୧୨ଟାରୁ ଆରମ୍ଭ ହେବ ରଥଟଣା। ସକାଳ ୭ଟାରୁ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ। ପୂର୍ବାହ୍ନ ୧୦ଟାରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ଶେଷ ହେବାକୁ ଥିବାବେଳେ ପୂର୍ବାହ୍ନ ୧୧ଟା୩୦ରୁ ଛେରାପହଁରା ଆରମ୍ଭ କରାଯିବ। ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ପାଇଁ ସମୟ ନିର୍ଘଣ୍ଟ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.