ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସବୁ ପଦକ୍ଷେପ ନିଆଯିବ : ଡିଜି

ରେଡ୍‌ଫ୍ଲାଗ୍‌’ ମାମଲା ଭାବେ ବିବେଚନା ହୋଇଛି

ଭୁବନେଶ୍ବର : ପୁରୀ ନାବାଳିକା ଗଣବଳାତ୍କାର ଘଟଣାକୁ ଓଡ଼ିଶା ପୁଲିସ ରେଡଫ୍ଲାଗ୍‌ ମାମଲା ଭାବେ ବିବେଚନା କରିଛି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦେଶକ ଡ. ସତ୍ୟଜିତ ମହାନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ବହିଷ୍କୃତ ପୁଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ସମେତ ୨ ଜଣଙ୍କୁ ପୁରୀ ପୁଲିସ ଏହି ମାମଲାରେ ଗିରଫ କରିସାରିଛି। ଏହି ବଳାତ୍କାର ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣଙ୍କୁ ଧରିବା ଲାଗି ୪ଟି ପୁଲିସ ଟିମ୍‌ ଗଠନ କରାଯାଇଛି। ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଏବଂ ଏଥିରେ ବିତାଡ଼ିତ ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ଏହାକୁ ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ଭାବେ ଗ୍ରହଣ କରାଯାଇଛି। ବିଭାଗର ଭାବମୂର୍ତ୍ତି ଯେପରି ଅକ୍ଷୁଣ୍ଣ ରହିବ ସେଥିପାଇଁ ମାମଲାର ତୁରନ୍ତ ତଦନ୍ତ ଶେଷ କରି କୋର୍ଟରେ ଅଭିଯୋଗ ଫର୍ଦ ଦାଖଲ କରାଯିବା ନେଇ ନିର୍ଦେଶ ଦିଆଯାଇଛି।
କ୍ରାଇମ୍‌ବ୍ରାଞ୍ଚ ଏଭଳି ସମ୍ବେଦନଶୀଳ ମାମଲାକୁ ରେଡଫ୍ଲାଗ୍‌ ଭାବେ ଗ୍ରହଣ କରିଥାଏ। ପୁରୀ ମାମଲାକୁ ମଧ୍ୟ ସେଭଳି ଭାବେ ବିବେଚନା କରାଯିବା ପରେ ପୁରୀ ଏସ୍‌ପି ଉମାଶଙ୍କର ଦାସ ଏବଂ ପୂର୍ବାଞ୍ଚଳ ଡିଆଇଜି ଆଶିଷ ସିଂହଙ୍କୁ ଆବଶ୍ୟକ କଦକ୍ଷେପ ନେବାକୁ କୁହାଯାଇଛି। ଏହି ମାମଲାକୁ ରେଡଫ୍ଲାଗ୍‌ ଭାବେ ଗ୍ରହଣ ବିବେଚନା କରାଯାଉଥିବାରୁ ଏହାର ତଦନ୍ତ ଅଗ୍ରଗତି
ସମ୍ପର୍କରେ କୋର୍ଟଙ୍କୁ ନିୟମିତ ବ୍ୟବଧାନରେ ଅବଗତ କରାଯିବ। ଏହି ମାମଲାକୁ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ବାବଧାନରେ ରହିବ ବୋଲି ଜଣାପଡିଛି। ନିୟମିତ ବ୍ୟବଧାନରେ ଏହାର ସମୀକ୍ଷା କରାଯିବ।

Comments are closed.