ପ୍ରଶାସକଙ୍କ ଚାଞ୍ଚଲ୍ୟକର ସୂଚନା ; ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇନି ରତ୍ନଭଣ୍ଡାର ମୂଳଚାବି

0

ପୁରୀ : ରତ୍ନଭଣ୍ଡାର ଚାବି ହଜିବା ନେଇ ଶ୍ରୀମନ୍ଦିର ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ ସୋମବାର ଗଣମାଧ୍ୟମକୁ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ରାଜ୍ୟ ସରକାର ମନ୍ଦିର ପରିଚାଳନା ଦାୟିତ୍ୱ ନେବାବେଳେ ରତ୍ନଭଣ୍ଡାର ମୂଳଚାବି ହସ୍ତାନ୍ତର କରାଯାଇ ନଥିବା ସେ କହିଛନ୍ତି। ୧୯୬୪ରେ ଡୁପ୍ଲିକେଟ ଚାବି ତିଆରି କରାଯାଇ ଜିଲାପାଳଙ୍କ ତତ୍ତ୍ୱାବଧାନରେ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି। ସେବେଠାରୁ ଜିଲା କୋଷାଗାର ଲକରକୁ କେବେବି ରତ୍ନଭଣ୍ଡାର ଚାବି ପଠାଯାଇ ନାହିଁ। ୨୦୦୫ ପୂର୍ବରୁ ଜିଲାପାଳ ମନ୍ଦିର ପ୍ରଶାସନର ମୁଖ୍ୟଥିଲେ। ଅତିରିକ୍ତ ଜିଲାପାଳଙ୍କୁ ଶ୍ରୀମନ୍ଦିର ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଉଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନିକ ସଂସ୍କାର ପରେ ୨୦୦୫ରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଇଥିଲେ। ରତ୍ନଭଣ୍ଡାର ମୂଳଚାବି ଏପର୍ଯ୍ୟନ୍ତ କୌଣସି ଅଧିକାରୀ ଦେଖିନଥିବା ଶ୍ରୀ ଦାଶ କହିଛନ୍ତି। ଅତୀତରେ ଯେତେବେଳେ ରତ୍ନଭଣ୍ଡାର ଖୋଲାଯାଇଛି ଜିଲାପାଳ ସାଥୀରେ ଚାବିନେଇ ଆସନ୍ତି ଏବଂ ରତ୍ନଭଣ୍ଡାର ସିଲ୍‍ କରାଯିବା ପରେ ପୁଣିଥରେ ଚାବି ନିଅନ୍ତି। ଜିଲା ରେକର୍ଡରୁମ୍‍ରୁ ମିଳିଥିବା ଚାବି ୧୯୬୪ ପରର ଡୁପ୍ଲିକେଟ ବୋଲି ଶ୍ରୀ ଦାଶ କହିଛନ୍ତି।
ସେ ପୁଣି କହିଲେ, ରତ୍ନଭଣ୍ଡାରର ମୂଳ କିମ୍ବା ଡୁପ୍ଲିକେଟ ଚାବି କେବେବି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇ ନାହିଁ। ତେଣୁ ଚାବି ହଜିବା ପାଇଁ ମନ୍ଦିର ପ୍ରଶାସନକୁ ଦାୟୀ କରାଯିବା ଆଦୌ ଉଚିତ ନୁହେଁ। ୧୯୮୫ରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା। ଏହାପୂର୍ବରୁ ୧୯୦୫, ୧୯୨୬, ୧୯୭୮ରେ ରତ୍ନଭଣ୍ଡାର ଖୋଲା ଯାଇଥିବା ତଥ୍ୟ ରହିଛି। ୧୯୭୮ ମେ ୧୩ରୁ ଜୁଲାଇ ୨୩ତାରିଖ ପର୍ଯ୍ୟନ୍ତ ସବୁଠାରୁ ଅଧିକ ସମୟ ରତ୍ନଭଣ୍ଡାର ଖୋଲାଯାଇ ସୁନାରୁପା, ହିରାନୀଳା ଓ ମୋତିମାଣିକ୍ୟ ତାଲିକା ପ୍ରସ୍ତୁତ କରାଯାଇଥିଲା। ୧୯୭୮ ଓ ୧୯୮୫ ରତ୍ନଭଣ୍ଡାର ଖୋଲିବା ବେଳେ ତତ୍କାଳୀନ ଅତିରିକ୍ତ ଜିଲାପାଳ ଚାବି ନେଇଥିବା ମନ୍ଦିର ପ୍ରଶାସନ ଫାଇଲ୍‍ରେ ଉଲ୍ଲେଖ ରହିଛି।
