ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ଆଜି ମହାପ୍ରଭୁଙ୍କୁ ଦର୍ଶନ କଲେ ୭୯ ହଜାର ଭକ୍ତ

ପୁରୀ: ରାଜ୍ୟରେ କରୋନା ଓ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ, ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ୭୯ ହଜାର ୧୬୭ ଜଣ ଭକ୍ତ। ସେମାନଙ୍କ ମଧ୍ୟରୁ ୭୪ ହଜାର ୮୪୪ ଜଣ ପୁରୀ ବାହାର ଲୋକ ହୋଇଥିବା ବେଳେ ୪ ହଜାର ୩୨୩ ଜଣ ପୁରୀ ଅଧିବାସୀ ବୋଲି ଜଣାପଡିଛି। ଏହାଛଡା ଆଜି ଏତେ ମାତ୍ରାରେ ଭିଡ ରହିଥିଲା ଯେ ବିନା କାଗଜପତ୍ର ଯାଞ୍ଚରେ ପ୍ରାୟ ୫ ହଜାର ଲୋକ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକ ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ବୋଲି କୁହାଯାଉଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳିତମାସର ଶେଷ ଦର୍ଶନ ପାଇଁ ଶନିବାର ସିଂହଦ୍ବାର ସମ୍ମୁଖ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ହୋଇଥିଲା। ଲୁହାବାଡ଼ (ବ୍ୟାରିକେଡ୍‌) ଡେଇଁ ଧସେଇ ପଶିଥିଲେ ଶ୍ରଦ୍ଧାଳୁ। ଠାକୁରଙ୍କ ନିକଟରେ ପହଞ୍ଚିବାକୁ ଧାଡିରେ ତିନିରୁ ଚାରିଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା। ତଥାପି ଅତ୍ୟନ୍ତ ଉତ୍କଣ୍ଠା ଏବଂ ଧୈର୍ଯ୍ୟର ସହ ଅପେକ୍ଷା କରିଥିଲେ ହଜାର ହଜାର ଭକ୍ତ। ପ୍ରବଳ ଭିଡ଼ ଯୋଗୁଁ ଏତେ ସଂଖ୍ୟକ ଲୋକଙ୍କ କରୋନା ଟିକା ପ୍ରମାଣପତ୍ର ଏବଂ ପରିଚୟପତ୍ର ଯାଞ୍ଚ କରିବା ସମ୍ଭବପର ହୋଇନଥିବା ସୂଚନା ମିଳିଛି।

ଚଳିତମାସ ୧୦ରୁ ୩୧ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେଣୁ ଠାକୁରଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକ ଶନିବାର ପୁରୀରେ ପହଞ୍ଚିଥିଲେ। ସକାଳ ୬ଟାରୁ ବଡ଼ଦାଣ୍ଡରେ ଲାଗିଥିଲା ଭକ୍ତଙ୍କ ଲମ୍ବାଧାଡି। ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଫାଟି ପଡିଥିଲା। ଭିଡ଼ ତୁଳନାରେ ଯାଞ୍ଚ ବ୍ୟବସ୍ଥା ଯଥେଷ୍ଟ ନହେବାରୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୋଲା ଯାଇଥିବା ମାଗଣା ଜୋତାଷ୍ଟାଣ୍ଡ ସମ୍ମୁଖରେ ଭକ୍ତ ବହୁସମୟ ଅପେକ୍ଷା କରିଥିଲେ। ଅତ୍ୟଧିକ ଭିଡ଼ଯୋଗୁଁ ପ୍ରଶାସନିକ ଓ ପୁଲିସ କଟକଣା ଆଦୌ କାମ କରିନଥିଲା।
ମନ୍ଦିର ବାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ଭିତର ବ୍ୟାରିକେଡ୍‌ ପାଖରେ ପୁଣିଥରେ କିଛି ସମୟ ଅପେକ୍ଷା କରିଥିଲେ ଭକ୍ତ। ଶ୍ରୀମନ୍ଦିର ବାହାରକାଠ ପାଖରେ ଦର୍ଶନ ପାଇଁ ସୀମିତ ଜାଗା ରହିଥିବାରୁ ସେଠାରେ ଧସ୍ତାଧସ୍ତି ହୋଇଥିଲା। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ କୌଣସି କଟକଣାକୁ ଭ୍ରୂକ୍ଷେପ କରିନଥିଲେ। ଅଧିକାଂଶ ପର୍ଯ୍ୟଟକଙ୍କ ମୁହଁରେ ତୁଣ୍ଡି (ମାସ୍କ) ନଥିଲା। ସାମାଜିକ ଦୂରତ୍ବ କଥା ଭକ୍ତ ଓ ପ୍ରଶାସନ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ। ବହୁ ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିନପାରି ଫେରିଥିବା ଜଣାପଡିଛି। ରାତିରେ ମନ୍ଦିର ଶୀଘ୍ର ବନ୍ଦ ଯୋଗୁଁ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା କେତେକ ଭକ୍ତ ସିଂହଦ୍ବାର ସମ୍ମୁଖରେ ଛିଡାହୋଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ପ୍ରବଳ ଭିଡ଼ ଭିତରେ ପଡ଼ିଯାଇ ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି। ତାଙ୍କର ଗୋଡ଼ରେ ଆଘାତ ଲାଗିଛି। ପ୍ରାୟ ପାଞ୍ଚ ହଜାର ଭକ୍ତ ଦର୍ଶନ କରିନପାରି ଫେରିଯାଇଛନ୍ତି।

Comments are closed.