ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ହତ୍ୟା ପାଇଁ ଦିଆଯାଇଥିଲା ସୁପାରୀ

୬ ଗିରଫ

ପୁରୀ: ଧୀରେଧୀରେ ଶ୍ରୀ ମନ୍ଦିର ସେବାୟତଙ୍କ ହତ୍ୟା ଉପରୁ ହଟୁଛି ପରଦା ।  କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ପୁରୀ ଏସପି ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି ।  ଆଜି ଏନେଇ ପୁରୀ ଏସପି କନୱଲ ବିଶାଲ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସେବାୟତ କୃଷ୍ଣଚନ୍ଦ୍ରଙ୍କ ହତ୍ୟା କରାଯିବା ନେଇ ୩୦ ଲକ୍ଷ ଟଙ୍କାର ଡିଲ ହୋଇଥିଲା ।

ହତ୍ୟା କରାଯିବାକୁ ଅଭିଯୁକ୍ତଙ୍କୁ ଦିଆଯାଇଥିଲା ସୁପାରୀ । ଏହି ହତ୍ୟା ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଏସପି କହିଛନ୍ତି । ତାହା ସହ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ମୁଖ୍ୟ ଅଭିଯୁକ୍ତ, ଜଣେ ବନ୍ଧୁକ ଯୋଗାଣକାରୀ ଏବଂ ଫେରାର ହେବାରେ ସହଯୋଗ କରିଥିବା ଜଣେ ବ୍ୟକ୍ତି ସାମିଲ ଥିବା ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ହତ୍ୟାକାରୀ ଏବେ ବି ମଧ୍ୟ ଫେରାର ଅଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ କାଳିଆ ସିଂହାରୀ, ଦୋଳଗୋବିନ୍ଦ ସିଂହାରୀ, ବାବା ମହାପାତ୍ର, କାଳୁ ପାଣିଗ୍ରାହୀ, ସନ୍ଦୀପ କୁମାର ଜେନା, ମୁନା ପାତ୍ର ।

ପୂର୍ବ ଶତ୍ରୁତା, ଜମି ବିବାଦ ଏବଂ ଗୁନ୍ ସିଂହାରୀ ହତ୍ୟାର ପ୍ରତିଶୋଧ ପାଇଁ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି କନୱାର ବିଶାଳ ସିଂହ ସୂଚନା ଦେଇଛନ୍ତି। ସୂଚନା ମୁତାବକ କାଳିଆ ସିଂହାରୀ ଏବଂ ଦୋଳଗୋବିନ୍ଦ ସିଂହାରୀ ହତ୍ୟା ପାଇଁ ସୁପାରୀ ଦେଇଥିବା ବେଳେ କାଳୁ ପାଣିଗ୍ରାହୀ ମଧ୍ୟସ୍ଥତା କରିଥିଲେ। ମୁନା ପାତ୍ର ବନ୍ଧୁକ ଯୋଗାଇଥିଲେ। ସନ୍ଦୀପ ଜେନା ହତ୍ୟା ଅଭିଯୁକ୍ତଙ୍କୁ ଫେରାର କରିଥିଲେ। ଅଭିଯୁକ୍ତ ବାବା ମହାପାତ୍ର ଗୁଳିକାଣ୍ଡରେ ସମ୍ପୁକ୍ତ ଥିଲେ। କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା ପାଇଁ ୩୦ ଲକ୍ଷ ଟଙ୍କା ସୁପାରି ପାଇଁ କଥା ଛିଡିଥିଲା । ୧ ଲକ୍ଷ ୫୦ ହଜାର ଟଙ୍କା ସୁପାରି ଅର୍ଥ ଜବତ କରାଯାଇଛି । ଏହାସହ ଅନ୍ୟ ତିନି ହତ୍ୟା ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀ ସିଂହ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Comments are closed.