ଜିଲାପାଳଙ୍କ ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଚାବି ରହୁଥିବା ନେଇ ପ୍ରାମାଣିକ ତଥ୍ୟ ରହିଛି। ଜିଲା ରେକର୍ଡରୁମ୍‍ ଖୋଜାଖୋଜି ବେଳେ ମିଳିଥିବା ଚାବି ୧୯୬୪ ପରବର୍ତ୍ତୀ ସମୟର। ତେବେ ରତ୍ନଭଣ୍ଡାରରେ ଶ୍ରୀଜୀଉଙ୍କ ମୂଲ୍ୟବାନ ଅଳଙ୍କାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ସେ ପ୍ରକାଶ କରିଛନ୍ତି।
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନୀତି ପ୍ରଶାସକ କହିଲେ ରତ୍ନଭଣ୍ଡାର ମୂଳଚାବି ଏପର୍ଯ୍ୟନ୍ତ ପ୍ରଶାସନକୁ କେହି ହସ୍ତାନ୍ତର କରିନାହାଁନ୍ତି। ଜିଲାପାଳଙ୍କ ରେକର୍ଡରୁମ୍‍ରୁ ମିଳିଥିବା ଡୁପ୍ଲିକେଟ ଚାବି ମାଧ୍ୟମରେ ଅତୀତରେ ରତ୍ନଭଣ୍ଡାର ଖୋଲାଯାଇଛି। ଜିଲା କୋଷାଗାର ପରିବର୍ତ୍ତେ ରେକର୍ଡରୁମ୍‍ରେ କାହିଁକି ରତ୍ନଭଣ୍ଡାର ଚାବି ରଖାଯାଇଥିଲା ପଚାରିବାରୁ ସେ କହିଲେ କେବଳ ଜିଲା ପ୍ରଶାସନ ଏହାର ସ୍ପଷ୍ଟୀକରଣ ଦେଇପାରିବ। ତଦନ୍ତ କମିଶନଙ୍କ ନିକଟରେ ମନ୍ଦିର ପ୍ରଶାସନ ଦାଖଲ କରିଥିବା ସତ୍ୟପାଠରେ ଏହିସବୁ ତଥ୍ୟ ପ୍ରଦାନ କରାଯାଇଥିବା ଶ୍ରୀ ଦାଶ କହିଛନ୍ତି। ବ୍ରହ୍ମବିଭ୍ରାଟ ସମ୍ପର୍କରେ ସେ କହିଲେ ବ୍ରହ୍ମ ସଂସ୍ଥାପନରେ କୌଣସି ବିଭ୍ରାଟ ହୋଇନାହିଁ, ବରଂ ବିଳମ୍ବ ଘଟିଛି। ନୂତନ ବିଗ୍ରହ ପ୍ରତିଷ୍ଠା ହୋଇ ପୂଜା ପାଇବାର ୩ବର୍ଷ ପରେ ଦାରୁଚିହ୍ନଟ କିମ୍ବା ନୂତନ ବିଗ୍ରହ ନିର୍ମାଣକୁ ନେଇ ପ୍ରଶ୍ନ କରାଯିବା ଆଦୌ ଠିକ୍‍ନୁହେଁ। ସେବକମାନେ ଶ୍ରୀଜୀଉଙ୍କ ଗୁପ୍ତନୀତି ଏବଂ ଗୋପନୀୟ ତଥ୍ୟ ସାଧାରଣରେ ପ୍ରଘଟ କରିବା ଆଇନ ବିରୋଧୀ ବୋଲି ସେ କହିଛନ୍ତି। ଦୀର୍ଘଦିନ ଧରି ଶ୍ରୀମନ୍ଦିର ନୀତି ପ୍ରଶାସକ ଭାବେ କାର୍ଯ୍ୟ କରି ଆସୁଥିବା ଶ୍ରୀ ଦାଶ ସୋମବାର ଦାୟିତ୍ୱ ହସ୍ତାନ୍ତର କରି ଜଳସମ୍ପଦ ବିଭାଗରେ ସ୍ୱତନ୍ତ୍ର ଶାସନ ସଚିବ ଭାବେ ଯୋଗଦେବାକୁ ଯାଇଛନ୍ତି।

Leave A Reply