ଶ୍ରୀଜଗନ୍ନାଥ ଐତିହ୍ୟ କରିଡରକୁ ଅନୁମୋଦନ, ୨ଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ ୮ଶହ କୋଟି

ପୁରୀ: ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପକୁ ଅନୁମୋଦନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ବୈଠକରେ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସବୁଜ ସଙ୍କେତ ଦିଆଯାଇଛି। ଏହି ପ୍ରକଳ୍ପରେ ଶ୍ରୀମନ୍ଦିର, ଭକ୍ତ ଓ ସେବାୟତଙ୍କ ସୁରକ୍ଷା ସମେତ ମୌଳିକ ସୁବିଧା ଏବଂ ପ୍ରାଚୀନ ମଠ ସଂରକ୍ଷଣକୁ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ୮ଶହ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ। ପ୍ରଥମ ପର୍ଯ୍ୟାୟରେ ୨୬୫.୫କୋଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୪୯୫ କୋଟି ଖର୍ଚ୍ଚ କରାଯିବ। ଜମି କ୍ରୟ ସମେତ ଉଠାଦୋକାନୀଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ଏପର୍ଯ୍ୟନ୍ତ ୨୮୯.୩୪କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୭୫ମିଟର ମଧ୍ୟରେ ଜମି ଦେଇଥିବା ୧୧୫ ପରିବାର, ୫୧୨ ବ୍ୟବସାୟୀ ଏବଂ ୨୪ ଲଜିଂ ମାଲିକଙ୍କୁ ୨୩୪.୧୮କୋଟି ଟଙ୍କା ଦିଆଯାଇଛି। ଏହାଛଡା ୧୫ଟି ମଠକୁ ୩୬.୨୬କୋଟି ଏବଂ ଉଠାଦୋକାନୀଙ୍କୁ ୯କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଡ୍ରାଫ୍ଟ ଐତିହ୍ୟ ପ୍ରକଳ୍ପ ପାଇଁ ମିଳିଥିବା ୩ଶହ ପ୍ରସ୍ତାବକୁ ବିଚାର କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି।

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସ୍କୃତି ପରାମର୍ଶଦାତା କମିଟି ବୈଠକରେ ପୂର୍ବରୁ ଐତିହ୍ୟ ପ୍ରକଳ୍ପକୁ ତର୍ଜମା କରାଯାଇଥିଲା। ଏହାଛଡା ସ୍ଥାନୀୟ ଅଧିବାସୀ, ପ୍ରତ୍ନତତ୍ତ୍ବବିତ୍‌ ଏବଂ ବୈଷୟିକ ପରାମର୍ଶଦାତାଙ୍କ ମତାମତକୁ ଭିତ୍ତିକରି ପ୍ରକଳ୍ପରେ କେତେକ ସଂଶୋଧନ କରାଯାଇଛି। ଐତିହ୍ୟ ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ୧୫.୬୫ଏକର ଜମିର ଆବଶ୍ୟକତା ରହିଛି। ସେଥିରୁ ୮.୪୭୨ ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଲିକାନାରେ ରହିଛି। ୪ଏକର ୪୬୬ ଡେସିମିଲ ଘରୋଇ ଜମି ଥିବାବେଳେ ୨ଏକର ୫୬୬ ଡେସିମିଲ ସରକାରୀ ଜମି ଏବଂ ୧୫୧ ଡେସିମିଲ ମଠଜମି ରହିଛି। ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା, ଜାତୀୟ ଐତିହ୍ୟ ପ୍ରାଧିକରଣ ଏବଂ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ୭୫ମିଟର ମଧ୍ୟରୁ ୫୫ମିଟର ଅଞ୍ଚଳକୁ ସଟଲ୍‌ ଜୋନ୍‌ କରାଯିବ। ସେଠାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଶ୍ରୀମନ୍ଦିର ସୁରକ୍ଷା ସମେତ ଐତିହ୍ୟ ସଂରକ୍ଷଣ ପାଇଁ ସେଠାରେ କେତେକ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପ୍ରସ୍ତାବ ରହିଛି। ଅବଶିଷ୍ଟ ୨୦ମିଟର ମଧ୍ୟରେ ଭକ୍ତଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଏକକାଳୀନ ୮ହଜାର ଲୋକ ଧାଡିରେ ଅପେକ୍ଷା କରିବା ଭଳି ବ୍ୟବସ୍ଥା କରାଯିବ ବୋଲି
ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୨୦୧୯ ଅକ୍ଟୋବର ୧୯ତାରିଖ ଦିନ ଅବଢା ଯୋଜନାରେ ୩୨୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଐତିହ୍ୟ କରିଡର ପାଇଁ ଆଉ ମାତ୍ର ୪ଏକର ଜମି ଅଧିଗ୍ରହଣ ବାକି ରହିଛି। ଭୂଅର୍ଜନ ପ୍ରକ୍ରିୟା ଶେଷହେବା ପରେ ଜୁନ୍‌ ୧ତାରିଖ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯିବ। ୭୫ମିଟର ମଧ୍ୟରେ ଅଭ୍ୟର୍ଥନା ପ୍ରକୋଷ୍ଠ, ସୂଚନା କେନ୍ଦ୍ର, ସାମାନ ରଖିବା ଘର, ଦାନବାକ୍ସ, ବିଶ୍ରାମସ୍ଥଳ, ଶୌଚାଳୟ, ଜନ ସେବା କେନ୍ଦ୍ର, ଏଟିଏମ୍‌, ଭଜନ ମଣ୍ଡପ ଏବଂ ସଂସ୍କୃତି ମଣ୍ଡପ ନିର୍ମାଣ କରାଯିବ। ୮୫ହଜାର ବର୍ଗଫୁଟ ଅଞ୍ଚଳରେ ତିନିତାଲା ବିଶିଷ୍ଟ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ କରାଯିବା ପ୍ରସ୍ତାବ ରହିଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୭ମିଟର ଚଉଡାର ପରିକ୍ରମା ମାର୍ଗ ନିର୍ମାଣ କରାଯିବ। ଶ୍ରୀମନ୍ଦିର ସମ୍ମୁଖରେ ଏକକାଳୀନ ଲକ୍ଷାଧିକ ଲୋକ ଯେପରି ସମାଗମ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିର, ନୀଳଚକ୍ର ଏବଂ ମେଘନାଦ ପ୍ରାଚୀରକୁ ଭକ୍ତମାନେ ଯେପରି ଅବାଧରେ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ଚତୁଃପାର୍ଶ୍ବ ଖୋଲା ରଖାଯିବ।

