ସ୍ବର୍ଗଦ୍ବାର ଜମି ମହାଦୁର୍ନୀତି; ୫ଥର ତଦନ୍ତ ପରେ ବି ଫଳଶୂନ

ପୁରୀ: ମିଳିମିଶି ଚପାଇ ଦେଲେ ସ୍ବର୍ଗଦ୍ବାର ଜମି ମହାଦୁର୍ନୀତି। ଜମି ମାଫିଆଙ୍କ ହାତ ଏତେ ଲମ୍ବା ଯେ ୫ଥର ତଦନ୍ତ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସମୁଦ୍ରକୂଳକୁ ଲାଗି ରହିଥିବା ପ୍ରାୟ ୧୦୦କୋଟି ଟଙ୍କା ମୂଲ୍ୟର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ସମ୍ପତ୍ତିକୁ ମାଡି ବସିଛନ୍ତି କେତେକ ହୋଟେଲ ମାଲିକ ଏବଂ ପ୍ରଭାବଶାଳୀ ବ୍ୟକ୍ତି। ଏ କ୍ଷେତ୍ରରେ କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ ଏବଂ ପୁଲିସର ନିରବତା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ପୁରୀ ଜିଲାପାଳ ଏବଂ ତହସିଲଦାରଙ୍କ ଲିଖିତ ଅଭିଯୋଗକୁ ବିଭାଗୀୟ ଅଧିକାରୀ ଚପାଇ ରଖିଛନ୍ତି। ଜାଲିଆତି କରି କେତେକ ବ୍ୟକ୍ତି ସ୍ବର୍ଗଦ୍ବାର ଶ୍ମଶାନର ମୂଲ୍ୟବାନ ଜମି କବ୍‌ଜା କରିଥିବା ଜଣାପଡିଛି। ଏଥିଯୋଗୁଁ ସ୍ବର୍ଗଦ୍ବାର ଶ୍ମଶାନ ସଂକୁଚିତ ହେବାସହ ଶବସତ୍କାର ପାଇଁ ସ୍ଥାନାଭାବ ଦେଖା ଦେଇଛି। ସାବକ ରେକର୍ଡରେ ଥିବା ୧୬ଏକର ୪୦୦ ଡେସିମିଲ ଜମି ମଧ୍ୟରୁ ମାତ୍ର ୪୬୪ ଡେସିମିଲ ସ୍ବର୍ଗଦ୍ବାର ଶ୍ମଶାନ ନାମରେ ରେକର୍ଡ କରାଯାଇଛି। ଶ୍ମଶାନ ଜମି ପୁନରୁଦ୍ଧାର ଦୀର୍ଘ ୯ବର୍ଷ ଧରି କେବଳ କାଗଜପତ୍ରରେ ସୀମିତ ହୋଇ ରହିଯାଇଛି। ଜମି ଜାଲିଆତିକୁ ସୁରକ୍ଷା ଦେବାପାଇଁ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ତଦନ୍ତ ନିର୍ଦେଶ ଦିଆଯାଉଛି। ତହସିଲଦାର, ଅତିରିକ୍ତ ଉପଜିଲାପାଳ ଏବଂ ଜିଲାପାଳଙ୍କ ତଦନ୍ତ ରିପୋର୍ଟକୁ କେତେକ ବରିଷ୍ଠ ଅଧିକାରୀ ମାଡ଼ି ବସିଛନ୍ତି।

