ପୁରୀରୁ ଅପହୃତ ସହକାରୀ ଯନ୍ତ୍ରୀ ବାଣପୁରରୁ ଉଦ୍ଧାର

ପୁରୀ : ପୁରୀରୁ ଅପହୃତ କେନ୍ଦ୍ରାପଡା ଗ୍ରାମ ଉନ୍ନୟନ ଡିଭିଜନ ସହକାରୀ ଯନ୍ତ୍ରୀ ମୋହନ ମୁରାରୀ ଜେନାଙ୍କୁ ଶୁକ୍ରବାର ବାଣପୁର ଭଗବତୀ ମନ୍ଦିରରୁ ଉଦ୍ଧାର କରାଯାଇଛି। ଯନ୍ତ୍ରୀ ଶ୍ରୀ ଜେନା ପ୍ରବଳ ମାନସିକ ଚାପରେ ଥିବାସହ ଆଦୌ ମୁହଁ ଖୋଲୁ ନାହାଁନ୍ତି। ତେଣୁ ତାଙ୍କ ନିଖୋଜ ହେବା ଘଟଣା ଅଧିକ ରହସ୍ୟମୟ ହୋଇଛି। ମୋହନ ମୁରାରୀଙ୍କ ଅପହରଣ ଖବର ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ବାଣପୁରର କେତେକ ବ୍ୟକ୍ତି ତାଙ୍କୁ ଚିହ୍ନଟ କରିଥିଲେ। ତାଙ୍କ ପରିବାର ସମେତ ପୁରୀ ସମୁଦ୍ରକୂଳ ଥାନାକୁ ଖବର ଦେଇଥିଲେ। ବାଣପୁର ଥାନା ପୁଲିସ ସହକାରୀ ଯନ୍ତ୍ରୀଙ୍କୁ ମନ୍ଦିର ନିକଟରୁ ଉଦ୍ଧାର କରି ପୁରୀ ପଠାଇଥିଲା। ଶୁକ୍ରବାର ସନ୍ଧ୍ୟାରେ ପୁଲିସ ତାଙ୍କୁ ପରିବାରକୁ ହସ୍ତାନ୍ତର କରିଛି। ତେବେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ମୋହନ ମୁରାରୀ କେଉଁଠାରେ ଥିଲେ ଏବଂ ତାଙ୍କ ମୌନବ୍ରତ କାରଣ ସମ୍ପର୍କରେ ପୁଲିସକୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ। ଥାନାରେ ତାଙ୍କୁ ଯେତେ ପଚରାଉଚରା କଲେ ମଧ୍ୟ ସେ କିଛି କହୁନଥିବା ଇନ୍ସପେକ୍ଟର ଶରତ କୁମାର ସାହୁ କହିଛନ୍ତି। ସହକାରୀ ଯନ୍ତ୍ରୀ ଶ୍ରୀ ଜେନା ବାଣପୁରରୁ ଉଦ୍ଧାରହେବା ପରେ ପୁଲିସ ଓ ପରିବାର ଲୋକେ ଆଶ୍ବସ୍ତ ହୋଇଛନ୍ତି। ଶ୍ରୀ ଜେନା ନିଜେ ବାଣପୁର ଯାଇଥିଲେ ନାଁ ତାଙ୍କୁ କେହି ଅପହରଣ କରିଥିଲା ତାହା ଏପର୍ଯ୍ୟନ୍ତନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ନିକଟରେ ସେ କିଛି କହୁନଥିବାରୁ କୌଣସି ବେଆଇନ କାର୍ଯ୍ୟ କିମ୍ବା ମିଥ୍ୟା ବିଲ୍ ପାଶ୍ କରିବାକୁ ତାଙ୍କ ଉପରେ ବଡ଼ଧରଣର ଚାପ ପକାଯାଇଥିବା ସନ୍ଦେହ କରାଯାଉଛି। ରବିବାର ଅପରାହ୍ଣରେ ଆଳିର ଜଣେ ବାଲ୍ୟବନ୍ଧୁଙ୍କ ସହ ସହକାରୀ ଯନ୍ତ୍ରୀ ଶ୍ରୀ ଜେନା ପୁରୀ ବୁଲିବାକୁ ଆସିଥିଲେ। ସୋମବାର ଶ୍ରୀମନ୍ଦିରକୁ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ସେଦିନ ୧୦ଟା ପରେ ତାଙ୍କ ମୋବାଇଲ ଫୋନ ସୁଇଚ୍ ଅଫ୍ ହୋଇଯାଇଥିଲା। ସନ୍ଧ୍ୟାସୁଦ୍ଧା ସେ ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡିଥିଲେ। ପତ୍ନୀ ଅନ୍ନପୂର୍ଣ୍ଣା ଜେନା ପୁରୀ ସମୁଦ୍ରକୂଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ୪ଦିନ ଧରି ଶ୍ରୀ ଜେନା ସମ୍ପୂର୍ଣ୍ଣ ନିଖୋଜ ଥିଲେ। ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଶୁକ୍ରବାର ହଠାତ ତାଙ୍କୁ ବାଣପୁର ଭଗବତୀ ମନ୍ଦିରରେ ଦେଖିବାକୁ ମିଳିଥିଲା। ପୁରୀରୁ ନିଖୋଜ ହେବାଠାରୁ ସେ କେଉଁଠାରେ ଥିଲେ ତାହା ଏପର୍ୟ୍ୟନ୍ତ ଜଣାପଡି ନାହିଁ। ବାଣପୁର ଭଗବତୀଙ୍କୁ ଦର୍ଶନ ପାଇଁ ସେ ଯାଇଥିଲେ ନାଁ ତାଙ୍କୁ କେହି ପୁରୀରୁ ଅପହରଣ କରି ଗଣମାଧ୍ୟମରେ ଖବର ପ୍ରକାଶ ପରେ ସେଠାରେ ନେଇ ଛାଡି ଦେଇଥିଲା ସେଥିନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି। ଶ୍ରୀ ଜେନା ସମ୍ପୂର୍ଣ୍ଣ ନିରବ ରହୁଛନ୍ତି। ସେ ମାନସିକ ଚାପରେ ରହିଥିବା ଜଣାପଡିଛି। ସେ ମୁହଁ ଖୋଲିବା ପରେ ନିଖୋଜ ହେବା ଘଟଣା ଉପରୁ ରହସ୍ୟ ଉନ୍ମୋଚନ ହେବ ବୋଲି କୁହାଯାଉଛି।

Comments are closed.