ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ହେରିଟେଜ୍‌ ବିଧି ପ୍ରସ୍ତୁତ କଲେ କେନ୍ଦ୍ର ସରକାର

୧୮ତାରିଖ ସୁଦ୍ଧା ପ୍ରସ୍ତାବ ଓ ମତାମତ ଆହ୍ବାନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଡ୍ରାଫ୍ଟ ହେରିଟେଜ ବିଧି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ମନୁମେଣ୍ଟସ୍‌ ଅଥରିଟି ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରସ୍ତାବିତ ହେରିଟେଜ ବାଇଲ ସମ୍ପର୍କରେ ଚଳିତମାସ ୧୮ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ପ୍ରସ୍ତାବ ଏବଂ ମତାମତ ଆହ୍ବାନ କରାଯାଇଛି। ଆନ୍ସିଏଣ୍ଟ ମନୁମେଣ୍ଟ ଆଣ୍ଡ ଆର୍କୋଲୋଜିକାଲ ସାଇଟସ୍‌ ଆଣ୍ଡ ରିମେନ୍ସ ଆକ୍ଟ ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିରକୁ ସୁରକ୍ଷିତ ଐତିହ୍ୟ ଭାବେ ସ୍ବୀକୃତି ମିଳିଛି। ଏହି ଆଧାରରେ ଐତିହ୍ୟର ପରିଚାଳନା ପାଇଁ କେନ୍ଦ୍ର ସରକାର ଜାତୀୟ ମନୁମେଣ୍ଟସ୍‌ ଅଥରିଟି ଗଠନ କରିଛନ୍ତି। ପ୍ରସ୍ତାବ ଏବଂ ମତାମତ ଗ୍ରହଣ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯିବା ସମ୍ଭାବନା ରହିଛି। ଏହାପରେ ଚୂଡାନ୍ତ ହେରିଟେଜ୍‌ ବାଇଲ ବିଜ୍ଞପ୍ତି ପ୍ରକାଶ ପାଇବ। ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳ ଏବଂ ନିୟନ୍ତ୍ରିତ ଅଞ୍ଚଳ ପାଇଁ ହେରିଟେଜ୍‌ ବାଇଲ ଲାଗୁ କରାଯିବ। ନିର୍ଦେଶକ ପାହ୍ୟାର ଜଣେ ଅଧିକାରୀ ଏହାକୁ ନିୟନ୍ତ୍ରଣ କରିବେ। ଶ୍ରୀମନ୍ଦିର ଭିତରେ ଏବଂ ଚତୁଃପାର୍ଶ୍ବରେ ବର୍ତ୍ତମାନ ରହିଥିବା ଏବଂ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ଗୁଡିକ ହେରିଟେଜ୍‌ ବାଇଲ ଅନ୍ତର୍ଭୂକ୍ତ ହେବ। କେବଳ ସେତିକି ନୁହେଁ, ଗୃହ ନିର୍ମାଣ ପାଇଁ ସେଥିରେ ସ୍ବତନ୍ତ୍ର ବିଲଡିଂ ରେଗୁଲେସନ ରଖାଯାଇଛି।