ଅବଢା ଯୋଜନାରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ କୋଠା ପୁନଃନିର୍ମାଣ, ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର, ଶ୍ରୀଜଗନ୍ନାଥ ସଂସ୍କୃତି କେନ୍ଦ୍ର, ରଘୁନନ୍ଦନ ଲାଇବ୍ରେରୀ ପୁନଃନିର୍ମାଣ, ସମନ୍ବିତ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା, ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଐତିହ୍ୟ ପାଦଚଲା ରାସ୍ତା ନିର୍ମାଣ, ଭକ୍ତଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ, ଶ୍ରୀସେତୁ ନିର୍ମାଣ, ଜଗନ୍ନାଥ ବଲ୍ଲଭ ମଠରେ ତୀର୍ଥଯାତ୍ରୀ କ​‌ମ୍ପ୍ଲେକ୍ସ, ଜେଲ୍‌ ​‌େରାଡ୍‌ରେ ବହୁତଳ କାର୍‌ ପାର୍କିଂ ନିର୍ମାଣ, ସ୍ବର୍ଗଦ୍ବାର ଶ୍ମଶାନ ବିକାଶ, ମ୍ୟୁନିସିପାଲଟି ମାର୍କେଟ ପୁନଃନିର୍ମାଣ, ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନର ବିକାଶ, ଗୁରୁକୁଳ ବିଦ୍ୟାଳୟ ନିର୍ମାଣ, ମହୋଦଧି ମାର୍କେଟ କ​‌​ମ୍ପ୍ଲେକ୍ସ ପୁନଃନିର୍ମାଣ, ସମୁଦ୍ର ବେଳାଭୂମିର ବିକାଶ, ମୂଷାନଈ ପୁନରୁଦ୍ଧାର, ଅଠରନଳା ସୌନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଗୃହ ନିର୍ମାଣ, ଯାତ୍ରୀକା ପରିସରରେ ବହୁତଳ ଗାଡିପାର୍କିଂ ନିର୍ମାଣ କରାଯିବ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଲ ସିଂହ, ଏଏସ୍‌ଆଇ ଅଧିକ୍ଷକ ଅରୁଣ କୁମାର ମଲିକ, ରାଜ୍ୟ ଦୋବୋତ୍ତର କମିଶନର ଚିତ୍ତରଞ୍ଜନ ମହାପାତ୍ର, ଆଇନ ବିଭାଗ ଅତିରିକ୍ତ ସଚିବ ଲଲାଟେନ୍ଦୁ ଜେନା, ପରିଚାଳନା କମିଟି ସଭ୍ୟ ଡଃ ସିଦ୍ଧେଶ୍ବର ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଅନନ୍ତ ତିଆଡି, ରାମଚନ୍ଦ୍ର ଦାସମହାପାତ୍ର, ବାବା ସଚ୍ଚିଦାନନ୍ଦ ଦାସ, ଡଃ ବିଜୟ କୁମାର ସାହୁ, ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏବଂ ମହୀମୋହନ ତ୍ରିପାଠୀ ଉପସ୍ଥିତ ଥିଲେ। ପରିଚାଳନା କମିଟି ବୈଠକରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ ଉପସ୍ଥାପନ ପୂର୍ବରୁ ତାହାକୁ ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଲାଗି କରାଯାଇଥିଲା।

Comments are closed.