୮ରେ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଉତ୍ସବ : ମିହିରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ପୁରୀ : ପଞ୍ଚଦର୍ଶ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଉତ୍ସବ ଆଗାମୀ ୮ ଓ ୯ତାରିଖ ୨ଦିନ ଧରି ପୁରୀ ବେଳାଭୂମିରେ ଅନୁଷ୍ଠିତ ହେବ। ଚଳଚ୍ଚିତ୍ର ଅଭିନେତା ମିହିର ଦାସଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକ ଉଇନିଂ ସ୍ଫୋଟିଂ ସମ୍ପାଦକ ନବକିଶୋର ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ସିନେମା ଗୌରବ ଭାବେ ସମ୍ମାନିତ କରାଯିବ। ବାବୁସାନଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଭୂମିକାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯିବ ବୋଲି ରବିବାର ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି। ଶ୍ରୀକ୍ଷେତ୍ରର ୪ଜଣ କଳାକାରଙ୍କୁ ଉତ୍ସବରେ ପୁରସ୍କୃତ କରାଯିବାକୁ ସ୍ଥିର ହୋଇଛି। ଏହାଛଡା ଚଳଚ୍ଚିତ୍ର ଓ ଦୂରଦର୍ଶନରେ ଉତ୍କୃଷ୍ଟ ଅଭିନୟ ପାଇଁ ୬୦ଜଣଙ୍କୁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚବେଷଣ କରାଯିବ। ରାଜ୍ୟସଭା ସଦସ୍ୟ ପଦ୍ମଭୂଷଣ ରଘୁନାଥ ମହାପାତ୍ର, ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ନାଲକୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର, ହାଇଟେକ ମେଡିକାଲ କଲେଜ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ ଉତ୍ସବରେ ଅତିଥି ଭାବେ ଯୋଗଦେବେ। ଅନୁଷ୍ଠାନ କାର୍ଯ୍ୟକାରୀ ଅଧ୍ୟକ୍ଷ ରଜନୀକାନ୍ତ ମିଶ୍ର, ସୁଆର ସେବକ ନାରାୟଣ ମହାସୁଆର, ଦେବେନ୍ଦ୍ର ମହାପାତ୍ର ଏବଂ ସ୍ମିତାଞ୍ଜଳି ପତି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Comments are closed.