୧୮୯୯ ସାବକ ରେକର୍ଡ ଅନୁଯାୟୀ ବାଲିସାହି ରାଜସ୍ବ ମୌଜାର ୩୩ ଖାତାରେ ୩୦ ଏକର ୧୧୦ ଡେସିମିଲ ଜମି ରହିଥିଲା। ସେଥିରୁ ପ୍ଲଟ ନମ୍ବର ୮୫୩ରେ ଥିବା ୧୬ଏକର ୪୦୦ ଡେସିମିଲ ସ୍ବର୍ଗଦ୍ବାର ଶ୍ମଶାନ ଭାବେ ବ୍ୟବହାର କରାଯାଉଥିଲା। ଜମି ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡ ହୋଇଥିବା ବେଳେ ଶଙ୍କର ମଧୁସୂଦନ ତୀର୍ଥସ୍ବାମୀ, ଗୁରୁ ଦାମୋଦର ତୀର୍ଥସ୍ବାମୀ, ଜାତି : ବୈଷ୍ଣବ ଏହାର ମାର୍ଫତଦାର ରହିଥିଲେ। ଜମିର ସ୍ବତ୍ବ ଅମୃତମଣୋହି ରହିଥିଲା। ସ୍ବର୍ଗଦ୍ବାର ଶ୍ମଶାନରେ ଏକ ଜଳାଶୟ ମଧ୍ୟ ଥିଲା। କିନ୍ତୁ ୧୯୮୮-୮୯ ହାଲ୍‌ ରେକର୍ଡର ଖାତା ନମ୍ବର ୮୪୩ ଏବଂ ପ୍ଲଟ ନମ୍ବର ୧୪୫୫ରେ ମାତ୍ର ୪୬୪ ଡେସିମିଲ ଜମି ସ୍ବର୍ଗଦ୍ବାର ଶ୍ମଶାନ ଭାବେ ରେକର୍ଡ କରାଯାଇଥିଲା। ଏଥିରେ ସର୍ବସାଧାରଣଙ୍କର ଶବଦାହ କରିବାର ଅଧିକାର ଥିବା ଖତିଆନରେ ଉଲ୍ଲେଖ କରାଯାଇଛି। ସ୍ବର୍ଗଦ୍ବାର ଶ୍ମଶାନ ଜମି ମହାଦୁର୍ନୀତି ସମ୍ପର୍କରେ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ଅତିରିକ୍ତ ଉପଜିଲାପାଳ ଅଭିଯୋଗର ତଦନ୍ତ କରି ୨୦୧୧ ଡିସେମ୍ବର ୧୭ତାରିଖରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ହାଲ୍‌ ଖାତା ୬୬୩ରେ ଥିବା ୧ଏକର ୮୪୨ ଡେସିମିଲ ଜମି ଯାହା ସାବକ ଖାତା ୩୩ରେ ଥିଲା ଜାଲିଆତି କରି ଅନ୍ୟ ଲୋକଙ୍କ ନାମରେ ରେକର୍ଡ ହୋଇଥିବା ଅତିରିକ୍ତ ଉପଜିଲାପାଳ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ। ଏହାଛଡା ରାଜସ୍ବ ପରିଷଦ ସଭ୍ୟଙ୍କ ୨୦୧୧ ଡିସେମ୍ବର ୧ତାରିଖର ନିର୍ଦେଶକୁ ଭିତ୍ତିକରି ପୁଣିଥରେ ଏହାର ତଦନ୍ତ କରାଯାଇଥିଲା। ସେହିବର୍ଷ ଡିସେମ୍ବର ୧୯ରେ ଅତିରିକ୍ତ ଜିଲାପାଳ ରାଜସ୍ବ ବିଭାଗ ସଚିବଙ୍କ ସମେତ ରାଜସ୍ବ ପରିଷଦ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହାସତ୍ତ୍ବେ ପୁଣିଥରେ ଦୁର୍ନୀତିର ତଦନ୍ତ ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ୨୦୧୭ରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ୭ଜଣିଆ କମିଟି ଗଠନ କରିଥିଲେ। ଜିଲାପାଳ ୨୦୧୭ ମାର୍ଚ୍ଚ ୩୧ରେ ଆରଡିସିଙ୍କୁ ତଦନ୍ତ ରିପୋର୍ଟ ଦେଇଥିଲେ। କାଗଜପତ୍ର ଜାଲିଆତି ଏବଂ ତଞ୍ଚକତା କରି କେତେକ ପ୍ରଭାବଶାଳୀ ବ୍ୟକ୍ତି ଜମି ଆତ୍ମସାତ କରିଥିବା ରିପୋର୍ଟରେ ସ୍ପଷ୍ଟଭାବେ କୁହାଯାଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପରାଧ ମାମଲା ରୁଜୁ କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ୨୦୧୭ ସେପ୍ଟେମ୍ବର ୬ରେ ଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

ଜମି ଜାଲିଆତି ସମ୍ପର୍କରେ ପୁରୀ ତହସିଲଦାରଙ୍କ ପକ୍ଷରୁ ସମୁଦ୍ରକୂଳ ଥାନା​‌​‌ରେ ଏତଲା ଦିଆଯିବା ସହ କ୍ରାଇମବ୍ରାଞ୍ଚ ଅଥନୈତିକ ଅପରାଧ ଶାଖାକୁ ତଦନ୍ତ ପାଇଁ ଚିଠି ଲେଖାଯାଇଥିଲା। ଏସବୁ ସତ୍ତ୍ବେ ଜମି ମାଫିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ପୂର୍ବରୁ ସ୍ବର୍ଗଦ୍ବାର ଶ୍ମଶାନ ଭାବେ ବ୍ୟବହାର ହେଉଥିବା ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମିରେ ବହୁ ହୋଟେଲ, ଲଜିଂ, ହଲିଡେହୋମ୍‌, ବିଦେଶୀ ମଦଦୋକାନ ଏବଂ ମାର୍କେଟ କ​‌େ​ମ୍ପ୍ଲକ୍ସ ଗଢି ଉଠିଛି। ରାଜସ୍ବ ପରିଷଦ ସଚିବ ଗତ ମାର୍ଚ୍ଚ ୧୩ତାରିଖ ଦିନ ଜିଲାପାଳଙ୍କୁ ଆଉଥରେ ଚିଠିଲେଖି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ ମଧ୍ୟ ଜିଲା ପ୍ରଶାସନ ତାହାକୁ ଚପାଇ ରଖିଛି।

Comments are closed.