ତିନିରଥ ପାଇଁ ପ୍ରଭା ନିର୍ମାଣ

ପୁରୀ: ଶେଷ ହୋଇଛି ତିନିରଥର ପ୍ରଭା ନିର୍ମାଣ। ରଥରେ ସଂଯୋଗ ପାଇଁ ପ୍ରସ୍ତୁତ ହୋଇଛି କଳସ ଓ କନକମୁଣ୍ଡି। ସାରଥି ଏବଂ ଘୋଡାଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଅଣାଯାଇ ରଙ୍ଗ କରାଯାଉଛି। ରଥ ଚତୁଃପାର୍ଶ୍ବରେ ହଂସପଟା ସଂଯୋଗ ପାଇଁ ମହାରଣା ସେବକ କାର୍ଯ୍ୟ ଆରମ୍ଭ କରିଛନ୍ତି। ଚିତ୍ରକାରଙ୍କ ଦ୍ବାରା ସେଥିରେ ହଂସ ଓ କନ୍ୟା ଚିତ୍ର କରାଯିବ। ତିନିରଥରେ ୧୨ଟି ଦୁଆରବେଢା ଏବଂ ୨୪ଗୋଟି ନାଟଗୋଡ ସଂଯୋଗ କରାଯାଇଛି। ଚିତ୍ରକାର ସେବକ ପାର୍ଶ୍ବ ଦେବଦେବୀ, ଓଲଟ ଶୁଆ, କଳସ, ଋଷିପଟା, ସଖୀ ଏବଂ ଅଁଳାରେ ରଙ୍ଗ କରୁଛନ୍ତି। ରୂପକାରଙ୍କ ଦ୍ବାରା ପଟାଗୁଜ ଓ କୋଣଗୁଜରେ ଖୋଦେଇ କରାଯାଉଛି। ଦରଜି ସେବକ ରଥକନା ସିଲାଇ କରୁଥିବା ବେଳେ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ କଣ୍ଟା କବ୍‌ଜା ପ୍ରସ୍ତୁତ କରୁଛନ୍ତି।

ଦାରୁବ୍ରହ୍ମଙ୍କ ରଥଯାତ୍ରା ପାଇଁ ନିର୍ମାଣ କରାଯାଇଥିବା ତିନିରଥ ସମ୍ପୂର୍ଣ୍ଣ ସୁରକ୍ଷିତ। ରଥ ନିର୍ମାଣରେ କୌଣସି ତ୍ରୁଟି ନଥିବା ବିଶେଷଜ୍ଞ କମିଟି ମତ ଦେଇଛି। ଶ୍ରୀମନ୍ଦିର ବୈଷୟିକ କମିଟି ଅଧ୍ୟକ୍ଷ ଡ. ଏନ.ସି ପାଲଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଯନ୍ତ୍ରୀମାନେ ଗୁରୁବାର ନବନିର୍ମିତ ତିନିରଥ ଯାଞ୍ଚ କରିଛନ୍ତି। ମୁଖ୍ୟଯନ୍ତ୍ରୀ ବିନ୍ଧେଶ୍ବର ପାତ୍ର, ଶ୍ରୀମନ୍ଦିର ଅଧୀକ୍ଷଣ ଯନ୍ତ୍ରୀ ଏ.କେ ସୁବୁଦ୍ଧି, ପୂର୍ତ୍ତ ନିର୍ବାହୀଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ, ଶ୍ରୀମନ୍ଦିର ଯନ୍ତ୍ରୀ ନରେଶ କୁମାର ରାଉତ, ସହକାରୀ ଯନ୍ତ୍ରୀ ଘନଶ୍ୟାମ ପଣ୍ଡା ଏବଂ ଜଗନ୍ନାଥ ମିଶ୍ର ସେଥିରେ ଅଂଶଗ୍ରହଣ କରିଥିଲେ। ରଥ ଚକ ସମେତ ବିଭିନ୍ନ ଅଂଶ ସେମାନେ ଯାଞ୍ଚ କରିଛନ୍ତି। ରଥଯାତ୍ରା ପୂର୍ବରୁ ତିନିରଥ ଆଉଥରେ ଯାଞ୍ଚ କରାଯିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.