‘ପୁରୀ ହେଉଛି ଧାର୍ମିକ ରାଜଧାନୀ; ବିକାଶ ନାଁରେ କରାଯାଉଛି ବିକୃତ’

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ଜଗଦଗୁରୁ ପୁରୀରେ ବିକାଶ ନାଁରେ ଚାଲିଥିବା କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଶାସନତନ୍ତ୍ରର ଦାୟିତ୍ୱ ହେଉଛି ତୀର୍ଥସ୍ତଳୀକୁ ଭୋଗସ୍ଥଳୀରେ ପରିଣତ ନକରିବା । ଆମେ ଚାହୁଁଛୁ ଶ୍ରୀକ୍ଷେତ୍ରରେ ବିକାଶ କରାଯାଉ ହେଲେ ଶ୍ରୀକ୍ଷେତ୍ରର ଅସ୍ତିତ୍ୱ ବିଲୋପ ଚାହୁଁନାହୁଁ । ଶାସନତନ୍ତ୍ର ମାର୍ଗ ପ୍ରଶସ୍ତ ନାଁରେ ପାରମ୍ପରିକ ମଠଗୁଡ଼ିକୁ ଭାଙ୍ଗି ଦିଆଗଲା । ଦେବା ଦେବୀଙ୍କ ମନ୍ଦିର ଗୁଡ଼ିକ ମଧ୍ୟ ମାଟିରେ ମିଶିଗଲା । ଶାସନତନ୍ତ୍ର ଲୋକମତକୁ ନେଇ ବଳଶାଳୀ ଭାବିବା ଜମାରୁ ଉଚିତ୍‌ ନୁହେଁ ବୋଲି  ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି । ତାହାସହ ସେ ଆହୁରି କହିଛନ୍ତି କି ଏହି କଥାକୁ ମୋର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଧ୍ୟାନ ଦେବା ଉଚିତ୍‌ ।

ଯେଉଁ ଦଳକୁ ଲୋକମାନେ ବର୍ଷାଧିକ କାଳ ସମର୍ଥନ ଦେଇ ଆସିଛନ୍ତି ସେ ଜାଣିବା ଦରକାର ପୁରୀ ହେଉଛି ଧାର୍ମିକ ରାଜଧାନୀ । ହେଲେ ପୁରୀରେ ବିକାଶ ନାଁରେ ଚାଲିଥିବା କାର୍ଯ୍ୟ କେବଳ ବିକୃତ ଓ ବିଲୁପ୍ତର ପ୍ରୟାସ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ମାର୍ଗ ପ୍ରଶସ୍ତ ନାଁରେ ପ୍ରଦର୍ଶନ ସ୍ଥଳୀ ଓ ପିକ୍‌ନିକ୍‌ ସ୍ଥଳୀ କରିବା ଆଦୌ ଠିକ୍‌ ନୁ​‌ହେଁ । ତପସ୍ଥଳୀକୁ ଭୋଗସ୍ଥଳୀ କଲେ ଦେବୀ ଓ ଦେବତା କୋପ କରିବେ। ଆଉ ଦେବୀ ଦେବତା କୋପକଲେ ଓଡ଼ିଶା ପ୍ରତି ବପଦ ସୃଷ୍ଟି ହେବ । ଭବିଷ୍ୟତରେ ଆଉ ଏପରି କାର୍ଯ୍ୟ କରିବାକୁ ସରକାର ଦୁଃସାହସ ନକରନ୍ତୁ ବୋଲି ସିଧାସିଧା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Comments are closed.