ଶ୍ରୀମନ୍ଦିରର ଦୈନନ୍ଦିନ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ହେରିଟେଜ୍‌ ବାଇଲ ଅନୁଯାୟୀ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୩୦୦ମିଟର ଭିତରେ ଥିବା କୌଣସି କୋଠା ଅଥରିଟି ଅନୁମତି ବିନା ପୁନଃନିର୍ମାଣ କରାଯାଇ ପାରିବ ନାହିଁ। ୩୦୦ ମିଟର ଅଞ୍ଚଳ ମଧ୍ୟରୁ ମେଘନାଦ ପ୍ରାଚୀରର ୧୦୦ ମିଟର ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଏବଂ ପରବର୍ତ୍ତୀ ୨୦୦ମିଟର ଅଞ୍ଚଳକୁ ନିୟନ୍ତ୍ରିତ ଅଞ୍ଚଳ ଘୋଷଣା କରାଯାଇଛି। ୧୬ଜୁନ୍‌ ୧୯୯୨ଠାରୁ ବାକିଥିବା ସମସ୍ତ ନିର୍ମାଣ କାର୍ଯ୍ୟ ହେରିଟେଜ ବିଧି ଏବଂ ନବଗଠିତ ପ୍ରାଧିକରଣ ଦ୍ବାରା ନିୟନ୍ତ୍ରଣ କରାଯିବ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଶ୍ରୀମନ୍ଦିର ଭିତରେ ଏବଂ ଚତୁଃପାର୍ଶ୍ବରେ ଯେକୌଣସି ଖନନ କାର୍ଯ୍ୟପାଇଁ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡିବ। ଶ୍ରୀଜଗନ୍ନାଥ ମନ୍ଦିର ସମେତ ସେଠାରେ ଥିବା ସମସ୍ତ ଦେବଦେବୀ ପୀଠ ତାଲିକା ପ୍ରସ୍ତୁତ କରିଛି ଏଏସ୍‌ଆଇ। ଗଙ୍ଗବଂଶର ରାଜା ଅନନ୍ତ ବର୍ମନ ଚୋଡଗଙ୍ଗଦେବ ଦ୍ବାଦଶ ଶତାବ୍ଦୀରେ ଶ୍ରୀମନ୍ଦିର ନିର୍ମାଣ କରିଥିବା ବିଜ୍ଞପ୍ତିରେ କୁହାଯାଇଛି। ପରବର୍ତ୍ତୀ ସମୟରେ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଶତାବ୍ଦୀରେ ଜଗମୋହନ, ନାଟମଣ୍ଡପ ଏବଂ ଭୋଗମଣ୍ଡପ ନିର୍ମାଣ କରାଯାଇଥିବା ହେରିଟେଜ୍‌ ବାଇଲରେ ଉଲ୍ଲେଖ ରହିଛି।

ଶ୍ରୀଜଗନ୍ନାଥ ମନ୍ଦିରର ଐତିହ୍ୟ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଭଲ ଅବସ୍ଥାରେ ଥିବା ହେରିଟେଜ ବାଇଲରେ କୁହାଯାଇଛି। ଦୈନିକ ପ୍ରାୟ ୫୦ହଜାର ତୀର୍ଥଯାତ୍ରୀ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ପ୍ରାଧିକରଣ କହିଛି। ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ପ୍ରସ୍ତୁତ କରିଥିବା ବିସ୍ତୃତ ବିକାଶ ଯୋଜନାରେ ଶ୍ରୀମନ୍ଦିରକୁ ସଂରକ୍ଷିତ ବ୍ୟବହୃତ ଅଞ୍ଚଳ (କଞ୍ଜରଭେସନ୍‌ ୟୁଜ୍‌ ଜୋନ୍‌) ଏବଂ ଧାର୍ମିକସ୍ଥଳ ଭାବେ ଦର୍ଶାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିରର ୩୯୨୬୦.୮୮ ବର୍ଗମିଟର (୯.୭ଏକର) ସୁରକ୍ଷିତ ଅଞ୍ଚଳ, ୧୫୦୦୧୪.୫୪୪ ବର୍ଗମିଟର (୩୭.୬୧ଏକର) ନିଷିଦ୍ଧାଞ୍ଚଳ ଏବଂ ୫୬୦୦୨୭.୭୫ ବର୍ଗମିଟର (୧୩୮.୩୮୫ ଏକର)କୁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଦର୍ଶାଯାଇଛି। ଶ୍ରୀମନ୍ଦିରର ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ କୋଣରେ କୋଠା ଉଚ୍ଚତା ସର୍ବାଧିକ ୧୦ମିଟର ରହିବ ବୋଲି ବିଜ୍ଞପ୍ତିରେ ପ୍ରସ୍ତାବ ରହିଛି। ଶ୍ରୀଜଗନ୍ନାଥ ମନ୍ଦିରକୁ ୧୯୭୫ ମସିହା ଫେବୃଆରୀ ୨୨ ତାରିଖରେ କେନ୍ଦ୍ର ସରକାର ଜାତୀୟ ଐତିହ୍ୟ ଭାବେ ଘୋଷଣା କରିଥିଲେ। ସେବେଠାରୁ ଏହାର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଅଧିନରେ ରହିଛି। ଡ୍ରାଫ୍ଟ ହେରିଟେଜ୍‌ ବାଇଲ ନାମ ‘ହେରିଟେଜ୍‌ ବାଇଲ ଅଫ୍‌ ସେଣ୍ଟ୍ରାଲି ପ୍ରୋଟେ​‌​‌କ୍ଟେଡ୍‌ ମନୁମେଣ୍ଟ ଶ୍ରୀଜଗନ୍ନାଥ ଟେମ୍ପୁଲ’ ରଖାଯାଇଛି।

Comments
Loading...