ଅର୍ଥାଭାବରୁ ଜମିକିଣାରେ ବିଳମ୍ବ

0

ପୁରୀ : ପ୍ରସ୍ତାବିତ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ନେଇ ଭାଷାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବାବେଳେ ଏଥିପାଇଁ ଅର୍ଥାଭାବ ଦେଖାଦେଇଛି। ଗୋପୀନାଥଜୀଉ ଟ୍ରଷ୍ଟବୋର୍ଡଠାରୁ ଜମି କିଣାଯାଇ ପାରୁନାହିଁ। ସତ୍ୟବାଦୀ ତହସିଲ ଅନ୍ତର୍ଗତ ଫୁଲଅଳସା ମୌଜାରେ ୨୮ଏକର ୮୭ ଡିସିମିଲ ଜମି ଚିହ୍ନଟ ହୋଇଛି। ତେବେ ଏହି ଜମିର ମାଲିକାନା ଗୋପୀନାଥଜୀଉଙ୍କ ନାମରେ ରହିଛି। ବିଶ୍ୱବିଦ୍ୟାଳୟ ପାଇଁ ଜମି ବିକ୍ରି କରିବାକୁ ରାଜ୍ୟ ଦେବୋତ୍ତର କମିସନର ଗତମାସ ୬ତାରିଖରେ ମନ୍ଦିର ଟ୍ରଷ୍ଟବୋର୍ଡକୁ ଅନୁମତି ଦେଇଥିଲେ। ବେଞ୍ଚ୍‍ମାର୍କ ଭାଲୁଏସନ ଅନୁଯାୟୀ ଜମିମୂଲ୍ୟ ଧାର୍ଯ୍ୟ କରାଯାଇଛି। ବିଶ୍ୱବିଦ୍ୟାଳୟ ପାଇଁ ଜମି କିଣିବାକୁ ପ୍ରାୟ ୩୫କୋଟି ଟଙ୍କା ଆବଶ୍ୟକ ପଡୁଛି। ହେଲେ ରାଜ୍ୟ ସରକାର ଚଳିତବର୍ଷ ବଜେଟ୍‍ରେ ମାତ୍ର ୧୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ବିଶ୍ୱବିଦ୍ୟାଳୟ ପାଇଁ ଚିହ୍ନଟ ଜମି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳବନକୁ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତମାସ ୯ରେ ସେଠାରେ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଖୁବ୍‍ଶୀଘ୍ର ବିଶ୍ୱବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ ଘୋଷଣା କରିଥିଲେ। ବିଶ୍ୱବିଦ୍ୟାଳୟ କୋଠା ଡିଜାଇନ ଚୂଡ଼ାନ୍ତ ହୋଇସାରିଛି।
ସୂଚନା ଅନୁଯାୟୀ ଖୁବ୍‍ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଯେଉଁ ଜମିରେ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବାକୁ ଯାଉଛି ତାହା ଏପର୍ଯ୍ୟନ୍ତ ମନ୍ଦିର ଟ୍ରଷ୍ଟବୋର୍ଡଠାରୁ କିଣାଯାଇ ନାହିଁ। ବଜେଟ୍‍ରେ ରଖାଯାଇଥିବା ୧୦କୋଟି ଟଙ୍କାରେ ୨୮ଏକର ଜମି କିଣାଯିବା ଆଦୌ ସମ୍ଭବପର ନୁହେଁ। ଏଥିପାଇଁ ଆଉ ପ୍ରାୟ ୨୫କୋଟି ଟଙ୍କାର ଆବଶ୍ୟକତା ରହିଛି। ଜମି କିଣିବା ପୂର୍ବରୁ କେମିତି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ସେଥିନେଇ ଆଇନଗତ ସମସ୍ୟା ଦେଖାଦେଇଛି। ସତ୍ୟବାଦୀ ଗୋପୀନାଥଦେବ ଏଣ୍ଡାଓମେଣ୍ଟ ଟ୍ରଷ୍ଟବୋର୍ଡ ବିଶ୍ୱବିଦ୍ୟାଳୟ ପାଇଁ ଜମି ବିକିବାକୁ ପ୍ରସ୍ତୁତ ଅଛି। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନର ଧାରା ୧୯ ଅନୁଯାୟୀ ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁମତି ପାଇଛନ୍ତି। ଜମି ବିକ୍ରିରୁ ମିଳିବାକୁ ଥିବା ଅର୍ଥ ଗୋପୀନାଥଦେବଙ୍କ ନାମରେ ବ୍ୟାଙ୍କରେ ସ୍ଥାୟୀ ଜମା ରଖାଯିବ। ଏହାଛଡ଼ା ଜମି ହସ୍ତାନ୍ତର ପାଇଁ ଦେବୋତ୍ତର କମିସନର ୬ଗୋଟି ସର୍ତ୍ତ ରଖିଛନ୍ତି। ଫୁଲଅଳସା ରାଜସ୍ୱ ମୌଜାର ହାଲ୍‍ ଖାତା ୧୦୦, ପ୍ଲଟ ନଂ. ୩୦, ୩୧, ୩୨, ୩୪, ୩୫, ୩୬, ୩୮, ୩୯, ୪୦, ୪୧, ୧୬୬, ୧୬୭, ୧୬୮, ୫୧, ୫୨, ୫୫, ୫୮, ୬୧, ୬୨, ୬୩, ୬୫, ୬୮, ୬୯ଏବଂ ୧୬୨ରେ ଥିବା ଜମି ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦିଆଯିବ। ସେଥିରୁ ୧୭ଟି ପ୍ଲଟ୍‍ ବଗାୟତ, ଗୋଟିଏ ପତିତ, ୫ଟି ଜଳାଶୟ ଏବଂ ଗୋଟିଏ ଘରବାରି କିସମ ଜମି ରହିଛି। ଘରବାରି କିସମ ଜମି ଏକରପ୍ରତି ୧କୋଟି ୭୫ଲକ୍ଷ, ବଗାୟତ ଜମି ଏକରକୁ ୧କୋଟି ୨୫ଲକ୍ଷ ଏବଂ ଜଳାଶୟ ଜମି ଏକରପ୍ରତି ୨ଲକ୍ଷ ଟଙ୍କା ଦରରେ ବିକ୍ରି ପାଇଁ ଦେବୋତ୍ତର କମିସନର ଅନୁମତି ଦେଇଛନ୍ତି। ନିର୍ଦ୍ଧାରିତ ମୂଲ୍ୟ ମିଳିବା ପରେ ବିଶ୍ୱବିଦ୍ୟାଳୟ ପାଇଁ ସରକାରଙ୍କୁ ଜମି ବିକ୍ରି କରାଯିବ ବୋଲି ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ‘ସମାଜ’କୁ କହିଛନ୍ତି।
ଏ ସମ୍ପର୍କରେ ଜିଲାପାଳ ଜ୍ୟୋତିପ୍ରକାଶ ଦାସ କହିଛନ୍ତି ଜମି କିଣିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ କ୍ଷମତା ଦିଆଯାଇଛି। ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଅର୍ଥ ଏକ ସମସ୍ୟା ନୁହେଁ। ଆବଶ୍ୟକ ପଡ଼ିଲେ ଅତିରିକ୍ତ ବଜେଟ୍‍ରେ ଅଧିକ ଅର୍ଥ ବରାଦ କରାଯାଇ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଛନ୍ତି।

Leave A Reply